ମହିଳାଙ୍କୁ ଟିକେଟ୍ : ଖାଲି ଭାଷଣ, ନା ନବୀନ ଦିଦିଙ୍କୁ ଟପିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ‘ମହିଳା କାର୍ଡ’ ଖେଳି ରାଜନୀତିକ ଫାଇଦା ନେବାକୁ ପ୍ରୟାସ କରୁଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ‘ମହିଳାଙ୍କୁ ପ୍ରାର୍ଥୀ’ କରିବା ଏବେ ନୂଆ ସମସ୍ୟା ସୃଷ୍ଟି କରିଛି। ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆଗାମୀ ଲୋକସଭା ନିର୍ବାଚନରେ ୪୧ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଥିବାବେଳେ ମହିଳାଙ୍କୁ ୩୩ପ୍ରତିଶତ ସଂରକ୍ଷଣ ଦେବାକୁ ନେଇ ଅଭିଯାନ ଚଳାଇଥିବା ନବୀନ ଏ ଦିଗରେ ତାଙ୍କୁ ଟପିବେ ନା […]

33-per-cent-reservation-for-women-poses-challenge-to-naveen-Patnaik

Manoranjan Sial
  • Published: Wednesday, 13 March 2019
  • , Updated: 13 March 2019, 05:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ‘ମହିଳା କାର୍ଡ’ ଖେଳି ରାଜନୀତିକ ଫାଇଦା ନେବାକୁ ପ୍ରୟାସ କରୁଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ‘ମହିଳାଙ୍କୁ ପ୍ରାର୍ଥୀ’ କରିବା ଏବେ ନୂଆ ସମସ୍ୟା ସୃଷ୍ଟି କରିଛି। ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆଗାମୀ ଲୋକସଭା ନିର୍ବାଚନରେ ୪୧ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଥିବାବେଳେ ମହିଳାଙ୍କୁ ୩୩ପ୍ରତିଶତ ସଂରକ୍ଷଣ ଦେବାକୁ ନେଇ ଅଭିଯାନ ଚଳାଇଥିବା ନବୀନ ଏ ଦିଗରେ ତାଙ୍କୁ ଟପିବେ ନା ପଛରେ ପଡ଼ିଯିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ମହିଳାଙ୍କୁ ସଂରକ୍ଷଣ କଥା କହି ନବୀନ ବିଧାନସଭାରେ ସଂକଳ୍ପ ଗୃହୀତଠୁ ଆରମ୍ଭ କରି ବିଭିନ୍ନ ଦଳର ମୁଖିଆଙ୍କ ସମର୍ଥନ ଲୋଡ଼ି ରାଜନୀତିକ ଫାଇଦା ହାସଲ କରିବାକୁ ଚାହିଁଥିବାବେଳେ ମମତା ଚୁପଚାପ ରହି ମହିଳା ପ୍ରାର୍ଥୀଙ୍କ ହାତରେ ୪୧ ପ୍ରତିଶତ ଲୋକସଭା ସିଟ୍ ଟେକି ଦେଇଛନ୍ତି। ତେଣୁ ଉଭୟ ବିଧାନସଭା ଓ ଲୋକସଭାରେ ନବୀନ କେତେ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ ଭାବେ ଉପସ୍ଥାପିତ କରୁଛନ୍ତି ତାହା ହିଁ ବାସ୍ତବରେ ତାଙ୍କର ମହିଳା ଦରଦୀ ଆଭିମୁଖ୍ୟକୁ ସ୍ପଷ୍ଟ କରାଇବ।

ନବୀନ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣର ଅଧିକାର ଦେବା ପ୍ରସଙ୍ଗକୁ ବିଧାନସଭାରେ ସଂକଳ୍ପ ଓ ବିଭିନ୍ନ ରାଜନୀତିକ ଦଳର ମୁଖିଆଙ୍କୁ ଚିଠି ଲେଖି ସମର୍ଥନ ଲୋଡ଼ିବା ମଧ୍ୟରେ ସୀମିତ ରଖିଥିବାବେଳେ ମମତା ଦୁଇପାଦ ଆଗେଇ ଯାଇ ନିଷ୍ପତ୍ତି ନେଇଛନ୍ତି। ୩୩ପ୍ରତିଶତ ପରିବର୍ତ୍ତେ ୪୧ ପ୍ରତିଶତ ଆସନରେ ମହିଳାଙ୍କୁ ମମତା ପ୍ରାର୍ଥୀ କରିଛନ୍ତି। ମମତାଙ୍କ ଏଭଳି ନିଷ୍ପତ୍ତିକୁ ମଧ୍ୟ ନବୀନ ଟ୍ୱିଟର ମାଧ୍ୟମରେ ସ୍ୱାଗତ କରି ଖୁସିବ୍ୟକ୍ତ କରିବା ସହ ଭାରତରେ ନିର୍ବାଚନ ଓ ବିକାଶ ପ୍ରକ୍ରିୟାରେ ଏହା ଏକ ବିଶାଳ ପରିବର୍ତ୍ତନ କରାଇବ ବୋଲି କହିଛନ୍ତି।

ମହିଳାଙ୍କୁ ସଶକ୍ତ କରିବା ପାଇଁ ବିଧାନସଭା ଓ ସଂସଦରେ ମହିଳାଙ୍କୁ ଅଧିକ ପ୍ରତିନିଧିତ୍ୱ ଦେବା ସପକ୍ଷରେ ମହାତ୍ମା ଗାନ୍ଧି ଯୁକ୍ତି ବାଢ଼ୁଥିଲେ। ୩୩ ପ୍ରତିଶତରୁ ଅଧିକ ସିଟରେ ମହିଳାଙ୍କୁ ପ୍ରାର୍ଥୀ କରିବା ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀରେ ତାଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ବୋଲି ନବୀନ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି।

ତେବେ ମହିଳାଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗରେ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ଯେଉଁ ଯୁକ୍ତି ବାଢ଼ୁଛନ୍ତି ତାକୁ ସିଏ ନିଜେ ବିଧାନସଭା ନିର୍ବାଚନରେ ପାଳନ କରିବାର ସମ୍ଭାବନା କ୍ଷୀଣ । ଅବଶ୍ୟ ତାଙ୍କ ଦଳ ରାଜ୍ୟରେ ଥିବା ୨୧ଟି ଲୋକସଭା ଆସନ ମଧ୍ୟରୁ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବ ବୋଲି ନବୀନ ଘୋଷଣା କରିସାରିଛନ୍ତି। କିନ୍ତୁ ବିଧାନସଭାରେ ଏହି ଫର୍ମୂଲାକୁ ସିଏ ନିଜେ ପାଳନ କରିବେ ନାହିଁ ବୋଲି ଜଣାପଡ଼ିଛି।

ନବୀନ ମହିଳାଙ୍କ ସପକ୍ଷରେ ଯୁକ୍ତି ବାଢ଼ୁଥିବାବେଳେ ମମତା ୪୧ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବା ନବୀନଙ୍କ ଉପରେ ନିଜର ଅଧିକ ସିଟ୍ ମହିଳାଙ୍କ ପ୍ରାର୍ଥୀଙ୍କ ସପକ୍ଷରେ ଛାଡ଼ିବା ପାଇଁ ବାଧ୍ୟ କରିବ। ମମତାଙ୍କ ତୁଳନାରେ ନବୀନ ଦୁଇପାଦ ଆଗରେ ନରହିଲେ ଗଣମାଧ୍ୟମ ଓ ଜାତୀୟସ୍ତରରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିପାରେ। ସେହିପରି ବିଧାନସଭାରେ ଯଦି ଅନୁରୂପ ନିଷ୍ପତ୍ତି ନେଇ ଅଧିକ ସିଟରେ(୩୩%ରୁ ଅଧିକ) ମହିଳାଙ୍କୁ ପ୍ରାର୍ଥୀ ନକରିବେ ତାହା ତାଙ୍କୁ ଲୋକଦେଖାଣିଆ, ରାଜନୀତିକ ସ୍ୱାର୍ଥନ୍ୱେଷୀ ଓ ସୁବିଧାବାଦୀ ନେତା ଭାବେ ଚିତ୍ରଣ କରାଇବ। ତେଣୁ ନବୀନଙ୍କ ଉପରେ ଅଧିକ ସଂଖ୍ୟକ ମହିଳା ପ୍ରାର୍ଥୀ ଅବା ନିଜେ ଯୁକ୍ତି ବାଢ଼ୁଥିବା ପରିମାଣ(୩୩%)କୁ ପାଳନ କରିବାର ନୈତିକ ଚାପ ସୃଷ୍ଟି ହୋଇଛି।

ଅବଶ୍ୟ, ଭୋଟ ରାଜନୀତିରେ ମାହିର ନବୀନ ଆଗାମୀ ନିର୍ବାଚନରେ କ୍ଷମତାକୁ ଫେରିବା ପାଇଁ ନିଜର ଏଭଳି ନୀତିଗତ ନିଷ୍ପତ୍ତିକୁ(ବିଧାନସଭା ଓ ଲୋକସଭାରେ ମହିଳାଙ୍କୁ ୩୩ ପ୍ରତିଶତ) ପାଳନ କରୁଛନ୍ତି ନା ସୁବିଧା ଅନୁସାରେ ଓହରି ଯାଉଛନ୍ତି ତାହା ଉପରେ ଅନ୍ୟ ରାଜନୀତିକ ଦଳଗୁଡ଼ିକ ତୀକ୍ଷ୍ଣ ନଜର ରଖିଥିବା ଜଣାପଡ଼ିଛି।

Related story