ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ରାଜ୍ୟର ୪ଟି ପଞ୍ଚାୟତକୁ ଶଟଡାଉନ୍ କରିବା ସହ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ।
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବୁରୁଝୁରୀ ପଞ୍ଚାୟତକୁ ୭ ଦିନିଆ ଶଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ କସ୍ତୁରୀ ପରିଡ଼ା । ଗତ ତିନି ଦିନରେ ସ୍ଥାନୀୟ ଅଞ୍ଚଳରୁ ୪ଜଣ ଏବଂ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଜଣଙ୍କୁ କୋଭିଡ୍ ହସ୍ପିଟାଲ ନିଆଯିବା ପରେ ସରପଞ୍ଚ ଏହି କଟକଣା ଜାରି କରିଛନ୍ତି ।
ସେହିଭଳି ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଗଙ୍ଗପଡ଼ା ପଞ୍ଚାୟତରେ ଜଣେ ମହିଳା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭାତଖୁରୀ ଏବଂ ଗଙ୍ଗପଡ଼ାକୁ ୪୮ ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ଗୀତାଞ୍ଜଳି ମହାରଣା । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଦୁଇଟି ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା କରାଯାଇଛି । ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ୧୪ ଦିନିଆ କ୍ୱାରେଣ୍ଟାଇନ୍ରେ ରହି ଫେରିବା ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ଏହି କଟକଣା ଜାରି କରାଯାଇଛି ।
ସେହିଭଳି ବାଙ୍କୀ ବ୍ରହ୍ମପୁରା ପଞ୍ଚାୟତର ୧ ନମ୍ବର ଓ୍ୱାର୍ଡରୁ ୧୬ ନମ୍ବର ଓ୍ୱାର୍ଡ ପରିସୀମାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସ୍ଥାନୀୟ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ଯାଉଥିବା ସରପଞ୍ଚଙ୍କ ଜଣେ ସହଯୋଗୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।