ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କନ୍ଧମାଳର ଜଗା-କାଳିଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି। ତଥାପି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଜାଣିବା ପାଇଁ ଆସନ୍ତାକାଲି ଦିଲ୍ଲୀ ଏମ୍ସ ଯିବେ ଏକ ୫ ଜଣିଆ ଡାକ୍ତରୀ ଟିମ୍। ଏଥିରେ ଅଛନ୍ତି ଡାକ୍ତର ସଞ୍ଜିବ ମିଶ୍ର, ପ୍ରଫେସର ସରୋଜ ଶତପଥୀ, ଡାକ୍ତର ରଶ୍ମୀରଞ୍ଜନ ମହାନ୍ତି, ପୃଥ୍ୱୀରାଜ ସିଂହ ଓ ଡକ୍ତର ଜଗମୋହନ ମିଶ୍ର। ଏମାନେ ଦିଲ୍ଲୀ ଏମ୍ସ ଯାଇ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବେ। ତା’ପରେ ଡିସ୍ଚାର୍ଜ ନେଇ ନିଷ୍ପତ୍ତି ନିଆଯିବ। ଡାକ୍ତରୀ ଟିମ୍ଙ୍କ ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଯିବେ ବୋଲି ଆଜି ସୂଚନା ଦେଇଛନ୍ତି।
ଦିଲ୍ଲୀ ଏମ୍ସରେ ଜଗା-କାଳିଆଙ୍କ ଚିକିତ୍ସାକୁ ପୂରିଲା ବର୍ଷେ। ଏହା ଭିତରେ ସୁସ୍ଥ ହୋଇଗଲେଣି ଦୁଇ ଭାଇ। ଦୁଇ ତିନି ଦିନ ଭିତରେ ଏମ୍ସରୁ ଡିସ୍ଚାର୍ଜ ହେବେ ଜଗା-କଳିଆଙ୍କ ବାପା ଭୂୟାଁ କହଁର ସୂଚନା ଦେଇଥିଲେ।
କନ୍ଧମାଳର ଯାଆଁଳା ଭାଇ ଜଗା-କାଳିଆ। ସଫଳ ହୋଇଥିଲା ସେମାନଙ୍କ ବିରଳ ଅପରେସନ। ଯୋଡ଼ା ମୁଣ୍ଡ ଅଲଗା ହେବା ପରଠୁ ଦୁହେଁ ଭଲ ଅଛନ୍ତି। ଜଗା ଓ୍ୱାର୍ଡ ଭିତରେ ଖୁସି ମନରେ ବଲ୍ ଧରି ଖେଳାବୁଲା କରୁଛି। ଦୁଇ ଦିନ ତଳେ ଦୁଇ ଭାଇଙ୍କର ଏକ ଆଶ୍ୱସ୍ତି ଦେଲା ଭଳି ଫଟୋ ମଧ୍ୟ ଆସିଥିଲା। ଯେଉଁଥିରେ ଉଭୟଙ୍କ ମୁଣ୍ଡରେ ସ୍ୱତନ୍ତ୍ର ହେଲମେଟ୍ ନଥିଲା। ଦୁଇ ଭାଇ ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ହେବା ପରେ ପ୍ରଥମେ ଦିଲ୍ଲୀର ଓଡ଼ିଶା ଭବନରେ ରହିବେ ବୋଲି ସେମାନଙ୍କ ବାପା ଭୂୟାଁ କହଁର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।