ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିଜିଟାଲ ସେବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ଓଡ଼ିଶାରେ ଆଜି ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଫାଇଭ୍-ଜି ସେବା। କଟକ ଓ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏହି ସେବା। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଏହି ସେବା ଯୋଗାଇବେ।
ଆଜିଠୁ କଟକ ଓ ଭୁବନେଶ୍ୱରରେ ୫ଜି ସେବା ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟ ସହର ଓ ଗ୍ରାମାଞ୍ଚଳରେ ଏହି ସେବା ଉପଲବ୍ଧ ହେବ। ୫ଜି ସେବା ଯୋଗୁ କଟକ ଓ ଭୁବନେଶ୍ୱରରେ 4-G ତୁଳନାରେ ୧୦ ଗୁଣା ଅଧିକ ସ୍ପିଡ୍ ହେବ ଇଣ୍ଟରନେଟ୍।
ସାରା ରାଜ୍ୟରେ 5-G ସେବା ଲାଗୁ ହେଲେ ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ। କେବଳ ସହରାଞ୍ଚଳ ନୁହେଁ, ରାଜ୍ୟର ଉପାନ୍ତ ତଥା ଅପହଞ୍ଚ ଅଞ୍ଚଳରେ ମଧ୍ୟ ଏହି ସେବାକୁ ପହଞ୍ଚାଇବାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, 5-G ପାଇଁ କେବଳ ଓଡ଼ିଶାରେ ସମୁଦାୟ ୫ ହଜାର ଟାୱାର ନିର୍ମାଣ ହେବ। ୨ ବର୍ଷ ଭିତରେ ସାରା ଓଡ଼ିଶାରେ ପହଞ୍ଚିବ 5-G ସେବା। ୨୦୨୪ ଅଗଷ୍ଟ ୧୫ ତାରିଖ ସୁଦ୍ଧା ରାଜ୍ୟର ସବୁ ଜାଗାରେ ଟାୱାର ଲାଗିବ। ଆଜି ପ୍ରାଥମିକ ପର୍ଯ୍ୟାୟରେ ଶହେଟି ଟାୱାରର ଶୁଭାରମ୍ଭ କରାଯାଇଛି। ଏହି ଟାୱାର ଗୁଡ଼ିକ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୂଆଗଡ଼ା, ରାୟଗଡ଼ା ଜିଲ୍ଲାରେ ସ୍ଥାପିତ ହୋଇଛି। ଖୁବ୍ ଶୀଘ୍ର ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ଏହି ସେବା ଉପଲବ୍ଧ ହେବ ବୋଲି କହିଛନ୍ତି ମନ୍ତ୍ରୀ ବୈଷ୍ଣବ। ଓଡ଼ିଶାବାସୀଙ୍କୁ ବିଶ୍ୱସ୍ତରୀୟ ମୋବାଇଲ ସେବା ଯୋଗାଇ ଦେବାକୁ ଏପରି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି। ଏହାଦ୍ୱାରା ଡିଜିଟାଲ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସି ପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
ଓଡ଼ିଶାରେ 5-G ସେବା ଆରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଫାଇବର କେବୁଲ ବିଛାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ଶହ କୋଟି ଟଙ୍କା ଦେଇଛନ୍ତି। ଓଡ଼ିଶାର ପ୍ରତି ଗାଁ ଓ ସ୍କୁଲକୁ ହାଇସ୍ପିଡ କେବୁଲ ପହଞ୍ଚିବ। ଏହାଛଡ଼ା ଓଡ଼ିଶାର ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର, ଅନୁଗୁଳ, କୋରାପୁଟ, ଜୟପୁର ଓ ସମ୍ବଲପୁରରେ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ପ୍ରତିଷ୍ଠା କରାଯିବ। ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ସବୁ ଟେକ୍ନୋଲୋଜି ପାର୍କ କାର୍ଯ୍ୟକ୍ଷମ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ୫, ୬୦୦ କୋଟିର ଟେଲିକମ୍ ପ୍ୟାକେଜ୍ ମଞ୍ଜୁର କରିଛନ୍ତି। ଓଡ଼ିଶାର ୭ ହଜାର ଗାଁକୁ ମୋବାଇଲ ସେବା ସଂଯୋଗ ହେବ। ଓଡ଼ିଶାରେ 5-G ଲ୍ୟାବ୍ ହେବା ପାଇଁ ଏମଓୟୁ ସ୍ୱାକ୍ଷର ହୋଇଛି ବୋଲି ସେ କହିଛନ୍ତି।
5-G ଦର ସଂପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, 4-G ଦର ସହ 5-G ଦର ପାଖାପାଖି ସମାନ ରହିବ। ସାରା ଦେଶରେ 5-G ଲାଗୁ ପାଇଁ ଅଢ଼େଇରୁ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। 5-G ପାଇଁ ୯୦ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି।
ରାଜ୍ୟରେ 5-G ସେବା ଉଦଘାଟନ ଭିତରେ ଇଣ୍ଟରନେଟ କନେକ୍ଟିଭିଟିକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି ସାଂସଦ ଅମର ପଟ୍ଟନାୟକ। ସେ କହିଛନ୍ତି, ରାଜ୍ୟର ୨୫% ଲୋକଙ୍କ ପାଖରେ ଇଣ୍ଟରନେଟ ସୁବିଧା ନାହିଁ। ଏଭଳି ସ୍ଥିତିରେ ଓଡ଼ିଶାରେ 5-G କେବଳ ଏକ ଭେଳିକି। କେନ୍ଦ୍ରର 5-Gକୁ ସ୍ୱାଗତ କରୁଛୁ। ହେଲେ ଏହା ପ୍ରଚାର ସର୍ବସ୍ୱ ହୋଇ ନ ରହୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।