ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାବାସୀ ପାଇବେ 5-G ସେବା। ଦିନକ ପରେ ଭୁବନେଶ୍ୱରରୁ ଏହି ସେବାକୁ ଲଞ୍ଚ କରିବେ କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଓଡ଼ିଶାରେ ଦୁଇ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ଓ ଏୟାରଟେଲକୁ ମିଳିଛି ଅନୁମତି। ସେଥିପାଇଁ ଅଟୋମେଟିକ ନେଟୱର୍କ ପ୍ରସ୍ତୁତି ଶେଷ କରିଛନ୍ତି ଏହି ଦୁଇ କମ୍ପାନୀ। ଏଥିସହ ବର୍ତ୍ତମାନ ସୁଦ୍ଧା ୫୧୦ଟି ବିଟିଏସ୍ (ବୋର୍ଡ ଟ୍ରାନ୍ସିଭର ଷ୍ଟେସନ) ଲଗାଯାଇଛି। ପ୍ରଥମେ ରାଜ୍ୟର ମୁଖ୍ୟ ସହରବାସୀ 5-G ସେବା ପାଇବେ। ଧୀରେ ଧୀରେ ଗ୍ରାମାଞ୍ଚଳଗୁଡିକ ମଧ୍ୟ ୫ ଜି ନେଟ୍ଓ୍ୱର୍କ ସହ ଯୋଡି ହେବ।
ଅକ୍ଟୋବର ୧ ତାରିଖରେ ଦେଶରେ ଲଞ୍ଚ ହୋଇଥିଲା 5-G ସେବା। ଦେଶର ୧୩ ସହରରେ ଏହି ସେବା ଲଞ୍ଚ ହୋଇଥିଲା। ହେଲେ ଏଥିରେ ଓଡ଼ିଶାର କୌଣସି ସହର ନଥିଲେ ମଧ୍ୟ ରାଷ୍ଟ୍ରପତିଙ୍କ ଗାଁ ମୟୂରଭଞ୍ଜର ପାହାଡପୁର ବାସିନ୍ଦା ପାଇଥିଲେ ଏହି ସେବାର ଅନୁଭୂତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫାଇଭ୍-ଜି ନେଟୱର୍କ ସହାୟତାରେ ଯୋଡି ହେଇଥିଲେ ସ୍କୁଲର ଛାତ୍ରଛାତ୍ରୀ।
ତେବେ ଇଣ୍ଟରନେଟ ଦୁନିଆରେ ବୈପବ୍ଳିକ ପରିବର୍ତ୍ତନ ଆଣୁଥିବା ଫାଇଭ୍-ଜି ନେଟୱର୍କ ମିଳିଲେ ଓଡିଶାବାସୀ ଅନେକ ଫାଇଦା ପାଇବେ। ଫୋର୍-ଜି ତୁଳନାରେ ୧୦ ଗୁଣ ଅଧିକ ରହିବ ୫ଜି ଇଣ୍ଟରନେଟ ସ୍ପିଡ୍। ଆଖି ପିଛୁଳାକେ ଡାଉନଲୋଡିଂ ହେବ। ଆଉ ବିଜୁଳି ବେଗରେ ସର୍ଫିଂ ହେବ। ବିଶେଷ କରି ଓଡ଼ିଶାର ଗ୍ରାମାଞ୍ଚଳ ଗୁଡିକରେ ଅନେକ ସୁବିଧା ମିଳିପାରିବ। ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ମାଣ, ବ୍ୟାଙ୍କିଂ ସବୁ କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି ଟେଲିକମ୍ ବିଶେଷଜ୍ଞ ନବ କିଶୋର ମହାରଣା ମତ ରଖିଛନ୍ତି।
ଆସନ୍ତା ୫ ତାରିଖରେ ଓଡ଼ିଶାରେ ଲଞ୍ଚ ହେବ 5-G ସେବା। ଏହା ନିଶ୍ଚିତ ଖୁସିର କଥା। ହେଲେ ଆଜି ମଧ୍ୟ ଓଡିଶାର ସ୍ୱାଭିମାନ ଅଞ୍ଚଳରେ ଅପହଞ୍ଚ ହୋଇଛି ଇଣ୍ଟରନେଟ୍। ଏହାଛଡ଼ା ଅନେକ ଅଞ୍ଚଳରେ ଠିକରେ ଫୋର୍-ଜି ଆସୁନି। ଏମିତି ସ୍ଥିତିରେ ଓଡ଼ିଶାରେ ଫାଇଭ୍-ଜି ସେବା କେତେ ସଫଳ ହେଉଛି, ତା ଉପରେ ସମସ୍ତଙ୍କର ନଜର ରହିଛି।