ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଓଡ଼ିଶାରେ ଆରମ୍ଭ ହେବ ୫-ଜି ସେବା। ଭୁବନେଶ୍ୱରରୁ ଏହାକୁ ଲୋକାର୍ପଣ କରିବେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଓଡ଼ିଶାରେ ୫-ଜି ସେବା ଯୋଗାଇବାକୁ ସବୁ ପ୍ରସ୍ତୁତି ସରିଛି ଏବଂ ଏଥିପାଇଁ ଦୁଇ ଟେଲିକମ ଅପରେଟର୍ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍କୁ ଅନୁମତି ମିଳିଛି।
ପ୍ରଥମେ ରାଜ୍ୟର ମୁଖ୍ୟ ସହର ଗୁଡ଼ିକ ୫-ଜି ନେଟଓ୍ୱର୍କ ସହ ଯୋଡ଼ି ହେବାକୁ ଥିବା ବେଳେ, ଧୀରେ ଧୀରେ ଗ୍ରାମାଞ୍ଚଳରେ ମଧ୍ୟ ଏହା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। ଆସନ୍ତାକାଲି ଉଭୟ ଜିଓ ଏବଂ ଏୟାର୍ଟେଲ୍ ପକ୍ଷରୁ ଟୁଇନ୍ସିଟି ଭୁବନେଶ୍ୱର ଓ କଟକରେ ୫-ଜି ସେବା ଆରମ୍ଭ ହେବ। ଜିଓ କିଛି ସପ୍ତାହ ଭିତରେ ଆଉ ୫ଟି ସହରରେ ୫-ଜି ଆରମ୍ଭ କରିବ।
୫-ଜି ସେବା ଯୋଗାଇଦେବାକୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୧୦ଟି ବିଟିଏସ୍ ବା ବେସ୍ ଟ୍ରାନ୍ସିଭର୍ ଷ୍ଟେସନ ଲଗାଯାଇଛି। କୁହାଯାଉଛି, ଫୋର୍-ଜି ତୁଳନାରେ ୧୦ ଗୁଣ ଅଧିକ ରହିବ ୫ଜି ଇଣ୍ଟରନେଟ ସ୍ପିଡ୍। ଆଖି ପିଛୁଳାକେ ଡାଉନଲୋଡିଂ, ଆଉ ବିଜୁଳି ବେଗରେ ସର୍ଫିଂ ହେବ। ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ମାଣ ଓ ବ୍ୟାଙ୍କିଂ ଆଦି କ୍ଷେତ୍ରରେ ଏହା ବିରାଟ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।
ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟର ଗ୍ରାମାଞ୍ଚଳ ପାଇଁ ୧୦୦ଟି ଫୋର୍-ଜି ଟାଓ୍ୱାର୍ର ମଧ୍ୟ ଲୋକାର୍ପଣ କରିବେ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।