ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ବାଇଶି ପାହାଚରେ ଠେଲାପେଲା। ଠେଲାପେଲା ହେବାରୁ ଅସୁସ୍ଥ ହେଲେ ୬ ସ୍କୁଲ ଛାତ୍ରୀ। ଆଜି ସନ୍ଧ୍ୟାରେ ଘଟିଛି ଏହି ଘଟଣା। ସେମାନଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ଅସୁସ୍ଥ ଛାତ୍ରୀ ମୟୂରଭଞ୍ଜ ହୃଦାନନ୍ଦ ହାଇସ୍କୁଲର।
ଛାତ୍ରୀମାନେ ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ମରଚିକୋର୍ଟ ଛକ ପର୍ଯ୍ୟନ୍ତ ଲମ୍ବିଥିବା ବ୍ୟାରିକେଡ୍ ଦେଇ ବହୁ କଷ୍ଟରେ ବାଇଶି ପାହାଚରେ ପହଞ୍ଚିବା ବେଳକୁ ହାଲିଆ ହୋଇଯାଇଥିଲେ। ଭିଡ଼ ଭିତରେ ଠେଲାପେଲା ହେବାରୁ ସେମାନେ ଅଣନିଶ୍ୱାସୀ ହୋଇ ବାଇଶି ପାହାଚରେ ପଡ଼ି ଯାଇଥିଲେ। ସେମାନଙ୍କ ସହ ଥିବା ଅନ୍ୟ ସହପାଠୀମାନେ ଚିତ୍କାର କରିବା ପରେ ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।
ଏହି ସ୍କୁଲ ଛାତ୍ରୀମାନେ ପିକ୍ନିକ୍ରେ ଆସିଥିବା ବେଳେ ଶ୍ରୀମନ୍ଦିରକୁ ଠାକୁର ଦର୍ଶନ ନିମନ୍ତେ ଯାଉଥିଲେ। ଆଜି ଶ୍ରୀମନ୍ଦିରରେ ଠାକୁର ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି। ଶୀତଦିନ ସାଙ୍ଗକୁ ବଡ଼ଦିନ ଛୁଟି ଥିବାରୁ ବିଭିନ୍ନ ସ୍କୁଲରୁ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହ ପିକ୍ନିକ୍ କରିବାକୁ ପୁରୀରେ ପହଞ୍ଚିଛନ୍ତି। ଏହାଛଡ଼ା ରାଜ୍ୟ ବାହାରୁ ଆସିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି। ବିଜେଡିର ପ୍ରତିଷ୍ଠା ଉତ୍ସବ ଥିବାରୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଦଳୀୟ ନେତା ଓ କର୍ମୀମାନେ ମଧ୍ୟ ବହୁ ସଂଖ୍ୟାରେ ଠାକୁର ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ଭିଡ଼ ଜମାଇଛନ୍ତି। ଯାହା ଫଳରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।
କେବଳ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିରକୁ ଛଡ଼ା ଯାଉଥିବାରୁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁ କଲବଲ ହେଉଛନ୍ତି। ନା ସେମାନଙ୍କୁ ଆବଶ୍ୟକ ସମୟରେ ପାନୀୟଜଳ ମିଳୁଛି ନା ଶୌଚାଳୟ ପହଞ୍ଚିବାର ସୁବିଧା ମିଳୁଛି। ଘଣ୍ଟାଘଣ୍ଟା ଧାଡ଼ିରେ ଠିଆ ହେବା ଯୋଗୁ ଅନେକ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରେ ପହଞ୍ଚିବା ବେଳେକୁ ହାଲିଆ ହୋଇଯାଉଛନ୍ତି। ପରେ ଭିତରେ ସୃଷ୍ଟି ହେଉଥିବା ଠେଲାପେଲାରେ ଅଣନିଶ୍ୱାସୀ ହେଉଛନ୍ତି। ଏଥିରୁ ତ୍ରାହି ନିମନ୍ତେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନିଆଯାଇନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।