ଲମତାପୁଟ(ଜଗତ ଜୀବନ): ଚାଷୀଙ୍କୁ ମିଳୁନି। କିନ୍ତୁ ରାସ୍ତା କଡ଼ରେ ଫୋପାଡ଼ି ଦେଲେ ୬୦ ବସ୍ତା ଚିନାବାଦାମ୍ ବିହନ ସମେତ ସାର ଓ କୀଟନାଶକ। ଆଜି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସାନସଗର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଯାହାକୁ ନେଇ ଚାଷୀଙ୍କ ମହଲରେ ଖୁବ୍ ଉଦ୍ବେଗ ପ୍ରକାଶ ପାଇଛି।
ଗତ ୭ ମାସ ତଳେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସାନ ସଗର ଗାଁର ମହିଳା ଚାଷୀମାନଙ୍କୁ ଦେବା ନିମନ୍ତେ କୋରାପୁଟ ଆଇଟିଡିଏ ବିଭାଗ ପକ୍ଷରୁ ଏହି ସାର, କୀଟନାଶକ ଓ ଚିନାବାଦାମ ବିହନ ଯୋଗାଇ ଦିଆଯାଇଥିଲା। ଚାଷୀ କିପରି ସୁବିଧାରେ ବିହନ ଓ ସାର ପାଇବେ ସେନେଇ ଲମତାପୁଟ ସ୍ଥିତ ପ୍ରଦାନ ଅନୁଷ୍ଠାନକୁ ଦାୟିତ୍ୱ ଦିଆଯାଇଥିଲା। ଏହି ସମୟରେ ଚାଷୀଙ୍କୁ ବିହନ ଦିଆଯାଉ ନ ଥିବା ଓ ପ୍ରଦାନ ଅନୁଷ୍ଠାନ କର୍ମଚାରୀ ବିହନ ଦେବାକୁ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଥିଲା। ପରେ ପ୍ରଦାନ ଅନୁଷ୍ଠାନର କର୍ମଚାରୀ ଚାଷୀଙ୍କୁ ବିହନ ଓ ସାର ବଣ୍ଟନ ନ କରି ଗାଁ କ୍ଲବ ଘରେ ଏ ସମସ୍ତ ଜିନିଷ ଛାଡ଼ିଦେଇ ଚାଲିଯାଇଥିଲେ। ୭ ମାସରୁ ଅଧିକ ହେବ ଗାଁ କ୍ଲବ ଘରେ ସାର ଓ ବିହନ ପଡି ରହିଥିଲା। ଏଥିଯୋଗୁ ଘର ନଷ୍ଟ ହେଉଥିବାରୁ ଗାଁ ଲୋକେ ଚିନାବାଦାମ ବିହନ ସମେତ ବିଭିନ୍ନ ପ୍ରକାର କୀଟନାଶକ ଔଷଧ ଓ ସାରକୁ କାଢ଼ି ଦେଖିଥିଲେ। ଏସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଥିବାରୁ ଏହାକୁ ଏକ ଟ୍ରାକ୍ଟର ଯୋଗେ ରାସ୍ତାରେ କଡରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି।
ଚାଷୀଙ୍କୁ ନଦେଇ ଏଭଳି ବିହନ ଓ ସାର ନଷ୍ଟ କରୁଥିବା ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ଗାଁର ମହିଳା ଓ ୱାର୍ଡ ମେମ୍ବରଙ୍କ ଅଭିଯୋଗ ନେଇ ପ୍ରଦାନ ଅନୁଷ୍ଠାନ କର୍ମଚାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସେମାନେ କ୍ୟାମେରା ସମ୍ମୁଖକୁ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ମାତ୍ର ଏଥିପାଇଁ କୋରାପୁଟ ଆଇଟିଡିଏ ବିଭାଗ ଉପରେ ଦୋଷ ଦେଇଥିଲେ।
ଏ ନେଉ କୋରାପୁଟ ପିଏଆଇଟିଡିଏ ଅଧିକାରୀ କାରୁ ସୁରେନ କହିଛନ୍ତି, ସାର ଓ ବିହନ ବଣ୍ଟନ ଦାୟିତ୍ୱ ପ୍ରଦାନ ଅନୁଷ୍ଠାନକୁ ଦିଆଯାଇଥିଲା। ଏହି ଅନୁଷ୍ଠାନ ଏପିସି ପାଟନର ଭାବରେ କାର୍ଯ୍ୟ କରୁଛି। ସାର ଓ ବିହନ ନଷ୍ଟ ହୋଇଥିବା ସେ ଜାଣିବାକୁ ପାଇଛନ୍ତି। ତେଣୁ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।