ପାଟଣାଗଡ଼(ବଂଶୀଧର ସେଠ):ବୟସର ଅପରାହ୍ଣରେ ସାହାରା ବଦଳରେ ପିଶାଚ ପାଲଟିଲା ପୁଅ। ଯେଉଁ ହାତରେ ବୃଦ୍ଧା ରୋଗୀଣା ମା’ର ସେବା ସୁଶ୍ରୁସା କରିବା କଥା, ସେହି ହାତରେ ଜୀବନ ନେବାକୁ ପଛାଇନି ପୁଅ। ସାମାନ୍ୟ ବଚସାରୁ ଶତ୍ରୁ ପାଲଟିଲା ଜନ୍ମକଲା ପୁଅ। ବାପାଙ୍କୁ ଠେଙ୍ଗାମାଡ଼ ପରେ ରୋଗୀଣା ମା’କୁ ଜୀଅନ୍ତା ପୋଡ଼ି ହତ୍ୟା କରିବାକୁ ପଛାଇଲାନି॥ ଏଭଳି ଜଘନ୍ୟ କାଣ୍ଡ ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ଅଞ୍ଚଳରେ। ହତ୍ୟାକାରୀ ପୁଅକୁ ଗିରଫ କରିଛି ପୁଲିସ । ସେପଟେ ଅଭାବ, ଆର୍ଥିକ ଅନଟନ ଓ ପରିବାରର ବୋଝ ସମ୍ଭାଳି ନପାରି ଅଭିଯୁକ୍ତ ଏଭଳି ନୃଶଂସ କାଣ୍ଡ ଘଟାଇଥିବା ଚର୍ଚ୍ଚା ହେଉଛି।
ବେଲପଡ଼ା ଥାନା ରାଡ଼ବାହାଲ ଗାଁରେ ଶନିବାର ସକାଳେ ଘଟିଛି ଏଭଳି ବୀଭତ୍ସ କାଣ୍ଡ। ଅଭିଯୋଗ ଅନୁସାରେ ରାଡ଼ବାହାଲ ଗାଁର ରୁଷା ସର୍ଖେଲ ଓ ପୁଅ ସନ୍ତୋଷ ସର୍ଖେଲ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ବାପାଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲା ପୁଅ ସନ୍ତୋଷ । ଆଖି ସାମ୍ନାରେ ସ୍ୱାମୀଙ୍କୁ ଆକ୍ରମଣର ପ୍ରତିବାଦ କରିଥିଲେ ରୁଷିଙ୍କ ୭୫ ବର୍ଷିୟା ଶଯ୍ୟାଶାୟୀ ପତ୍ନୀ ଆଶାବତୀ । ଗାଁ ଲୋକଙ୍କୁ ଡାକି କଳି ତୁଟାଇବାକୁ ସ୍ୱାମୀଙ୍କୁ ପରାମର୍ଶ ଦେଇଥିଲେ ଆଶା। ଏପଟେ କ୍ରୋଧରେ ଜର୍ଜରିତ ସନ୍ତୋଷ କିନ୍ତୁ ନୃଶଂସତାର ସବୁ ସୀମା ଟପି ସାରିଥିଲା। ଘରେ ଶୋଇଥିବା ରୋଗୀଣା ମା’ ଉପରେ କିରୋସିନ୍ ଢାଳି ଲଗାଇ ଦେଇଥିଲା ନିଆଁ। ଆଉ ନିମିଷକ ମଧ୍ୟରେ ଯନ୍ତ୍ରଣାରେ ଛଟପଟ ହୋଇ ଜୀଅନ୍ତା ଜଳି ଯାଇଥିଲେ ଆଶାବାତୀ।
ଘଟଣା ସମ୍ପର୍କରେ ସୂଚନା ପାଇ ରାଡବାହାଲ ଗାଁରେ ପହଞ୍ଚିଥିଲା ବେଲପଡ଼ା ପୁଲିସ। ଆଶାବତୀଙ୍କ ଦରପୋଡ଼ା ମୃତଦେହ ଜବତ କରିବା ସହ ଫେରାର ମାରିଥିବା ହତ୍ୟାକାରୀ ସନ୍ତୋଷକୁ କାବୁ କରିଥିଲା ପୁଲିସ।
କୁହାଯାଉଛି ଗତ କିଛି ବର୍ଷ ଧରି ଘରେ ଅନବରତ ପାଗଳାମୀ କରି ଆସୁଥିବା ସନ୍ତୋଷର ମାନସିକ ସ୍ଥିତି ଠିକ୍ ନଥିଲା। ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଘର କି ପରିବାର ଚଳାଇବାକୁ ଅସମର୍ଥ ଥିଲା ସନ୍ତୋଷ । ଏହି କାରଣରୁ ପିଲାପିଲିଙ୍କୁ ଧରି ସନ୍ତୋଷଠୁ ଦୂରେଇ ଯାଇ ହାଇଦ୍ରାବାଦରେ ଇଟାଭାଟି ଶ୍ରମିକ ଭାବେ କାମ କରୁଥିଲେ ପତ୍ନୀ । ଏପଟେ ଆର୍ଥିକ ଅନଟନ ଓ ଘରେ ରୋଗୀଣା ମା’ ଓ ବୃଦ୍ଧ ବାପାଙ୍କ ବୋଝ ତାର ମୁଣ୍ଡ ବିଗାଡ଼ି ଦେଇଥିବାରୁ ଅନେକ ସମୟରେ ହଇରାଣ ହରକତ କରୁଥିବା ସୂଚନା ମିଳିଛି।
ତେବେ ବେସାହାରା ଜୀବନରେ ଆଶାବାଡ଼ି ହେବାର ଆଶା ରଖି ଲହୁ ଲୁହ ପିଇ ପୁଅକୁ ବଡ଼ କରିଥିଲେ ବାପା-ମା’ ହେଲେ। ସେଇ ପୁଅ ସାହାରା ସାଜିବା ବଦଳରେ ହତ୍ୟାକାରୀ ପାଲଟି ଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।