ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ୧୦ ବର୍ଷ ପରେ ମାଟିତଳୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ। ମୃତକ ହେଲେ ଢେଙ୍କାନାଳର ଟାଉନ ଥାନା ଅନ୍ତର୍ଗତ ସୁନ୍ଦରୀଖାଲ ଅଞ୍ଚଳର ଦୋଳଗୋବିନ୍ଦ ବେହେରା। ଛେଳି ଚୋରି ରୋକିବାକୁ ବାଡ଼ରେ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସେ ମରିଯିବା ପରେ ଘଟଣାକୁ ଲୁଚାଇବା ନିମନ୍ତେ ୩ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି।
ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଢେଙ୍କାନାଳ ଟାଉନ ଥାନା ପୁଲିସ। ଦୋଳଗୋବିନ୍ଦଙ୍କୁ ହତ୍ୟା ପରେ ମାଟି ତଳେ ପୋତି ଦେଇଥିବା ଅଭିଯୁକ୍ତମାନେ ସ୍ୱୀକାର କରିଥିବା ଆଜି ପୁଲିସ ସୂଚନା ଦେଇଛି।
ସେପଟେ ଅଭିଯୁକ୍ତଙ୍କ ବୟାନ ରେକର୍ଡ ପରେ ଦୁଇଦିନ ଧରି ଜେସିବି ଦ୍ୱାରା ମାଟି ଖୋଳି କଙ୍କାଳ ବାହାର କରିଛି ପୁଲିସ। ଯୁବକଙ୍କ ଶରୀରର କିଛି ହାଡ଼ ମାଟିତଳୁ ମିଳିବା ପରେ ଟେଷ୍ଟିଂ ପାଇଁ ଲାବକୁ ପଠାଇଛି ପୁଲିସ। ୨୦୧୩ ଜୁଲାଇରୁ ଦୋଳଗୋବିନ୍ଦ ନିଖୋଜ ନେଇ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥିଲେ। ତାଙ୍କ ପତ୍ତା ନ ମିଳିବାରୁ ୨୦୧୪ରେ ପରିବାର ଲୋକେ ହତ୍ୟା ଅଭିଯୋଗ କରିଥିଲେ।
ଏନେଇ ଢେଙ୍କାନାଳ ଏସ୍ଡିପିଓ ସୂର୍ଯ୍ୟମଣୀ ପ୍ରଧାନ କହିଛନ୍ତି, ଅଭିଯୁକ୍ତମାନଙ୍କ ଛେଳି ପ୍ରତ୍ୟେକ ଦିନ ଚୋରି ହେଉଥିଲା। ଦୁର୍ବୃତ୍ତକୁ ଧରିବା ନିମନ୍ତେ ସେମାନେ ଛେଳି ରଖୁଥିବା ସ୍ଥାନର ଚାରିପଟ ବାଡରେ ବିଦ୍ୟୁତ୍ ତାର ବିଛାଇ କରେଣ୍ଟ ଚାର୍ଜ କରିଦେଇଥିଲେ। ଏହି ତାରରେ ପଡ଼ି ଦୋଳଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା। ପରେ ଦୋଳଗୋବିନ୍ଦର ମୃତଦେହକୁ ନଷ୍ଟ କରିବା ନିମନ୍ତେ ନିକଟସ୍ଥ ଏକ ସ୍ଥାନରେ ଗାତ ଖୋଳି ପୋତି ଦେଇଥିଲେ। ଅଭିଯୁକ୍ତମାନେ ଏହା ସ୍ୱୀକାର କରିଛନ୍ତି। ଗାତ ଖୋଳିଥିବା ସ୍ଥାନକୁ ଦେଖାଇବା ପରେ ଏହି ସ୍ଥାନକୁ ଖୋଳି ମୃତ ବ୍ୟକ୍ତିଙ୍କ ହାଡ଼ ବାହାର କରାଯାଇଛି। ଏଥିସହ ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।