ଓଡ଼ିଶା ଫେରିଥିବା ବ୍ୟକ୍ତି ୧୪ ନୁହେଁ ୨୮ଦିନ କ୍ୱାରେଣ୍ଟାଇନରେ ରହିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ ସହ ବ୍ୟାପକ ସରକାରୀ ପଦକ୍ଷେପ ନିଆଯାଇଥିବାବେଳେ ବିଦେଶ ଅବା ଅନ୍ୟ ରାଜ୍ୟରୁ ଆସିଥିବା ବ୍ୟକ୍ତିମାନଙ୍କୁ ମୋଟ ୨୮ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଥଣ୍ଡା, ଜ୍ୱର,କାଶ ଅବା ଅନ୍ୟ କୌଣସି ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଲେ କୌଣସି ପରିସ୍ଥିତିରେ ବି ନିଜେ ଘରୁ ଗୋଡ଼ କାଢ଼ନ୍ତୁ ନାହିଁ। ସରକାରଙ୍କ ଟୋଲ ଫ୍ରି ହେଲପଲାଇନ-୧୦୪କୁ ଫୋନ୍ କରି ପରାମର୍ଶ ନିଅନ୍ତୁ ଓ ଆବଶ୍ୟକ ପଡ଼ିଲେ […]

coronavirus

coronavirus

Manoranjan Sial
  • Published: Thursday, 02 April 2020
  • Updated: 02 April 2020, 07:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ ସହ ବ୍ୟାପକ ସରକାରୀ ପଦକ୍ଷେପ ନିଆଯାଇଥିବାବେଳେ ବିଦେଶ ଅବା ଅନ୍ୟ ରାଜ୍ୟରୁ ଆସିଥିବା ବ୍ୟକ୍ତିମାନଙ୍କୁ ମୋଟ ୨୮ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଥଣ୍ଡା, ଜ୍ୱର,କାଶ ଅବା ଅନ୍ୟ କୌଣସି ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଲେ କୌଣସି ପରିସ୍ଥିତିରେ ବି ନିଜେ ଘରୁ ଗୋଡ଼ କାଢ଼ନ୍ତୁ ନାହିଁ। ସରକାରଙ୍କ ଟୋଲ ଫ୍ରି ହେଲପଲାଇନ-୧୦୪କୁ ଫୋନ୍ କରି ପରାମର୍ଶ ନିଅନ୍ତୁ ଓ ଆବଶ୍ୟକ ପଡ଼ିଲେ ସରକାରଙ୍କ ପକ୍ଷରୁ ଆମ୍ବୁଲାନ୍ସ ପଠାଯାଇ ତାଙ୍କୁ ହସ୍ପିଟାଲ ଅଣାଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

ଆଜି ସାମ୍ବାଦିକ ସମ୍ମିଳନୀରେ ଏନଆରଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ଯେ, ଯେଉଁମାନେ ବିଦେଶରୁ ଅବା ଅନ୍ୟ ରାଜ୍ୟରୁ ଗତ ୧୪ଦିନ ମଧ୍ୟରେ ଫେରିଛନ୍ତି ସେମାନେ ନିଜ ଘରେ କ୍ୱାରେଣ୍ଟାଇନ(ସଙ୍ଗରୋଧ)ରେ ରୁହନ୍ତୁ। ନିଜ ପରିବାର ସଦସ୍ୟଙ୍କଠୁ ଅତିକମରେ ୧ମିଟର ଦୂରତ୍ୱ ବଜାୟ ରଖନ୍ତୁ। ଏହି ୧୪ଦିନ ସରିବା ପରେ ଆଉ ୧୪ଦିନ ସମ୍ପୃକ୍ତ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟର ତଦାରଖ କରିବେ। ଯଦି ସେହି ୧୪ଦିନ ମଧ୍ୟରେ କୌଣସି ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦିଏ ଅବା ଜ୍ୱର, ଥଣ୍ଡା, କାଶ ବା ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦିଏ ତା’ହେଲେ ନିଜେ ଘରୁ ଗୋଡ଼ ନକାଢ଼ି ଟୋଲ୍ ଫ୍ରି ନମ୍ବର-୧୦୪କୁ ଫୋନ୍ କରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ଏହି ଟୋଲ୍ ଫ୍ରି ନମ୍ବର ୨୪ଘଣ୍ଟା ଖୋଲା ଅଛି । ଯଦି ସମ୍ପୃକ୍ତ ବ୍ୟକ୍ତିଙ୍କର ‘କୋଭିଡ୍ -୧୯’ ନମୂନା ପରୀକ୍ଷା କରିବା ଜରୁରୀ ବୋଲି ହେଲପଲାଇନରେ ଥିବା ଡାକ୍ତର ଅନୁଭବ କରିବେ ତା’ହେଲେ ସେହି ବ୍ୟକ୍ତିଙ୍କୁ ହସ୍ପିଟାଲ ଅବା ନମୂନା ପରୀକ୍ଷା କେନ୍ଦ୍ରକୁ ଅଣାଯିବ । ଏଥିପାଇଁ ସରକାର ବା ପ୍ରଶାସନ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ଆମ୍ବୁଲାନ୍ସ ପଠାଇବେ । ଯଦି ‘କୋଭିଡ-୧୯’ ପଜେଟିଭ୍ ଥିବ ତା’ହେଲେ ସେହି ବ୍ୟକ୍ତିଙ୍କୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଅବା ସରକାରୀ ମେଡିକାଲରେ ଥିବା କୋଭିଡ୍ ୱାର୍ଡରେ ରଖାଯାଇ ମାଗଣା ଚିକିତ୍ସା କରାଯିବ। ଆଉ ଯେଉଁ ବ୍ୟକ୍ତିଙ୍କର ନମୂନା ନେଗେଟିଭ୍ ବାହାରିବ ତାଙ୍କୁ ଘରକୁ ପଠାଇ ଦିଆଯିବ। କିନ୍ତୁ ସେହି ବ୍ୟକ୍ତି ଆରମ୍ଭ କରିଥିବା ନିଜର ୧୪ଦିନ କ୍ୱାରେଣ୍ଟାଇନ ଅବଧି ନସରିବା ପର୍ଯ୍ୟନ୍ତ ୧ମିଟର ଦୂରତ୍ୱରେ ରହିବେ। ଯାହାଫଳରେ ସେମାନେ ନିଜର, ପରିବାର ତଥା ଅନ୍ୟମାନଙ୍କ ସୁରକ୍ଷିତ ରଖିପାରିବେ। ସେହିପରି ଅନ୍ୟମାନେ ଲକଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରି ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଶ୍ରୀମତୀ ପଣ୍ଡିତ କହିଛନ୍ତି ।
ସେହିପରି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ,ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ମୋଟ ୯୦୦ଟି ନମୂନା ପରୀକ୍ଷା ପାଇଁ ପଠାଯାଇଛି। ସେଥିରୁ ୫ଟି ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଆଜି ମୋଟ ୮୫ଜଣ କରୋନା ସନ୍ଦିଗ୍ଧଙ୍କୁ ବିଭିନ୍ନ ମେଡିକାଲରେ ଆଇସୋଲେସନରେ ରଖାଯାଇଛି। ଆଜିପର୍ଯ୍ୟନ୍ତ ଅନଲାଇନ୍ ଓ ଟୋଲ ଫ୍ରି ନମ୍ବର ମାଧ୍ୟମରେ ୧୫,୮୯୫ଜଣ ପଞ୍ଜିକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪୩୬୬ ଜଣ ବିଦେଶରୁ ଓ ୧୧,୫୨୯ଜଣ ବାହାର ରାଜ୍ୟରୁ ଆସିଛନ୍ତି। ହଜରତ ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ୨୦ଜଣ ଯାତ୍ରୀଙ୍କ ମଧ୍ୟରୁ ୧୭ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ବୋଲି ଶ୍ରୀ ବାଗଚୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos