ଧର୍ମଗଡ(ଇଙ୍ଗିତ ପଣ୍ଡା):କାହା ପାଇଁ କରୋନା ମହାମାରୀ ପୁଣି କାହାପାଇଁ ପାଲଟିଛି ସମ୍ପର୍କର ସେତୁବନ୍ଧ। କେତେ ସମ୍ପର୍କକୁ ଭାଙ୍ଗିଥିବା କରୋନା କାହା ପାଇଁ ବରଦାନ ହୋଇଛି। ପ୍ରେମ କରି ପରିବାର ଭୟରେ ଘର ଛାଡ଼ିଥିବା ଦୁଇପ୍ରେମପକ୍ଷୀ ନିଜ ଗାଁକୁ ଫେରିଥିବା ବେଳେ ସାତଜନମର ସାଥୀ ହୋଇପାରିଛନ୍ତି। ଆଉ ସଙ୍ଗରୋଧ କେନ୍ଦ୍ରରେ ପଡ଼ିଛି ହାତଗଣ୍ଠି। ପ୍ରେମୀ ଯୁଗଳରୁ ପତିପତ୍ନୀର ମାନ୍ୟତା ପାଇଛନ୍ତି ରାଜାରାମ ଠାକୁର ଓ ଦୁତୀଆ ହରିଜନ ।
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଂଜିବାହାଲ ଗାଁର ଉଭୟଙ୍କ ଘର । ଗାଁରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। ହେଲେ ପ୍ରେମକୁ ପରିବାରର ସ୍ୱୀକୃତି ନମିଳିବାରୁ ଉଭେୟ ୨୦୧୯ରେ ଲୁଚି ଘର ଛାଡ଼ି ପଳାଇଯାଇଥିଲେ। ବାଙ୍ଗାଲୋର ଯାଇ ରାଜାରାମ ଏକ ଗାର୍ମେଣ୍ଟ କମ୍ପାନୀରେ ଦୈନିକ ଶ୍ରମିକ ଭାବେ କାମକରି ପେଟପାଟଣା କରି ଚଳିଲେ । ସାଥୀରେ ପ୍ରେମିକା ବି ଥିଲେ। ଏହା ଭିତରେ କରୋନା ସଂକ୍ରମଣ ପାଇଁ ଲକଡାଉନ ଘୋଷଣା ହେଲା । ଯିଏ ଯେଉଁଠି ବି ଦାଦନ ଖଟୁଥିଲେ ନିଜ ଭିଟାମାଟି କୁ ଫେରିବାକୁ ତତ୍ପର ହେଲେ ।
ଅନ୍ୟ ପ୍ରବାସୀ ଶ୍ରମିକଙ୍କ ଭଳି ରାଜାରାମ ଠାକୁର ଓ ଦୁତୀଆ ମଧ୍ୟ ଗାଁକୁ ଫେରିଲେ। ସୁରକ୍ଷା ଦୃଷ୍ଟିରୁ ଉଭେୟ ସଂଗରୋଧ ରେ ୧୪ ଦିନ ରଖିଲେ । କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ହାଇସ୍କୁଲରେ ଅସ୍ଥାୟୀ ସଂଗରୋଧ ଶିବିର ଉଭୟଙ୍କୁ ରଖାଯାଇଥିଲା। ଏହା ଭିତରେ ସଂଗରୋଧ ଶିବିର ଛାଡିବା ପୂର୍ବରୁ ଦୁହେଁ ଜୀବନସାଥୀ ହେବାକୁ ନିଷ୍ପତ୍ତି ନେଇଥିଲେ। ଆଉ ପ୍ରେମ ବିବାହ କରିବାକୁ ନିଜ ପରିବାରକୁ କହିଲେ ।
ସ୍ଥାନୀୟ କାଉଡୋଳା ସରପଞ୍ଚ ଜମ୍ବୁବତୀ ସାହୁଙ୍କୁ ଏନେଇ ପ୍ରସ୍ତାବ ଦେଇଥିଲେ । ସରପଞ୍ଚ ଦୁଇ ପରିବାର ଙ୍କ ସହ ଆଲୋଚନା କରି ସ୍ଥାନୀୟ ବ୍ଲକ ପ୍ରଶାସନର ଅନୁମତି ନେଇ ବାବାହ କାର୍ଯ୍ୟରେ ସହାୟତା କରିଥିଲେ। ସରପଞ୍ଚ , ଅନ୍ୟ ଅତିଥି ଓ ସଂଗରୋଧ କେନ୍ଦ୍ରରେ ରହିଥିବା ପ୍ରବାସୀଙ୍କ ଉପସ୍ଥିତିରେ ନବ ଦମ୍ପତିଙ୍କ ହାତଗଣ୍ଠି ପଡ଼ିଥିଲା। ଉଭୟଙ୍କ ଭଲ ପାଇବାକୁ ସାମାଜିକ ସ୍ୱୀକୃତି ଦେଇଥିବାରୁ ପ୍ରଶାସନ ସରପଞ୍ଚଙ୍କୁ କୃତଜ୍ଞତା ଦେଇଥିଲେ ଉଭୟେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।