ହତାଶ ପ୍ରେମିକର ଏସିଡ୍‌ ମାଡ଼, ଯୁବତୀ ଗୁରୁତର

ଧର୍ମଗଡ଼(ଓଡ଼ିଶା ରିପୋର୍ଟର): ଏକତରଫା ପ୍ରେମ ନିବେଦନ କରି ବିଫଳ ହେଲା ପ୍ରେମିକ। ଯେଉଁ ଝିଅ ଦିନେ ତାକୁ ଭାରି ଭଲ ଲାଗୁଥିଲା ଆଜି ତା’ ମୁହଁରେ ଫିଙ୍ଗିଛି ଏସିଡ୍‌। ମୋର ନୁହଁ ତ କାହାର ନୁହଁ। ଆଉ ଏହି ପ୍ରତିଶୋଧ ପରାୟଣାତା ହିଁ ତାଙ୍କୁ ହିଂସ୍ର କରି ଏଭଳି କାଣ୍ଡ ଘଟାଇଛି। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା କମଲପୁର ଥାନା ଅନ୍ତର୍ଗତ ଖଣ୍ଡିଗଙ୍ଗରିଗୁଡ଼ା ଗାଁର। ଏହି ଗାଁର ଜଣେ ଗ୍ରାଜୁଏଟ୍‌ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ ପରଶୁରାମ। ବାରମ୍ୱାର ବାରମ୍ୱାର ପ୍ରେମ ନିବେଦନ କରିଥିଲା। ଏମିତିକି ବାହା ହୋଇ ଘରକୁ ନେବ ବୋଲି ଦେଇଥିଲା ପ୍ରତିଶ୍ରୁତି। ହେଲେ କଲେଜ ପଢ଼ୁଆ ଝିଅଟି ତା’ କଥାରେ ରାଜି ହୋଇନଥିଲା। ‘ମୁଁ ପାଠ ପଢ଼ୁଛି, ତୁମେ ତୁମ ଜାତିର ଭଲ ଝିଅ ଦେଖି ବାହା ହୋଇଯାଅ। ମୋ ପିଛରେ ଲାଗନି।’ ଏହି କଥା ଶୁଣି ପରଶୁରାମର ମୁଣ୍ଡ ବିଗିଡ଼ି ଯାଇଥିଲା। ପ୍ରତିଶୋଧ ନେବ ବୋଲି ମନେମନେ ଶପଥ କରିଥିଲା।

ଖଣ୍ଡିଗଙ୍ଗରିଗୁଡ଼ା ଗାଁର ଯୁବତୀ ଜଣକ ଆଜି କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିବା ପାଇଁ କଲମପୁର ଆସୁଥିଲେ। ବଙ୍କାପଲା ଗ୍ରାମ ଛକରେ ପୂର୍ବରୁ ଛପି ରହିଥିବା ପରଶୁରାମ ତାଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଏସିଡ୍‌ରେ ଗୁରୁତର ଆହତ ହୋଇ ଚିତ୍କାର କରୁଥିବା ବେଳେ ପରଶୁରାମ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଯୁବତୀଙ୍କୁ ତାଙ୍କୁ ଉଦ୍ଧାର କରି କଲମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।