ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ପାଣିରେ ପଡିଲା ୮୦ ଲକ୍ଷ। ପୁଣିଥରେ ଖର୍ଚ୍ଚ ହେବ ପ୍ରାୟ ଦେଢ଼ କୋଟି! କାରଣ ଶ୍ରୀମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାଗୁଡ଼ିକ ଅଚଳ ହୋଇଯାଇଛି। ତେଣୁ ଏବେ ସବୁ ପୁରୁଣା କ୍ୟାମେରାକୁ ପରିବର୍ତ୍ତନ କରି ପୁଣିଥରେ ନୂଆ ଓୟାରଲେସ୍ କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ହାଇ ରିଜୋଲ୍ୟୁସନ କ୍ୟାମେରା ସାଙ୍ଗକୁ ୨ ମାସର ମେମୋରୀ ବ୍ୟାକ୍ ଅଫ୍ ଭଳି ହାଇ କ୍ୱାଲିଟିର କ୍ୟାମେରା ଜଗିବ ଶ୍ରୀମନ୍ଦିର। ଯେମିତି କି କ୍ୟାମେରା ସମ୍ମୁଖରୁ କେହି ବି ଖସି ଯାଇ ପାରିବେ ନାହିଁ। ଆଉ ଏସବୁର ମନିଟର କରିବା ପାଇଁ ସବୁ କ୍ୟାମେରାକୁ ସର୍ଭର ସହ ଯୋଡ଼ାଯିବ। ଯାହା ଉପରେ ପ୍ରଶାସନର ତୀକ୍ଷ୍ଣ ଦୃଷ୍ଟି ରହିବ। ପୂର୍ବରୁ ମାତ୍ର ୯୧ଟି ସ୍ଥାନରେ ସିସିଟିଭି ଲାଗିଥିବା ବେଳେ ଏବେ ୧୩୫ଟି ନୂଆ ନୂଆ ସ୍ଥାନରେ ଲାଗିବ କ୍ୟାମେରା। ଖାସ୍ କରି ଯେଉଁ ରୋଷ ଘରକୁ ନେଇ ଏତେ ସବୁ ଡ୍ରାମା ସେଠାରେ ପ୍ରଶାସନ ପକ୍ଷରୁ ୪ଟି କ୍ୟାମେରା ଲାଗିବ। ରୋଷଘର ଭିତରକୁ କିଏ ଗଲା ଓ କିଏ ଆସିଲା ସବୁ କିଛି ଉପରେ କଡ଼ା ନଜର ରଖିବ, ବାହାରେ ଲାଗିଥିବା ୪ଟି ସିସିଟିଭି।
ଏଠାରେ ସୂଚନା ଦେବାକୁ ଚାହିଁବୁ, ପୁରୀ ଶ୍ରୀମନ୍ଦିରରେ ପ୍ରାୟ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ୯୧ଟି ସିସିଟିଭି ଲଗାଯାଇଥିଲା। କିନ୍ତୁ ଜଣେ ସେବାୟତଙ୍କ କହିବାନୁଯାୟୀ ଏଥିରୁ ପ୍ରାୟ ୮୦ଟି ଅଚଳ ହୋଇଯାଇଛି। କେବେଠାରୁ ଅଚଳ ଯଦିଓ ଜଣା ନାହିଁ। କିନ୍ତୁ ଚୁଲି ଭାଙ୍ଗିବା ପରେ, ଏହି ସତ୍ୟ ସାମ୍ନାକୁ ଆସିଲା। ମହାପ୍ରଭୁଙ୍କ ସୁରକ୍ଷା ବି କାମଚଳାରେ ଚାଲିଥିଲା ବୋଲି ଜଣା ପଡ଼ିଲା। ଏହାକୁ ନେଇ ସବୁ ଆଡୁ ନିନ୍ଦିତ ହେବା ପରେ ତତ୍ପର ହୋଇ ଉଠିଛି ପ୍ରଶାସନ।
ଜଣେ ଭକ୍ତକୁ ଭଲ ଲାଗିଲାନି ବୋଲି ସେ ରୋଷଘର ଚୁଲି ଭାଙ୍ଗି ଦେଲା। ସେ ପୁଣି ୪୦ଟିରୁ ଅଧିକ। ଯେତିକି ଗର୍ବର ସହ ଗଣମାଧ୍ୟମକୁ ଏହି ବାୟାନ ଦେଇଛି ଦୁର୍ବୃତ୍ତ କଥାକୁ ସେତିକି ହାସ୍ୟାସ୍ପଦ କରି ଦେଇଛନ୍ତି ରାଜ୍ୟ ସରକାର। ଘଟଣାକୁ ଗୁରୁତର ସହ ନେଇ ଏହାର ଯାଂଚ କରିବାକୁ ତତ୍ କ୍ଷଣାତ୍ ପୁରୀରେ ପହଁଚି ଗଲେ ଡଜିପି ଓ ମୁଖ୍ୟ ଶାସନ ସଚିବ। କିନ୍ତୁ ଚୁଲି ଭାଙ୍ଗିବା ନେଇ ପଦେ ବି ସଠିକ୍ ତଥ୍ୟ ଦେଇ ପାରିଲେ ନାହିଁ। ସେହି ମୁହୂର୍ତ୍ତରୁ ହିଁ ଜଣା ପଡ଼ିଗଲା, ମନ୍ଦିର ସୁରକ୍ଷା ଓ ସମ୍ମାନ ନେଇ ରାଜ୍ୟ ସରକାର ବାସ୍ତାବରେ କେତେ ସଜାଗ?
ମନ୍ଦିର ବନ୍ଦ ହେବାର ୨ ଘଣ୍ଟା ପର୍ଯ୍ୟନ୍ତ ଜଣେ ସାଧାରଣ ଶ୍ରଦ୍ଧାଳୁ ମନ୍ଦିର ଭିତରେ ରହିବା ନେଇ ଜଗନ୍ନାଥ ଟେମ୍ପୁଲ ପୁଲିସ ଉପରେ ଅଙ୍ଗୁଳି ଉଠିଲା। କେମିତି ପୁଲିସ ଜାଣି ପାରିଲା ନାହିଁ ବୋଲି ସମସ୍ତେ ପ୍ରଶ୍ନ ଉଠାଇଲେ। ତେଣୁ ଏହାର ଉତ୍ତର ମଧ୍ୟ ବେଶ ଚତୁରତାର ସହ ଦିଆଯାଇଛି। ମନ୍ଦିରରେ ମ୍ୟାନ ପାୱାର କମ୍ ଅଛନ୍ତି। ଅର୍ଥାତ୍ ଆବଶ୍ୟକତା ଅନୁଯାୟୀ ମନ୍ଦିରରେ ଜେଟିପିଙ୍କ ସଂଖ୍ୟା କମ୍ ରହିଛି। ତେଣୁ ଅଧିକ ପୁଲିସଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ପୁରୀ ଜିଲ୍ଲାପାଳ। ଚୋର ଗଲା ପରେ ବୁଦ୍ଧି ପଶିଲା ଭଳି ଚୁଲି ଭାଙ୍ଗିବା ପରେ ଜିଲ୍ଲା ପ୍ରଶାସନର ମ୍ୟାନ ପାୱାର କଥା ମନେ ପଡ଼ିଲା।
ଏଠାରେ ପ୍ରଶ୍ନ ଉଠୁଛି, ଏତେ ଦିନ ଯାଏଁ କାହିଁକି ଚୁପ ହୋଇ ବସିଥିଲେ ଜିଲ୍ଲାପାଳ? କେଉଁ ଅଘଟଣକୁ ଅପେକ୍ଷା କରି ସୁଯୋଗକୁ ଚାହିଁ ବସିଥିଲେ? ସାଢ଼େ ୪ କୋଟି ଓଡ଼ିଆଙ୍କ ଅରାଧ୍ୟ ଦେବତାଙ୍କୁ ସୁରକ୍ଷା ଦେବାକୁ ସରକାରଙ୍କ ପାଖରେ ଲୋକ ଅଭାବ ପଡ଼ିଲା? ରାଜ୍ୟର ମୁଖିଆଙ୍କୁ ଜଗିବେ ମେଞ୍ଚେ ପୁଲିସ। କିନ୍ତୁ ମଣିମାଙ୍କ ସୁରକ୍ଷା ପାଇଁ କେଞ୍ଚେ? ଏ କେଉଁ ପ୍ରକାର ଭକ୍ତି ଭାବ?
ଏବେ ଜିଲ୍ଲାପାଳ କହୁଛନ୍ତି ଏଣିକି ମନ୍ଦିରରେ ରାତ୍ର ପହଡ଼ ସମୟରେ ଉଭୟ ଜିଲ୍ଲା ପୁଲିସ ଓ ଜେଟିପି ମିଳିତ ଭାବେ ଉପସ୍ଥିତ ରହି ମନ୍ଦିର ପରିସର ଫାଙ୍କା କରିବେ। ମନ୍ଦିର ଶୋଧ ସଠିକ୍ ଭାବେ କରାଗଲା କି ନାହିଁ ତଦାରଖ କରିବେ। ଯଦି ପ୍ରଶାସନ ପାଖରେ ମ୍ୟାନ ପାୱାର ନଥିଲା, ତାହାଲେ ପୂର୍ବରୁ କାହିଁ ଏହି ପଦକ୍ଷେପ ନିଆଯାଇ ନଥିଲା ? ଶ୍ରୀମନ୍ଦିରକୁ ନେଇ କାହିଁକି ଏତେ ଖାମଖିଆଲି ମନୋଭାବ ଆପଣାଇଥିଲେ ଉଭୟ ଜିଲ୍ଲା ପ୍ରଶସନ ଓ ଶ୍ରୀମନ୍ଦିର ପ୍ରାଶାସନ?
ଚୁଲି ଭାଙ୍ଗିବା ରାତିରେ ଉପସ୍ଥିତ ଥିବା ମନ୍ଦିର ପୁଲିସ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି। ଯେଉଁମାନେ ରାତିରେ ମନ୍ଦିର ଜଗିଥିଲେ, ପୁଲିସ ରାଙ୍କ ଅନୁଯାୟୀ ସେମାନେ ବେଶ ତଳିଆ କର୍ମଚାରୀ। ଯେଉଁମାନଙ୍କ ଉପରେ ସବୁ ଦୋଷ ଲଦି ଦେଇ ଝାଡ଼ିଝୁଡ଼ି ହେବାକୁ ପ୍ରୟାସ କରୁଛି ପ୍ରାଶାସନ। ହୁଏତ ଗଣମାଧ୍ୟମ ଓ ଭକ୍ତଙ୍କ ମୁହଁ ଚୁପ୍ କରିବା ପାଇଁ ସେମାନଙ୍କୁ କିଛି ଦିନ ନିଲମ୍ବିତ କରାଯାଇ ପାରେ। କିନ୍ତୁ ବାସ୍ତବରେ, କ’ଣ ସବୁ ଭୁଲ ଏହି ଛୋଟ କର୍ମଚାରୀଙ୍କର? ଯେଉଁ ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ, ସାରା ବିଶ୍ୱରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ତା ପାଇଁ କ’ଣ ଏହି ୩/୪ ଜଣ ପୁଲିସ କର୍ମଚାରୀ ହିଁ ଦାୟୀ? ମହାପ୍ରଭୁଙ୍କୁ ଢାଲ କରି ସବୁ କଥାରେ ବାହାବା ଲୁଟିବ ମନ୍ଦିର ପ୍ରଶାସନ, ବଡ଼ିମା ଗାଇବେ ଆଇନ ମନ୍ତ୍ରୀ, ପ୍ରଶଂସା ସାଉଁଟିବେ ରାଜ୍ୟ ସରକାର! କିନ୍ତୁ ଏତେ ବଡ଼ ଅଘଟଣ ପାଇଁ ଦୋଷ ମୁଣ୍ଡାଇବେ ସ୍ୱଳ୍ପ ବେତନଭୋଗୀ ପୁଲିସ କର୍ମଚାରୀ!