ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ଶତ୍ରୁ ଦେଶରେ ବିତିଗଲା ଯୌବନ । ପାକିସ୍ତାନ ଲାହୋର୍ ଜେଲର କାଳ କୋଠରୀରେ ସହିବାକୁ ପଡ଼ିଲା ଅକଥନୀୟ ଯାତନା । ହେଲେ ୨୦ ବର୍ଷର ବନ୍ଦୀ ଜୀବନରୁ ମୁକ୍ତି ପରେ ଏବେ ଭିଟାମାଟିକୁ ଫେରୁଛନ୍ତି ଓଡ଼ିଆ ପୁଅ ବିରଜୁ କୁଲୁ । ହୁଏତ ମନ ଭିତରେ ଖୁସି ଆଉ ଉତ୍କଣ୍ଠା ଥାଇପାରେ, କିନ୍ତୁ ବୟସର ଅପରାହ୍ନରେ ଆଜି ବିରଜୁ ଉପନୀତ। ପାକିସ୍ତାନରୁ ଭାରତ ଆସିଥିବା ବିରଜଙ୍କୁ ଆଜି ଅମ୍ରିତସରରୁ ସ୍ୱତନ୍ତ୍ର ଗାଡ଼ିରେ ଧରି ବାହାରିଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ। ଦିନେ/ଦୁଇ ଦିନ ଭିତରେ ବିରଜୁ ପହଞ୍ଚିଯିବେ ଜନ୍ମମାଟି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ କଟଙ୍ଗ ଗାଁରେ। ଆଉ ଏଥିପାଇଁ ଅପେକ୍ଷାରତ ସମ୍ପର୍କୀୟ ଏବଂ ଗାଁ ଲୋକେ ।
କଟଙ୍ଗ ଗାଁରେ ବିରଜଙ୍କୁ ସମ୍ପର୍କୀୟ କହିଲେ ତାଙ୍କର ବୟସ୍କ ଦାଦା, ଖୁଡି ଆଉ ସେମାନଙ୍କ ପୁଅ ଝିଅ । ଏକମାତ୍ର ପୁଅ ବିରଜୁ ନିଖୋଜ ହୋଇଯିବା ପରେ ଝୁରି ଝୁରି ଆଜିକୁ ପ୍ରାୟ ୧୨ ବର୍ଷ ତଳେ ଆରପାରିକୁ ଚାଲିଗଲେ ବାପା, ମା । ଗୋଟିଏ ବୋଲି ଭଉଣୀ ବାହା ସାହା ହୋଇ ସଂସାର କରୁଛନ୍ତି। ଅବଶ୍ୟ ବିରଜୁଙ୍କ ପିତୃ ଅର୍ଜିତ ଘରଦ୍ୱାର ଅଛି, ଜମିବାଡ଼ି ବି ଅଛି। ତେବେ ବିରଜୁ ଗାଁରେ ରହିଲେ, ତାଙ୍କ ସାମାଜିକ ସୁରକ୍ଷା ଦାୟିତ୍ୱ ନେବ କିଏ, ଏ ଅବସ୍ଥାରେ ବଳକା ଆୟୁଷକୁ କେମିତି କାଟିବେ ବିରଜୁ? ତାକୁ ନେଇ ନାନା ଆଶଙ୍କା ଉପୁଜିଛି ।
ଆଜିକୁ ପ୍ରାୟ ୨୫ ବର୍ଷ ତଳେ ମାନସିକ ଭାରସାମ୍ୟ ହରାଇ ନିଖୋଜ ହୋଇଯାଇଥିଲେ ବିରଜୁ। ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ବି କୌଣସି ପତ୍ତା ପାଇନଥିଲେ । ଖୋଜ୍ ଖବର ନମିଳିବାରୁ କ୍ରମେ ବିରଜୁଙ୍କୁ ଭୁଲିବାକୁ ବି ବସିଥିଲେ ସମସ୍ତେ । ଶେଷରେ ଗତବର୍ଷ ଦିଲ୍ଲୀସ୍ଥିତ ଆବାସିକ କମିଶନର ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ବିରଜୁଙ୍କ ସମ୍ପର୍କରେ ଜଣାଇଥିଲେ। ବାଟବଣା ହୋଇ ପାକିସ୍ତାନକୁ ଚାଲିଯାଇଥିବା ବିରଜୁ । ଲାହୋର୍ ଜେଲରେ ବନ୍ଦୀ ଥିବା ଖବର ଦେଇଥିଲେ । ଏହାପରେ ବିରଜୁଙ୍କ ସମ୍ପର୍କରେ ତଥ୍ୟ ପ୍ରମାଣ ଯୋଗାଡ଼ ସହ ଆରମ୍ଭ ହୋଇଥିଲା ଉଦ୍ଧାର ପ୍ରକ୍ରିୟା। ଆଉ ୨୫ ବର୍ଷ ପରେ ଅର୍ଥାତ ଗତ ୨୬ ତାରିଖରେ ଭାରତକୁ ଫେରାଇ ଅଣାଯିବା ସହ ଅମ୍ରିତସରରେ କ୍ୱାରେଣ୍ଟିନରେ ବିରଜୁଙ୍କୁ ରଖାଯାଇଥିଲା। ସେଠାରୁ ଫେରିବା ପରେ ସବୁ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।