୨୦୧୮ରୁ ଓଡ଼ିଆ ସ୍କୁଲ ବନ୍ଦ, ୨୦୨୨ରେ ସରକାରଙ୍କ ମନେ ପଡ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷା ପ୍ରତି ସରକାରଙ୍କ ଦରଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ପଡ଼ୋଶୀ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ରହୁଥିବା ଓଡ଼ିଆ ପିଲାମାନଙ୍କ ପାଇଁ ସେଠାରେ ଥିବା ଓଡ଼ିଆ ମିଡିୟମ ସ୍କୁଲଗୁଡ଼ିକର ଅବସ୍ଥା ଓ ଓଡ଼ିଆ ଭାଷାର ପ୍ରଚାରପ୍ରସାର ନିମନ୍ତେ ରାଜ୍ୟ ସରକାରଙ୍କ ଆନ୍ତରିକତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ଓଡ଼ିଆ ମିଡିୟମ ସ୍କୁଲ ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଉଦାସୀନତା […]

Lokaseba Bhaban

Ordigital Desk
  • Published: Monday, 13 June 2022
  • , Updated: 13 June 2022, 08:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷା ପ୍ରତି ସରକାରଙ୍କ ଦରଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ପଡ଼ୋଶୀ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ରହୁଥିବା ଓଡ଼ିଆ ପିଲାମାନଙ୍କ ପାଇଁ ସେଠାରେ ଥିବା ଓଡ଼ିଆ ମିଡିୟମ ସ୍କୁଲଗୁଡ଼ିକର ଅବସ୍ଥା ଓ ଓଡ଼ିଆ ଭାଷାର ପ୍ରଚାରପ୍ରସାର ନିମନ୍ତେ ରାଜ୍ୟ ସରକାରଙ୍କ ଆନ୍ତରିକତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ଓଡ଼ିଆ ମିଡିୟମ ସ୍କୁଲ ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁ ସେସବୁ ବନ୍ଦ ହେବାକୁ ବସିଲାଣି । ଶିକ୍ଷକଙ୍କ ଅବସର ଯୋଗୁ ୨୦୧୮ ମସିହାରୁ ବନ୍ଦ ହୋଇଥିବା ଓଡ଼ିଆ ସ୍କୁଲକୁ ପୁଣିଥରେ ଖୋଲିବା ପାଇଁ ପ୍ରାୟ ୪ବର୍ଷ ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି ।

ମିଳିଥିବା ସୂଚନା ଅନୁସାରେ, ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ରହୁଥିବା ଓଡ଼ିଆ ଭାଷାଭାଷୀ ପିଲାଙ୍କ ନିମନ୍ତେ ଓଡ଼ିଆ ମିଡିୟମ ସ୍କୁଲ ରହିଛି । କିନ୍ତୁ ଏହି ସ୍କୁଲଗୁଡ଼ିକରେ ପାଠପଢ଼ା ଉପରେ ରାଜ୍ୟ ସରକାର ଦୃଷ୍ଟି ଦେଉନଥିବା ଯୋଗୁ ପଡ଼ୋଶୀ ଜିଲ୍ଲାରେ ଥିବା ସ୍କୁଲ ବନ୍ଦ ହେବାକୁ ବସିଲାଣି । ବର୍ଦ୍ଧମାନ ଜିଲ୍ଲାର କୁଲଟି ଠାରେ ଗଙ୍ଗାଧର ମେହେର ୟୁପି ସ୍କୁଲରେ ଦୁଇଜଣ ଶିକ୍ଷକ ଅବସର ନେଇ ସାରିଥିବାରୁ ସମ୍ପୃକ୍ତ ସ୍କୁଲ ୨୦୧୮ ମସିହାରୁ ବନ୍ଦ ହୋଇ ସାରିଲାଣି । ରାଜ୍ୟ ସରକାରଙ୍କ ତତ୍ପରତା ଅଭାବରୁ ସେହି ସ୍କୁଲରେ ନୂଆ ଶିକ୍ଷକଙ୍କ ନିଯୁକ୍ତି ଏପର୍ଯ୍ୟନ୍ତ ସମ୍ଭବପର ହୋଇପାରିନି । ସ୍କୁଲ ପରିଚାଳନା କମିଟି ମଧ୍ୟ ସରକାରଙ୍କ ଉଦାସୀନତା ଯୋଗୁ ବାଧ୍ୟ ହୋଇ ଚୁପ୍ ବସିଛି ।

ଏହି ସ୍କୁଲ ବନ୍ଦ ହେବାର ପ୍ରାୟ ୪ବର୍ଷ ପରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜଳେଶ୍ୱର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇ ଏହି ସ୍କୁଲ ଖୋଲିବା ଓ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଆବଶ୍ୟକ ସର୍ତ୍ତାବଳୀ ସଂକ୍ରାନ୍ତରେ ନିଜର ମତାମତ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଓଡ଼ିଆ ମିଡିୟମ ସ୍କୁଲ ଉପରେ ନିର୍ଭର କରି ଓଡ଼ିଆ ପାଠ ପଢ଼ୁଥିବା ପିଲାମାନେ ଗତ ୪ବର୍ଷ ମଧ୍ୟରେ କିଭଳି ଅବସ୍ଥାରେ ଅଛନ୍ତି ଓ ସେମାନଙ୍କ ପାଠପଢ଼ା କେଉଁ ଭାଷାରେ ଚାଲିଛି ସେ ନେଇ ସରକାରୀସ୍ତରରେ ସାମାନ୍ୟତମ ଚିନ୍ତା ବ୍ୟକ୍ତ କରାନଯିବା ପରିତାପର ବିଷୟ । ରାଜ୍ୟ ସରକାରଙ୍କ ଏଭଳି ଉପର ଠାଉଣିଆ ନୀତି ଯୋଗୁ ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ଓଡ଼ିଆ ଭାଷା ପ୍ରତି ଓଡ଼ିଆ ଲୋକମାନେ ମୁହଁ ଫେରାଇ ନେବାରେ ଲାଗିଥିବା ଜଣାପଡ଼ିଛି ।

Related story