ଚମ୍ପୁଆ(ଦୀପକ କୁମାର ଶତପଥୀ ): ସଂସାର ଛାରଖାର କରିଦେଲା ସାମାନ୍ୟ କଳହ। ପତିପତ୍ନୀ କଳହରୁ ଉତ୍ତ୍ୟକ୍ତ ହୋଇଥିବା ସ୍ୱାମୀ ସ୍ତ୍ରୀକୁ ହତ୍ୟା କରି ବିଲ ମଝିରେ ପୋତି ଦେଇଥିଲା। ପୁଲିସ୍ ଘଟଣାର ତନାଘନା କରିବାରୁ ପତ୍ନୀକୁ ମାରିଥିବା ସ୍ୱୀକାର କଲା ସ୍ୱାମୀ। ଏହାପରେ ପୁଲିସ୍ ହତ୍ୟାକାଣ୍ଡର ୭ ଦିନ ପରେ ମାଟି ଖୋଳି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପରି ଘଟଣା କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା, ଭାଗଲପୁର ମୁଣ୍ଡା ସାହିରେ ଘଟିଛି। ମୃତା ମହିଳାଜଣକ ହେଲେ ଭାଗଲପୁର ମୁଣ୍ଡା ସାହିର ରାମ ସିଂ ମୁଣ୍ଡାଙ୍କ ଦ୍ଵିତୀୟ ପତ୍ନୀ ବୁଧୁନି ମୁଣ୍ଡା ।
ରାମ ସିଂ ମୁଣ୍ଡାଙ୍କ ପ୍ରଥମ ପତ୍ନୀଙ୍କର ୪ ବର୍ଷ ତଳେ ମୃତ୍ୟୁ ହୋଇଥିବା ବେଳେ ସେ ଝାଡ଼ଖଣ୍ଡ, ଜଗନ୍ନାଥପୁର ଅଞ୍ଚଳର ଲଖନ୍ ହିସାଙ୍କ ଝିଅ ବୁଧୁନିକୁ ବିବାହ କରିଥିଲେ । ମାତ୍ର ରାମ ସିଂ ମୁଣ୍ଡା ବିଭିନ୍ନ ସମୟରେ ସ୍ତ୍ରୀ ବୁଧୁନିକୁ ମାଡ଼ପିଟ କରୁଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି ।
ଗତ ଗୁରୁବାର ଘରଠାରୁ ଅଳ୍ପ ଦୂରରେ ଥିବା ଏକ ପଣସ ଗଛରେ ରଶି ଲଗାଇ ବୁଧୁନି ଆତ୍ମହତ୍ୟା କରିଥିବା ନେଇ ରାମ ସିଂ ଫୋନ ଯୋଗେ ୱାର୍ଡ ମେମ୍ବରଙ୍କୁ ଜଣାଇଥିଲେ। ଏହାପରେ ପୁଲିସ୍କୁ କିମ୍ବା ବୁଧୁନିଙ୍କ ବାପଘର ଲୋକଙ୍କୁ ସୂଚନା ନ ଦେଇ ସେ ମୃତଦେହକୁ ପୋତି ଦେଇଥିଲେ।
ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କଠାରୁ ବାପ ଘର ଲୋକେ ଜାଣିବାକୁ ପାଇବା ପରେ ବୁଧୁନିଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଗତକାଲି ବୁଧୁନିଙ୍କ କକା ସୁରେଶ ହିସା ଯୋଡ଼ା ଥାନାରେ ହତ୍ୟା ଅଭିଯୋଗ କରିଥିଲେ ।
ଏହାପରେ ପୁଲିସ୍ ଘଟଣାକୁ ଗୁରୁତ୍ଵ ଦେଇ ତଦନ୍ତ ଆରମ୍ଭ କରିବା ସହ ସ୍ୱାମୀ ରାମ ସିଂ ମୁଣ୍ଡାକୁ ଅଟକ ରଖି ପଚରାଉଚରା କରିଥିଲା । ପୁଲିସ୍ ଜେରା ବେଳେ ସବୁ ସତ ମାନି ଯାଇଥିଲା ରାମ ସିଂ । ଏହାପରେ ପୁଲିସ୍ ରାମ ସିଂଙ୍କୁ ଧରି ଘଟଣାସ୍ଥଳକୁ ଯାଇ ମାଟି ଖୋଲି ଶବ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ କହିଛି । ରାମ ସିଂକୁ ଅଟକ ରଖି ପୁଲିସ୍ ଅଧିକ ତନାଘନା ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।