ସାମ୍ବାଦିକଙ୍କୁ ସ୍କୁଲ ମନା ନିଷ୍ପତ୍ତିକୁ ତୀବ୍ର ବିରୋଧ, ରାଜ୍ୟପାଳଙ୍କୁ ସ୍ମାରକପତ୍ର

ବାଲିଗୁଡ଼ା(ଅଜିତ ନାୟକ): ସ୍କୁଲ ପରିସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ସରକାର ଲଗାଇଥିବା କଟକଣାକୁ ବିଭିନ୍ନ ମହଲରେ ବିରୋଧ ଜାରି ରହିଛି। ଯେଉଁ ସାମ୍ବାଦିକ ବିନା ଅନୁମତିରେ ସ୍କୁଲକୁ ପ୍ରବେଶ କରିବେ ସେମାନଙ୍କ ନାଁରେ ଥାନାରେ ଏତଲା ଦିଆଯିବ ବୋଲି ସରକାରୀ ସ୍ତରରେ ଜାରି ହୋଇଥିବା ବିଜ୍ଞପ୍ତିକୁ ସାରା ରାଜ୍ୟରେ ବିରୋଧ କରାଯାଉଛି। ଏହିକ୍ରମରେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ତୀବ୍ର ବିରୋଧ କରିଛନ୍ତି ବାଲିଗୁଡା ପ୍ରେସ କ୍ଲବର ସଦସ୍ୟ। ତୁରନ୍ତ ଏପରି […]

baliguda

Hemant Lenka
  • Published: Monday, 11 July 2022
  • , Updated: 11 July 2022, 04:11 PM IST

ବାଲିଗୁଡ଼ା(ଅଜିତ ନାୟକ): ସ୍କୁଲ ପରିସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ସରକାର ଲଗାଇଥିବା କଟକଣାକୁ ବିଭିନ୍ନ ମହଲରେ ବିରୋଧ ଜାରି ରହିଛି। ଯେଉଁ ସାମ୍ବାଦିକ ବିନା ଅନୁମତିରେ ସ୍କୁଲକୁ ପ୍ରବେଶ କରିବେ ସେମାନଙ୍କ ନାଁରେ ଥାନାରେ ଏତଲା ଦିଆଯିବ ବୋଲି ସରକାରୀ ସ୍ତରରେ ଜାରି ହୋଇଥିବା ବିଜ୍ଞପ୍ତିକୁ ସାରା ରାଜ୍ୟରେ ବିରୋଧ କରାଯାଉଛି।

ଏହିକ୍ରମରେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ତୀବ୍ର ବିରୋଧ କରିଛନ୍ତି ବାଲିଗୁଡା ପ୍ରେସ କ୍ଲବର ସଦସ୍ୟ। ତୁରନ୍ତ ଏପରି ଏକ ବିବାଦୀୟ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା ଦାବିରେ ଆଜି ବାଲିଗୁଡା ସାମ୍ବାଦିକ ପ୍ରେସ କ୍ଲବ ସଦସ୍ୟ ମାନେ ଗାନ୍ଧୀ ଛକ ଠାରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ପ୍ରେସ କ୍ଲବ ସଦସ୍ୟମାନେ ଏକାଠି ହୋଇ ମନ୍ତ୍ରୀ ଦାଶଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ ଓ ତାଙ୍କ ବିରୋଧରେ ନାରାବାଜି କରିଥିଲେ। ସ୍କୁଲରେ ପ୍ରବେଶ ପାଇଁ ସାମ୍ବାଦିକମାନଙ୍କ ଉପରେ ଲାଗିଥିବା କଟକଣା ପ୍ରତ୍ୟାହାର ନ ହେଲେ ଆନ୍ଦୋଳନ ଆଗକୁ ଆହୁରି ଜୋରଦାର କରାଯିବ ବୋଲି ସେମାନେ କହିଛନ୍ତି। ଏଥିସହ କ୍ଲବର ସଦସ୍ୟମାନେ ବାଲିଗୁଡା ଉପ-ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଏଭଳି ନିଷ୍ପତ୍ତି ଯଦି ପ୍ରତ୍ୟାହାର କରା ନ ଯାଏ, ତାହେଲେ ସାମ୍ବାଦିକ ମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ଆହୁରି ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି।

ବାଲିଗୁଡ଼ାର ସାମ୍ବାଦିକ ସୁବ୍ରତ ମାଝୀ କହିଛନ୍ତି, “ସାମ୍ବାଦିକମାନଙ୍କୁ ମାମଲା ରୁଜୁ କରିବାର ଧମକ ଦେବାର ଅର୍ଥ କ’ଣ? ସାମ୍ବାଦିକମାନେ କ’ଣ ଅପରାଧୀ, ଆତଙ୍କବାଦୀ ନା ଆଉ କ’ଣ? ସେମାନଙ୍କୁ କାହିଁକି ଗିରଫ କରାଯିବ? ସେମାନେ ଯଦି ସ୍କୁଲ ଯାଉଛନ୍ତି, ତା’ହେଲେ କିଛି ଭଲ ମନ୍ଦ ବୁଝିବାକୁ ଯାଉଛନ୍ତି। ମନ୍ତ୍ରୀ ସମୀର ଦାଶ ବି ବିଭିନ୍ନ ସ୍କୁଲକୁ ଯାଉଛନ୍ତି। ସେ ସେଠାରେ ଫଟୋ ଉଠାଉଛନ୍ତି ଓ ଏହାକୁ ଭାଇରାଲ କରୁଛନ୍ତି। କାହିଁକି ତାଙ୍କ ନାଁରେ ମାମଲା ହେଉନି? ଯଦି ମନ୍ତ୍ରୀଙ୍କ ନାଁରେ ମାମଲା ହେଉନି, ତା’ହେଲେ ସାମ୍ବାଦିକଙ୍କ ନାଁରେ କାହିଁକି ମାମଲା ହେବ?

ମନ୍ତ୍ରୀ ନିଜର ବୟାନ ଓ ବିଭାଗ ଜାରି କରିଥିବା ବିଜ୍ଞପ୍ତି ପାଇଁ ତୁରନ୍ତ ସାମ୍ବାଦିକଙ୍କୁ କ୍ଷମା ମାଗନ୍ତୁ। ଯଦି ସେ କ୍ଷମା ନମାଗିବେ, ତା’ହେଲେ ଆଗାମୀ ଦିନରେ ସରକାରଙ୍କ କୌଣସି କାର୍ଯ୍ୟକ୍ରମରେ ସାମ୍ବାଦିକମାନେ ସହଯୋଗ କରିବେ ନାହିଁ। ସେହିପରି ବିଜ୍ଞପ୍ତି ପ୍ରତ୍ୟାହାର ନ ହେଲେ, ସାମ୍ବାଦିକମାନେ ଗଣତାନ୍ତ୍ରିକ ଉପାୟରେ ରାଜରାସ୍ତାକୁ ଓହ୍ଲାଇ ଏହା ବିରୋଧରେ ବିକ୍ଷୋଭ କରିବେ।”

କନ୍ଧମାଳ ସାମ୍ବାଦିକ ସଂଘର ସଭାପତି ରାଧାମୋହନ ମହାପାତ୍ର ଓ ସାମ୍ବାଦିକ ସୁରେଶ କୁମାର ପତି ପ୍ରମୁଖ ସରକାରଙ୍କ ସାମ୍ବାଦିକଙ୍କୁ ସ୍କୁଲ ମନା ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

Related story