ଆଜି ଦେବସ୍ନାନ ପୂର୍ଣ୍ଣିମା; ନବକଳେବର ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନର ଶେଷ ସୁଯୋଗ

ପୁରୀ:ଆଜି ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀ ମନ୍ଦିର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେବେ। ନବକଳେବର ପୂର୍ବରୁ ଏହା ହେଉଛି ମହାପ୍ରଭୁଙ୍କର ଶେଷ ଦେବସ୍ନାନ ବେଶ।   ଏହି ବେଶ ଦେଖିବାକୁ ସକାଳୁ ଲୋକଙ୍କ ଭିଡ଼ ଆରମ୍ଭ ହୋଇଯାଇଛି। ପ୍ରାୟ ୫ ଲକ୍ଷ ଲୋକଙ୍କ ସମାଗମ ହେବା ଆଶା କରାଯାଉଛି। ଏଥିପାଇଁ ଶ୍ରୀ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନୀତିକୁ ଶୃଙ୍ଖଳିତ କରିବା ପାଇଁ ଦଇତାପତି ନିଯୋଗ ସହ […]

debasnana

Rakesh Mallick
  • Published: Tuesday, 02 June 2015
  • , Updated: 02 June 2015, 02:24 AM IST

ପୁରୀ:ଆଜି ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀ ମନ୍ଦିର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେବେ। ନବକଳେବର ପୂର୍ବରୁ ଏହା ହେଉଛି ମହାପ୍ରଭୁଙ୍କର ଶେଷ ଦେବସ୍ନାନ ବେଶ।   ଏହି ବେଶ ଦେଖିବାକୁ ସକାଳୁ ଲୋକଙ୍କ ଭିଡ଼ ଆରମ୍ଭ ହୋଇଯାଇଛି। ପ୍ରାୟ ୫ ଲକ୍ଷ ଲୋକଙ୍କ ସମାଗମ ହେବା ଆଶା କରାଯାଉଛି। ଏଥିପାଇଁ ଶ୍ରୀ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନୀତିକୁ ଶୃଙ୍ଖଳିତ କରିବା ପାଇଁ ଦଇତାପତି ନିଯୋଗ ସହ ଆଲୋଚନା କରାଯାଇଛି।

ଜଳଲାଗି ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀଜୀଉଙ୍କ ଦର୍ଶନ କରିବେ। ପରେ ଗଜପତି ମହାରାଜା ଛେରା ପହଁରା କରିବେ। ପରେ ସ୍ନାନ ମଣ୍ଡପ ଉପରେ ମଙ୍ଗଳ ଆଳତୀ, ମଇଲମ, ତଡପ ଲାଗି, ଅବକାଶ,ଅଧରପଣା ନୀତି କରାଯିବ। ଏହାପରେ ଜଳଲାଗି ନୀତି ହେବ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ୧୦୮ ଗଡୁ ଜଳଲାଗି କରାଯିବା ପରେ କୋଇଲି ବୈକୁଣ୍ଠରେ ପୂଜା ପାଉଥିବା ଦିବ୍ୟଦାରୁଙ୍କୁ ୪ ଗଡୁ ଜଳଲାଗି କରାଯିବ। ହାତୀବେଶରେ ମହାପ୍ରଭୁଙ୍କ ନିକଟରେ ଏକମାତ୍ର ସକାଳଧୂପ ନୀତି ହେବ। ପରେ ଭକ୍ତମାନଙ୍କ ପାଇଁ ସାହାଣମେଲା ଦର୍ଶନ ଚାଲିବ।

ଭକ୍ତଙ୍କ ସୁରକ୍ଷା ଓ ବ୍ୟବସ୍ଥିତ ଦର୍ଶନ ଲାଗି ଶ୍ରୀମନ୍ଦିର ବାହାରେ ଓ ଭିତରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଶ୍ରୀମନ୍ଦିର ଭିତରେ ୪୨ ପ୍ଲାଟୁନ୍ ଫୋର୍ସ ରହିଛନ୍ତି। ହାତୀ ବେଶର ସୁରକ୍ଷା ଲାଗି ୪ଜଣ ଇନିସପେକ୍ଟର ନିୟୋଜିତ ରହିବେ। ସଂପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାରେ ୬୯ ପ୍ଲାଟୁନ୍ ଫୋର୍ସ ଓ ୮ ଜଣ ଡେପୁଟି କମାଣ୍ଡାଣ୍ଟ, ୧୩ ଜଣ ଡିଏସପି, ୩୧ ଜଣ ଇନିସପେକ୍ଟର, ୩୯ ସବ ଇନିସପେକ୍ଟର, ୩୩୬ ଏଏସଆଇ, ୮୨୪ ଗୃହରକ୍ଷୀଙ୍କୁ ମୁତୟନ କରାଯାଇଛି। ଏହାସହ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରିତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ସହର ମଧ୍ୟକୁ ଯାତ୍ରୀବାହୀ ବସ୍ ଓ ଟ୍ରକର ପ୍ରବେଶକୁ  ସୋମବାର ଠାରୁ ବନ୍ଦ କରି ଦିଆଯାଇଛି। କାର ଅନ୍ୟ ମୋଟର ଯାନଗୁଡିକ ମାର୍କେଟ ଛକକୁ ଆସିବେ। ପାର୍କିଂ ସ୍ଥାନ ପୂରଣ ପରେ ବଡଶଙ୍ଖରୁ ଶରଧାବାଲିର ଉଭୟ ପାର୍ଶ୍ୱରେ ରହିବେ। ଏହାସହ ଏସିଏସ୍ କଲେଜ, ଜିଲ୍ଲା ସ୍କୁଲ ଛକ ସହ ଅନ୍ୟ ସ୍ଥାନରେ ମଧ୍ୟ ପାର୍କିଂ ବ୍ୟବସ୍ଥା କରାଯାଇଛି।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଲାଗି ପାନୀୟ ଜଳ  ଓ ପାଣି ସିଞ୍ଚନର ବ୍ୟବସ୍ଥା କରାଯାଇଛି। ସ୍ନାନପୂର୍ଣ୍ଣିମା ପର ଦିନ ଅଣସର ଆରମ୍ଭ ହେବ। ଏହି ସମୟରେ ଭକ୍ତମାନେ ବ୍ରହ୍ମଗିରି  ଅଲାରନାଥ ମନ୍ଦିରକୁ ଯାଇ ଠାକୁର ଦର୍ଶନ କରିବେ।

Related story