ସାରା ରାଜ୍ୟରେ ପାଳନ ହେଲା ଉତ୍କଳ ଦିବସ

ଭୁବନେଶ୍ୱର/କଟକ: ଆଜି ଉତ୍କଳ ଦିବସ। ଓଡ଼ିଶାର ଜନ୍ମ ଦିନ। ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର ଏବଂ ଗୌରୀଶଙ୍କର ରାୟଙ୍କ ଭଳି ଅନେକ ବରପୁତ୍ରଙ୍କୁ ଆଜି ମନେ ପକାଇଛନ୍ତି ରାଜ୍ୟବାସୀ। ଏହି ବରପୁତ୍ରମାନଙ୍କ ଉଦ୍ୟମର ଫଳସ୍ୱରୂପ ୧୯୩୬ ମସିହା ଏପ୍ରିଲ ପହିଲାରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଏହା ଥିଲା ଦେଶର ପ୍ରଥମ ଭାଷା ଭିତ୍ତିକ […]

utkal divas

Rakesh Mallick
  • Published: Friday, 01 April 2016
  • , Updated: 01 April 2016, 12:43 PM IST

ଭୁବନେଶ୍ୱର/କଟକ: ଆଜି ଉତ୍କଳ ଦିବସ। ଓଡ଼ିଶାର ଜନ୍ମ ଦିନ। ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର ଏବଂ ଗୌରୀଶଙ୍କର ରାୟଙ୍କ ଭଳି ଅନେକ ବରପୁତ୍ରଙ୍କୁ ଆଜି ମନେ ପକାଇଛନ୍ତି ରାଜ୍ୟବାସୀ।

ଏହି ବରପୁତ୍ରମାନଙ୍କ ଉଦ୍ୟମର ଫଳସ୍ୱରୂପ ୧୯୩୬ ମସିହା ଏପ୍ରିଲ ପହିଲାରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଏହା ଥିଲା ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ। ଏହି ଅବସରରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବହୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଉତ୍କଳ ଦିବସ ଉପଲକ୍ଷେ ଆଜି କଟକ ତୁଳସୀପୁରର ଗୋପାଳପୁର ସ୍ଥିତ ମଧୁସୂଦନ ଦାସଙ୍କ ସମାଧିପୀଠରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଏଥିରେ ଯୋଗ ଦେଇ ମଧୁବାବୁଙ୍କ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେହିପରି କଟକ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଉତ୍କଳ ଦିବସ ଅବସରରେ କଟକ ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ଏକ ମିନି ମାରାଥନ୍‌ର ଆୟୋଜନ କରାଯାଇଥିଲା। ଏହାକୁ କଟକ ଡିସିପି ସଞ୍ଜୀବ ଅରୋରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଉତ୍କଳ ଦିବସ ଉପଲକ୍ଷେ ଭୁବନେଶ୍ୱରର ଗଭର୍ଣ୍ଣର ହାଉସ୍ ଛକରେ ଥିବା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବିଜେପିର ବହୁ ନେତା ଏହି ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଉତ୍କଳ ସମ୍ମିଳନୀର ସଦସ୍ୟମାନେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କ ଶୁଭକାମନା କରି ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଶ୍ରୀମନ୍ଦିର ସମ୍ମୁଖରେ ସମୂହ ଦୀପଦାନ କରାଯାଇଥିଲା। ଏଥିରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ଉଦ୍ଧବ ମାଝୀ, ଉପଜିଲ୍ଲାପାଳ ମଧୁସୂଦନ ଦାସ, ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ କିଶୋର ଶତପଥୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ରଙ୍କ ସମେତ ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବିମାନେ ଯୋଗ ଦେଇଥିଲେ। ପ୍ରତ୍ୟେକ ଓଡ଼ିଆ ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦ ଲାଭ  କରନ୍ତୁ ଏବଂ ସମସ୍ତଙ୍କ ଚଲାପଥ କୁସୁମିତ ହେବା ପାଇଁ ପ୍ରାର୍ଥନା କରାଯାଇଥିଲା ବୋଲି ଅତିରିକ୍ତ ଜିଲ୍ଲାପାଳ ଉଦ୍ଧବ ମାଝୀ କହିଛନ୍ତି।

ଖୋର୍ଦ୍ଧାରେ ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଖୋର୍ଦ୍ଧା କୋର୍ଟ ସମ୍ମୁଖରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ସରକାରୀ ଦଳର ମୁଖ୍ୟ ସଚେତକ ଅନନ୍ତ ଦାସ, ବିଧାୟକ ରାଜେନ୍ଦ୍ର କୁମାର ସାହୁ ଓ ଜିଲ୍ଲାପାଳ ନିରଂଜନ ସାହୁ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଖୋର୍ଦ୍ଧା ବାର୍ ଆସୋସିଏସନ ଓ ଉତ୍କଳ ସମ୍ମିଳନୀର ଜିଲ୍ଲା ଶାଖା କର୍ମକର୍ତ୍ତାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଏହା ପରେ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା।

ଏହା ସହିତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଉତ୍କଳ ଦିବସ ପାଳନ ହୋଇଯାଇଛି।

Related story