କରୋନା ଅଣାୟତ୍ତ: ସେନାପତି ଫେଲ୍‌‌, ଏବେ ଖୋଜା ପଡ଼ିଲେ ବିଧାୟକ

ଭୁବନେଶ୍ୱର (ପ୍ରକାଶ ସେଠୀ): ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେଉଥିବାବେଳେ ସରକାରଙ୍କ ଚେତା ପଶିଛି। ଜନପ୍ରତିନିଧିମାନଙ୍କୁ ବିଶ୍ୱାସକୁ ନନେଇ ଅଫିସରମାନଙ୍କୁ ଆଗରେ ରଖି ସେମାନଙ୍କ କଥାରେ ଲକଡାଉନ୍ ଓ ସଟଡାଉନ୍ ଆଦି ମାଧ୍ୟମରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ରଣନୀତି ଫେଲ୍ ମାରିଛି। ଏବେ କ୍ରମାଗତ ଏକ ସପ୍ତାହ ଧରି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଜାରେ ଉପରେ ରହିବାପରେ ରାଜ୍ୟ ସରକାର ତରବରିଆ ଭାବେ କରୋନା ମୁକାବିଲା ପାଇଁ ସବୁ […]

pandian

Manoranjan Sial
  • Published: Tuesday, 28 July 2020
  • , Updated: 28 July 2020, 10:31 PM IST

ଭୁବନେଶ୍ୱର (ପ୍ରକାଶ ସେଠୀ): ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେଉଥିବାବେଳେ ସରକାରଙ୍କ ଚେତା ପଶିଛି। ଜନପ୍ରତିନିଧିମାନଙ୍କୁ ବିଶ୍ୱାସକୁ ନନେଇ ଅଫିସରମାନଙ୍କୁ ଆଗରେ ରଖି ସେମାନଙ୍କ କଥାରେ ଲକଡାଉନ୍ ଓ ସଟଡାଉନ୍ ଆଦି ମାଧ୍ୟମରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ରଣନୀତି ଫେଲ୍ ମାରିଛି। ଏବେ କ୍ରମାଗତ ଏକ ସପ୍ତାହ ଧରି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଜାରେ ଉପରେ ରହିବାପରେ ରାଜ୍ୟ ସରକାର ତରବରିଆ ଭାବେ କରୋନା ମୁକାବିଲା ପାଇଁ ସବୁ ଦଳର ବିଧାୟକମାନଙ୍କ ସହଯୋଗ ଲୋଡ଼ିଛନ୍ତି। ଦୀର୍ଘ ସାଢ଼େ ୪ମାସ ଧରି କରୋନା ମୁକାବିଲା ବା ଯୁଦ୍ଧର ସେନାପତି ସାଜିଥିବା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଏବେ ନିଜର କୋର ଟିମର ବିଫଳତାକୁ ଲୁଚାଇବା ପାଇଁ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଆଗକୁ ଆଣିବାକୁ ବାଧ୍ୟ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ବିଧାୟକଙ୍କୁ ଚିଠି ଲେଖି ‘କୋଭିଡ-୧୯’ ସଚେତନତା ପାଇଁ କର୍ମଶାଳାରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି। ବିଧାୟକମାନେ ନିଜ ନିଜ ଜିଲ୍ଲାର ମୁଖ୍ୟାଳୟରେ ରହି ଭିଡିଓ କନ୍ସଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ସାମିଲ ହେବେ। ଆସନ୍ତାକାଲି ଅପରାହ୍ନ ୫ଟାରୁ ୬ଟା ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂରେ ହେବାକୁ ଥିବା ବୈଠକରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ସମ୍ମାନରେ ଏକ ମିନିଟର ନିରବ ପ୍ରାର୍ଥନା, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାଗତ ଭାଷଣ, ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ସଚିବ ସୂଚନା ଦେବେ। ତା’ପରେ ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତା ୧୦ମିନିଟ୍ ଲେଖାଏଁ ନିଜର ମତ ରଖିବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାୟକମାନଙ୍କୁ ସମ୍ବୋଧିତ କରିବେ। କଟକ,ଖୋର୍ଦ୍ଧା ଓ ଗଞ୍ଜାମ ଭଳି ଜିଲ୍ଲାଗୁଡ଼ିକରେ ଅଧିକ ସଂଖ୍ୟକ ସ୍ଥାନରେ ସାମାଜିକ ଦୂରତ୍ୱ ପାଳନ ନିମନ୍ତେ ବିଧାୟକମାନଙ୍କ ପାଇଁ ଭିଡିଓ କନ୍ସଫରେନ୍ସିଂ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ମାର୍ଚ୍ଚ ୧୫ରୁ କରୋନା ମୁକାବିଲା କାର୍ଯ୍ୟରୁ ବିଧାୟକମାନଙ୍କୁ ଦୂରେଇ ରଖିଥିବା ରାଜ୍ୟ ସରକାର ପ୍ରାୟ ସାଢ଼େ ୪ମାସ ପରେ ସେମାନଙ୍କୁ ମନେପକାଇଛନ୍ତି। ଆସନ୍ତାକାଲି କର୍ମଶାଳା ନାଁରେ ଗାଁ ଗହଳିରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ କରୋନା ନିୟନ୍ତ୍ରଣ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ବିଧାୟକମାନଙ୍କ ସହଯୋଗ ଲୋଡ଼ିବାକୁ ରାଜ୍ୟ ସରକାର ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୪ ଛୁଇଁ ଥିବାବେଳେ ୨୮୧୦୭ଜଣ ସଂକ୍ରମିତ ହେଲେଣି। ସଂକ୍ରମିତଙ୍କ ମଧ୍ୟରେ ୭୨ପ୍ରତିଶତ ପୁରୁଷ ଥିବାବେଳେ ମହିଳାଙ୍କ ହାର ନିୟମିତ ବୃଦ୍ଧି ପାଇଁ ୨୮%ରେ ପହଂଚିଛି। ରାଜ୍ୟରେ ଏବେ ଦୈନିକ ପ୍ରାୟ ୭ରୁ ୧୦ହଜାର ମଧ୍ୟରେ କୋଭିଡ୍ ନମୂନା ପରୀକ୍ଷା ହେଉଛି। ଅଧିକ ସଂଖ୍ୟକ ନମୂନା ପରୀକ୍ଷାର ଆବଶ୍ୟକତା ଥିବାବେଳେ ଭିତ୍ତିଭୂମି ଅଭାବରୁ ସଂକ୍ରମିତ ଲୋକମାନଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ବାଧ୍ୟ କରାଯାଉଛି। କେତେକ ସ୍ଥଳରେ ସଂକ୍ରମିତ ଲୋକଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଉନାହିଁ।

ଗଞ୍ଜାମ, ଖୋର୍ଦ୍ଧା, କଟକ ଓ କେନ୍ଦୁଝର ଭଳି ଜିଲ୍ଲାରେ ସ୍ଥିତି ଏବେ ଅଣାୟତ୍ତ ହେଉଥିବାବେଳେ ରାଜ୍ୟତମାମ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଓ ସଂକ୍ରମିତଙ୍କ ପ୍ରତି ପ୍ରଶାସନ ତତ୍ପରତା ନଦେଖାଇବା ଯୋଗୁ କରୋନା ମୁକାବିଲାର ସରକାରଙ୍କ ବିଫଳତାକୁ ବିରୋଧୀ ଦଳଗୁଡ଼ିକ କଡ଼ା ସମାଲୋଚନା କରିବା ସହ ସର୍ବଦଳୀୟ ବୈଠକ ଦାବି କରିଥିଲେ। ଏପରିକି ଶାସକ ଦଳ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ସାଂସଦ ପ୍ରମିଳା ବିଶୋୟୀ ମେ’ ମାସରେ ଚିଠି ଲେଖି କରୋନା ମୁକାବିଲା କାର୍ଯ୍ୟରେ ବିଧାୟକ ଓ ସାଂସଦମାନଙ୍କୁ ସାମିଲ କରିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ। କିନ୍ତୁ ସରକାର କାହାରି କଥା ନଶୁଣି କିଛି ହାତଗଣତି ଅଣଓଡ଼ିଆ ଆଇଏଏସଙ୍କ ମାଧ୍ୟମରେ ସ୍ଥିତିକୁ ନିୟନ୍ତ୍ରଣ କରିନେବେ ବୋଲି ଭାବି ନେଇଥିଲେ। ମାତ୍ର କରୋନା କିଟ୍ କିଣା ଦୁର୍ନୀତି ପଦାକୁ ଆସିବାପରେ ସରକାରଙ୍କ ଅକଲଗୁଡୁମ୍ ହୋଇଯାଇଥିଲା। ଆଉ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢ଼ିବା ପରେ ଏବେ ବିଧାୟକ ଓ ମନ୍ତ୍ରୀମାନେ ବି ଏକମାତ୍ର ସାହା ଭରସା ଭାବି ସେମାନଙ୍କର ଶରଣାଗତ ହୋଇଛନ୍ତି।

ଗତ ସପ୍ତାହରେ ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ସମୀକ୍ଷାବେଳେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ବିକ୍ରମ କେଶରୀ ଆରୁଖ୍ ଏବଂ କଟକ ଓ ଖୋର୍ଦ୍ଧା ଜିଲ୍ଲାର ସ୍ଥିତି ସମୀକ୍ଷାବେଳେ ମନ୍ତ୍ରୀ ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ବସାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତିର ସମୀକ୍ଷା କରାଇଥିଲେ। ତା’ପରେ ପ୍ଲାଜମା ଦାନ ପ୍ରତି ଲୋକଙ୍କୁ ସଚେତନ କରାଇବା ପାଇଁ ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ୱ ଆବଣ୍ଟନ କରିଥିଲେ। ତଥାପି ସ୍ଥିତିରେ ସୁଧାର ଆସୁନଥିବାରୁ ଏବେ ସବୁଦଳର ବିଧାୟକମାନଙ୍କ ମୁଣ୍ଡରେ ଅଠା ବୋଳି ନିଜର ବିଫଳତାକୁ ଘୋଡ଼ାଇବାକୁ ସରକାର ରଣନୀତି ଆରମ୍ଭ କରିଦେଇଛନ୍ତି।

କେବଳ ପ୍ରଚାର ପାଇଁ ସରପଂଚଙ୍କୁ ଜିଲ୍ଲାପାଳ କ୍ଷମତା ଦେବା, ପ୍ରବାସୀଙ୍କୁ ଫେରାଇ ଆଣି ସେମାନଙ୍କର ପରୀକ୍ଷା ନକରି ଘରକୁ ପଠାଇବା, କରୋନା କିଟ୍ କିଣାରେ ଦୁର୍ନୀତି ଆଦି ପ୍ରସଙ୍ଗରେ ବିଧାୟକମାନେ ସରକାରଙ୍କଠୁ ସ୍ପଷ୍ଟୀକରଣ ଲୋଡିବା ସହ ବ୍ୟାପକ ସଚେତନତା ମାଧ୍ୟମରେ ଏକଜୁଟ୍ ହୋଇ କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଥିବା ସାଧାରଣରେ ମତ ପ୍ରକାଶ ପାଇଛି।

Related story