ଏହି ସବୁ ଗାଁକୁ ଭାଇରସ ଛୁଇଁପାରିନି

ଗଜପତି/କୋରାପୁଟ/ନବରଙ୍ଗପୁର(ଓଡ଼ିଶା ରିପୋର୍ଟର) ଚାଇନାର ଉହାନରୁ ଉତ୍ପନ୍ନ ପରେ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିଛି ଭୟଙ୍କର କରୋନା ଭୂତାଣୁ । ଆମ ଦେଶରେ ବି ଲହର ପରେ ଲହର ଆସି ନାକେଦମ୍ କଲାଣି ଏ ଭାଇରସ  । ହେଲେ ୟାରି ଭିତରେ ଭଲ ଖବର ହେଉଛି, ଆମ ରାଜ୍ୟରେ ଏମିତି କିଛି ଗ୍ରାମାଞ୍ଚଳ ଅଛି, ଯାହା ଆଜି ବି କରୋନା ଶୂନ୍ୟ  । ସଂକ୍ରମଣ ରୋକିବାକୁ ଗାଁ ଲୋକଙ୍କ ସାମୁହିକ ଉଦ୍ୟମ ହେଉ କି କଠୋର କରୋନା ଅନୁଶାସନ, […]

67-67

Tapas Behera
  • Published: Saturday, 29 May 2021
  • , Updated: 29 May 2021, 09:02 PM IST

ଗଜପତି/କୋରାପୁଟ/ନବରଙ୍ଗପୁର(ଓଡ଼ିଶା ରିପୋର୍ଟର) ଚାଇନାର ଉହାନରୁ ଉତ୍ପନ୍ନ ପରେ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିଛି ଭୟଙ୍କର କରୋନା ଭୂତାଣୁ । ଆମ ଦେଶରେ ବି ଲହର ପରେ ଲହର ଆସି ନାକେଦମ୍ କଲାଣି ଏ ଭାଇରସ  । ହେଲେ ୟାରି ଭିତରେ ଭଲ ଖବର ହେଉଛି, ଆମ ରାଜ୍ୟରେ ଏମିତି କିଛି ଗ୍ରାମାଞ୍ଚଳ ଅଛି, ଯାହା ଆଜି ବି କରୋନା ଶୂନ୍ୟ  । ସଂକ୍ରମଣ ରୋକିବାକୁ ଗାଁ ଲୋକଙ୍କ ସାମୁହିକ ଉଦ୍ୟମ ହେଉ କି କଠୋର କରୋନା ଅନୁଶାସନ, ଗାଁକୁ ଛୁଇଁ ପାରିନି ସଂକ୍ରମଣ ।

ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଆଦିବାସୀ ଅଧ୍ୟୁଷିତ ତରଙ୍ଗଡ଼ା ପଞ୍ଚାୟତର ୪ ଗାଁ  ତଳ ତାମୁସିଂ, ଉପର ତାମୁସିଂ, ତଳପାଙ୍ଗୁଡ଼ା ଓ ଉପର ପାଙ୍ଗୁଡ଼ା । ମହାମାରୀର ଦ୍ୱିତୀୟ ଲହର କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ବି ଆତଙ୍କ ଖେଳାଇ ଦେଇଛି । ତେବେ ଗଜପତି ଜିଲ୍ଲାର ଏହି ୪ ଗାଁ କିନ୍ତୁ ବ୍ୟତିକ୍ରମ । ପ୍ରଥମ ଲହର ହେଉ କି ଦ୍ୱିତୀୟ ଯାଏଁ ଏହି ୪ ଗାଁକୁ ଛୁଇଁ ପାରିନି କରୋନା। ଏସବୁ ଗାଁର ଲୋକସଂଖ୍ୟା ୫ ଶହରୁ ଅଧିକ । ଏମିତି ନୁହେଁ ଯେ, ସଂକ୍ରମଣ ଭୟରେ ଗାଁରୁ କେହି ବାହାରକୁ ଯାଉନାହାନ୍ତି କି ବାହାରୁ କେହି ଗାଁକୁ ଆସୁନାହନ୍ତି  । ଗାଁକୁ ଲୋକଙ୍କ ଯାଆସ ସତ୍ତ୍ୱେ  ଏଠାରେ କେହି ବି ସଂକ୍ରମିତ ହୋଇନାହାନ୍ତି।

କରୋନାଠାରୁ ଏବେ ବି ଦୂରେଇ ଥିବା ଆଉ ଏକ ଗାଁ କୋରାପୁଟ ଲମତାପୁଟ ବ୍ଲକର ହନୁମାଳ। ଆଦିବାସୀ ବହୁଳ ଏ ଗାଁରେ ରୁହନ୍ତି ୧୬୦ ପରିବାର।  ହେଲେ ଏ ଗାଁରେ କେହି ଜଣେ ବି କରୋନାରେ ଆକ୍ରାନ୍ତ ନାହାନ୍ତି । ଚାଷବାସ କରି ଜୀବୀକା ନିର୍ବାହ କରୁଥିବା ଏଠାକାର ବାସିନ୍ଦା ଉଚ୍ଚଶିକ୍ଷିତ ନହେଲେ ବି ସରକାରୀ ଗାଇଡଲାଇନକୁ ଅକ୍ଷର ଅକ୍ଷରେ ପାଲୁଛନ୍ତି । ପିଲାଠୁ ବୁଢା ଯାଏଁ ସମସ୍ତେ ମାସ୍କ ପିନ୍ଧୁଛନ୍ତି । ସଂକ୍ରମଣ ରୋକିବାକୁ ମାସ୍କ ଏକମାତ୍ର ଉପାୟ ଏଠିକାର ବାସିନ୍ଦା ତାହା ବେଶ ଭଳ ଭାବେ ବୁଝିଛନ୍ତି।

ସତର୍କତା ଓ ସଚେତନତାକୁ ଗଣ୍ଠିଧନ କରି କୋରନାକୁ ଚକ୍ମା ଦେଇଥିବା ଏହି ଗାଁ ହେଉଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ବାଲେଙ୍ଗା। ଗାଁର ଲୋକସଂଖ୍ୟା ୧୫ ଶହରୁ ଅଧିକ। ଏଠିକାର ଅଧିକାଂଶ ଲୋକ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଆନ୍ତି । ହେଲେ ସଂକ୍ରମଣ ମାଡ଼ୁଥିବା ଦେଖି ଏଠାକାର ଆଶା ଓ ଅଙ୍ଗନବାଡ଼ି କର୍ମୀ ଗାଁରେ ଘନ ଘନ ବୈଠକ କରି ଲୋକଙ୍କୁ ସଚେତନ କରାଇଥିଲେ । ଲୋକେ ସତର୍କ ହେଲେ, ଗାଁ ପ୍ରବେଶ ପଥକୁ ବାଡ଼ ଦେଇ ଅବରୋଧ କରିବା ସହ ଗାଁରେ ମହାମାରୀକୁ ପୁରାଇ ନଦେବାକୁ ଶପଥ ନେଲେ । ଯାହାର ଫଳ ସ୍ୱରୂପ ବଲେଙ୍ଗା ଗାଁ ଏବେ ବି କରୋନା ମୁକ୍ତ। ସଚେତନତା ଓ ସତର୍କତାକୁ ମୂଳ କରି ଏସବୁ ଗାଁର ଲୋକେ ଯଦି କରୋନାର ମୁକାବିଲା କରିପାରିଲେ ଅନ୍ୟମାନେ କାହିଁକି କରିନପାରିବେ ତାହା ହିଁ ବଡ଼ ପ୍ରଶ୍ନ।

Related story