ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): 'ଏୟାର ଓଡ଼ିଶା'ର ବରିଷ୍ଠ ଅଧିକାରୀ ସନ୍ତୋଷ ପାଣିଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି। ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ ଜାରି ରଖିଛି କମିଶନରେଟ ପୁଲିସ। ପୀଡ଼ିତା ଓ ଅଭିଯୁକ୍ତ ଶ୍ରୀ ପାଣିଙ୍କ କଲ୍ ଓ ମେସେଜ୍ ଡିଟେଲର ଛାନଭିନ ଜାରି ରହିଛି।
ଏଥିସହ ପୁଲିସ 'ଦୁଷ୍କର୍ମ' ହୋଇଥିବା ଘଟଣାସ୍ଥଳର ଯାଞ୍ଚ କରିଛି। ପୀଡ଼ିତାଙ୍କ ବୟାନକୁ ଭିତ୍ତିକରି 'ଏୟାର ଓଡ଼ିଶା' ଅଫିସରେ ପୁଲିସ ଚଢ଼ଉ କରି କିଛି ଦସ୍ତାବିଜ ମଧ୍ୟ ଜବତ କରିଛି। ପୀଡ଼ିତାଙ୍କ ୧୬୧ ଓ କୋର୍ଟରେ ୧୬୪ ବୟାନ ମଧ୍ୟ ରେକର୍ଡ ହୋଇ ସାରିଛି।
ଅଭିଯୋଗ ଅନୁସାରେ ଅଗଷ୍ଟ ୧୦ ଓ ୧୨ ତାରିଖରେ ଥଣ୍ଡା ପାନୀୟରେ ନିଶା ଦେଇ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ କରାଯାଇ ଥିଲା। ତେବେ ଗୋଟିଏ ମାସ ଡେରିରେ ପୀଡ଼ିତା କାହିଁକି ଦୁଷ୍କର୍ମ ଅଭିଯୋଗ ଆଣିଲେ, ସେନେଇ ମଧ୍ୟ ଖୋଳତାଡ ହୋଇଛି। ଏସବୁ ଅନୁସନ୍ଧାନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଅଭିଯୁକ୍ତ 'ଏୟାର ଓଡ଼ିଶା' ଅଧିକାରୀ ସନ୍ତୋଷ ପାଣିଙ୍କ ପାଇଁ ବିପଦ କ୍ରମେ ବଢୁଥିବା ଆଶଙ୍କା କରାଯାଉଛି।
ଅଭିଯୋଗ ସମ୍ପର୍କରେ ପୁଲିସ ସନ୍ତୋଷଙ୍କଠାରୁ ସନ୍ତୋଷଜନକ ଉତ୍ତର ନପାଇଲେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବ ବୋଲି ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।