ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପର ସାଇକ୍ଲୋନ୍ ‘ଅମ୍ଫାନ’ର ଗତିପଥ ଗତବର୍ଷ ଆସିଥିବା ‘ବୁଲବୁଲ୍’ବାତ୍ୟାର ଗତିପଥ ସହ ସମାନ ରହିବ। ତେବେ ବୁଲବୁଲ୍ ତୁଳନାରେ ‘ଅମ୍ଫାନ’ ଅଧିକ ବିନାଶକାରୀ ହେବ। ୨୦ତାରିଖ ଅପରାହ୍ନ ୨ଟା ସୁଦ୍ଧା ଏହା ଓଡ଼ିଶା ସୀମା ଅତିକ୍ରମ କରିବ । ତେବେ ସବୁ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ନିଜର ପ୍ରସ୍ତୁତି ଶେଷ କରିଛନ୍ତି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି। ଏସଆରସି ଶ୍ରୀ ଜେନା ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଅମ୍ଫନ ପ୍ରଭାବରେ ଆଜି ରାତି ୨-୩ଟା ପରେ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ବୋହିବ। ତେବେ ଆସନ୍ତାକାଲି ଦିନ ୧୨ଟାରୁ ୨ଟା ମଧ୍ୟରେ ଏହା ଓଡ଼ିଶା ଅତିକ୍ରମ କରିବ। କିନ୍ତୁ ଏହାର ଆଖିର ପ୍ରଭାବ ପ୍ରାୟ ଏକ ଘଣ୍ଟା ରହିପାରେ। ତେଣୁ ଅପରାହ୍ନ ୩ଟା ସୁଦ୍ଧା ଏହାର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ସୀମାରୁ ହଟିଯିବ ବୋଲି ସମ୍ଭାବନା ବ୍ୟକ୍ତ କରାଯାଉଛି। ‘ଅମ୍ଫାନ’ ଓଡ଼ିଶା ଅତିକ୍ରମ କରିବାବେଳେ ଏହାର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫କିମି ରହିବ। ମଝିରେ ମଝିରେ ପବନର ତୀବ୍ରତା ଘଣ୍ଟାପ୍ରତି ୧୮୫କିମି ହୋଇପାରେ। ୨୦ତାରିଖରେ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୫୫-୬୫ କିମି ହୋଇପାରେ ଓ ସର୍ବାଧିକ ବେଗ ଘଣ୍ଟାପ୍ରତି ୭୫କିମି ରହିବ। ‘ଅମ୍ଫାନ’ର ମୁକାବିଲା ପାଇଁ ରାଜ୍ୟ ସରକାର ଏଥର ସବୁପ୍ରକାରର ଆଗୁଆ ପଦକ୍ଷେପ ନେଇଛନ୍ତି। ପ୍ରଥମଥର ପାଇଁ ୩୫୦୦ ବିଦ୍ୟୁତ୍ କର୍ମଚାରୀ ଓ ଜଙ୍ଗଲ ବିଭାଗର ୭୫ଟି ଟିମକୁ ଉପକରଣ ସହ ବିଭିନ୍ନ ସ୍ଥାନରେ ମୁତୟନ ମୁତୟନ କରାଯାଇଛି। ସେହିପରି ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜଳସମ୍ପଦ ବିଭାଗର ଯନ୍ତ୍ରୀମାନେ ଡ୍ରୋଜର ଓ ଶ୍ରମିକମାନଙ୍କ ସହ ପ୍ରସ୍ତୁତ ଅଛନ୍ତି । ଅଗ୍ନିଶମ ବିଭାଗର ଅଧିକ ପରିମାଣର କର୍ମଚାରୀଙ୍କୁ ମଧ୍ୟ ମୁତୟନ କରାଯାଇଛି। ସବୁ ବିଭାଗର ଅଫିସରମାନଙ୍କୁ ଏସବୁ ଜିଲ୍ଲାକୁ ପଠାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ଲୋକଙ୍କୁ ସ୍ଥାନାନ୍ତର କରିବାବେଳେ ଅଧିକ ସତର୍କତା ଅବଲମ୍ବନ କରାଯାଉଛି। ଯେଉଁଠି ଲୋକମାନେ କୋଠାଘରେ ନିରାପଦରେ ଅଛନ୍ତି ସେମାନଙ୍କୁ ଛାଡ଼ି ଅନ୍ୟମାନଙ୍କୁ ସ୍ଥାନାନ୍ତର କରାଯାଉଛି। ଯଦି କେହି ବୁଝାସୁଝା ପରେ ବି ଆସୁନାହାନ୍ତି ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପୁଲିସ୍ ସହାୟତାରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ୧୨ଟି ଜିଲ୍ଲାର ୧୨ଲକ୍ଷରୁ ଅଧିକ ଲୋକଙ୍କୁ ସାମାଜିକ ଦୂରତ୍ୱ ନିୟମ ପାଳନ କରି ନିରାପଦ ଆଶ୍ରୟ ଦେବାକୁ ପ୍ରସ୍ତୁତ ରଖାଯାଇଛି। ଏବେ ୬୩୪ଟି ବାତ୍ୟା ଆଶ୍ରୟସ୍ଥଳୀ ସମେତ ୭୦୯୨ଟି କୋଠାକୁ ପ୍ରସ୍ତୁତ ରଖାଯାଇଛି। ପ୍ରତ୍ୟେକ ବାତ୍ୟା ଆଶ୍ରୟସ୍ଥଳୀରେ ସମ୍ଭାବ୍ୟ ପରିସ୍ଥିତିର ସାମ୍ନା ପାଇଁ ସବୁ ପ୍ରକାରର ଉପକରଣ ପ୍ରସ୍ତୁତ ରଖାଯାଇଛି। ୪୮୬ଟି ଜେନେରେଟର, ୧୫୧୩ଟି ଇନଫ୍ଲାଟେବୁଲ ଟାୱାର ଲାଇଟ୍ ଓ ୧୪୯୭ଟି ଚେନ୍ ଓ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଆଜି ଅପରାହ୍ନ ୩ଟା ସୁଦ୍ଧା ପ୍ରାୟ ୩୫ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ୧୬ଟି ଏନଡିଆରଏଫ ଟିମ୍ ଓ ୧୫ଟି ଓଡ୍ରାଫ ଟିମ୍ ଓ ୨୧୭ଟି ଅଗ୍ନିଶମ ବାହିନୀକୁ ୬ଟି ଉପକୂଳବର୍ତ୍ତୀ ଜିଲ୍ଲା ଓ ଅନ୍ୟ ୫ଟି ଜିଲ୍ଲାରେ ଆଗୁଆ ମୁତୟନ କରାଯାଇଛି। ଆଉ ୩ଟି ଏନଡିଆରଏଫ, ୫ଟି ଓଡ୍ରାଫ, ୧୭ଟି ଅଗ୍ନିଶମ ବାହିନୀ, ୧୦ଟି ଓଏଫଡିସି ଟିମକୁ କାମରେ ନିୟୋଜନ ପାଇଁ ପ୍ରସ୍ତୁତ ରଖାଯାଇଛି। ବିଜୟୱାଡ଼ାର ୧୦ମ ବାଟାଲିୟନରୁ ଅତିରିକ୍ତ ୨ ଏନଡିଆରଏଫ ଟିମ୍ ଅଣାଯାଇଛି ବୋଲି ଏସଆରସି ଶ୍ରୀ ଜେନା ସୂଚନା ଦେଇଛନ୍ତି।
|
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।