ଓଡ଼ିଶାରୁ ‘ପୁଷ୍ପା’ ଷ୍ଟାଇଲ୍‌ରେ ଚାଲାଣ ହେଉଥିଲା ରକ୍ତ ଚନ୍ଦନ କାଠ, ମାଡ଼ିବସିଲା ଆନ୍ଧ୍ର ପୁଲିସ୍‌

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଚେଇଁ ଶୋଇଥିଲା ଓଡ଼ିଶାର ବନ ବିଭାଗ ଓ ପୁଲିସ୍‌! ସାଉଥ୍‌ ଫିଲ୍ମ ‘ପୁଷ୍ପା’ ଷ୍ଟାଇଲ୍‌ରେ ଓଡ଼ିଶାରୁ ରକ୍ତ ଚନ୍ଦନ କାଠ ଚାଲାଣ କରୁଥିଲେ ଜଙ୍ଗଲ ଦସ୍ୟୁ। କୁଣ୍ଡା ବୋଝେଇ ଟ୍ରକ୍‌ ଭିତରେ ଚନ୍ଦନ କାଠ ପୂରାଇ ଚାଲାଣ କରୁଥିଲେ। ଜାଣିପାରିଲା ନାହିଁ ଓଡ଼ିଶା ବନ ବିଭାଗ ବା ପୁଲିସ୍‌। ହେଲେ ମାଡ଼ି ବସିଲା ଆନ୍ଧ୍ରପ୍ରଦେଶ ପୁଲିସ୍‌। ଶ୍ରୀକାକୁଲମ୍‌ରେ ଦୁଇ କୋଟିରୁ ଅଧିକ ଟଙ୍କାର ରକ୍ତ ଚନ୍ଦନକାଠ ଜବତ କରିବା ସହିତ ୧୧ ଜଣଙ୍କୁ […]

Sandal-Wood

  • Published: Thursday, 08 September 2022
  • , Updated: 08 September 2022, 06:40 PM IST

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଚେଇଁ ଶୋଇଥିଲା ଓଡ଼ିଶାର ବନ ବିଭାଗ ଓ ପୁଲିସ୍‌! ସାଉଥ୍‌ ଫିଲ୍ମ ‘ପୁଷ୍ପା’ ଷ୍ଟାଇଲ୍‌ରେ ଓଡ଼ିଶାରୁ ରକ୍ତ ଚନ୍ଦନ କାଠ ଚାଲାଣ କରୁଥିଲେ ଜଙ୍ଗଲ ଦସ୍ୟୁ। କୁଣ୍ଡା ବୋଝେଇ ଟ୍ରକ୍‌ ଭିତରେ ଚନ୍ଦନ କାଠ ପୂରାଇ ଚାଲାଣ କରୁଥିଲେ। ଜାଣିପାରିଲା ନାହିଁ ଓଡ଼ିଶା ବନ ବିଭାଗ ବା ପୁଲିସ୍‌। ହେଲେ ମାଡ଼ି ବସିଲା ଆନ୍ଧ୍ରପ୍ରଦେଶ ପୁଲିସ୍‌। ଶ୍ରୀକାକୁଲମ୍‌ରେ ଦୁଇ କୋଟିରୁ ଅଧିକ ଟଙ୍କାର ରକ୍ତ ଚନ୍ଦନକାଠ ଜବତ କରିବା ସହିତ ୧୧ ଜଣଙ୍କୁ ଗିରଫ କରିଛି।

ବୁଧବାର ଗଜପତି ଜିଲ୍ଲା ଗଣ୍ଡାହାତୀ ଜଙ୍ଗଲରୁ ରକ୍ତ ଚନ୍ଦନ କାଠ ଚେନ୍ନାଇ ଚାଲାଣ ହେଉଥିଲା। ଏ ସମ୍ପର୍କରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ପୁଲିସ୍ ଖବର ପାଇଥିଲା। ଚାଲାଣ ହେଉଥିବା ରକ୍ତ ଚନ୍ଦନ କାଠକୁ ଜବତ କରିବା ପାଇଁ ଏସ୍‌ପି ରାଧୀକାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା।

ପୂର୍ବ ଯୋଜନା ମୁତାବକ ୧୬ ନମ୍ୱର ଜାତୀୟ ରାଜପଥର ଟେକ୍କାଲି ଛକି ନିକଟରେ ଛପି ରହିଥିଲା ପୁଲିସ୍‌। ଠିକ୍‌ ସେହି ସମୟରେ କୁଣ୍ଡା ବୋଝେଇ ଟ୍ରକ ଆସୁଥିବା ଦେଖିବାକୁ ପାଇଥିଲା ପୁଲିସ୍‌। ପରେ ସେହି ଟ୍ରକକୁ ଅଟକାଇ ପୁଲିସ୍‌ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଟ୍ରକ୍‌ରୁ ୪ ହଜାର ୨ କିଲୋ ଓଜନର ରକ୍ତ ଚନ୍ଦନ କାଠ ବାହାରି ଥିଲା। ଯାହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଶ୍ରୀକାକୁଲମ୍‌ ଏସ୍‌ପି କହିଛନ୍ତି। ଏହି ଘଟଣାରେ ପୁଲିସ୍‌ ୧୧ ଜଣଙ୍କୁ ଗିରଫ କରିଛି। ଅନ୍ୟ ୪ ଜଣ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଗିରଫ ଅଭିଯୁକ୍ତଙ୍କୁ ପଚରା ଉଚରା ବେଳେ ଜବତ ହୋଇଥିବା ରକ୍ତ ଚନ୍ଦନ କାଠ ଓଡ଼ିଶାର ଗଣ୍ଡାହତୀ ଅଞ୍ଚଳରୁ କିଣି ଆଣିଥିବା ସ୍ୱୀକାର କରିଥିଲେ। ଏହି କାଠ ଚେନ୍ନାଇ ଚାଲାଣ ହୋଇଥାଆନ୍ତା ବୋଲି ଶ୍ରୀକାକୁଲମ୍ ଏସ୍‌ପି କହିଛନ୍ତି।

ପୂର୍ବରୁ ଅର୍ଥାତ୍‌ ୨୦୧୯ ମସିହା ଅଗଷ୍ଟ ୨୨ ତାରିଖରେ ବିଶାଖପାଟଣା ଦେଇ ଦିଲ୍ଲୀ ଚାଲାଣ ହେଉଥିବା ବେଳେ ଆନ୍ଧ୍ରର ମେଳିଆପୁଟି ପୁଲିସ ହାତରେ ଧରାପଡିଥିଲେ ୩ ଜଣ ଚନ୍ଦନ ଦସ୍ୟୁ। ଏକ କାର୍‌ରେ ୪ଟି ରକ୍ତ ଚନ୍ଦନ ଗଣ୍ଡିକୁ ଚାଲାଣ କରୁଥିବା ବେଳେ ଧରିଥିଲା ଆନ୍ଧ୍ର ପୁଲିସ୍। ସେମାନଙ୍କୁ ପଚରା ଉଚରା ସମୟରେ ଏହି କାଠ ଭାୟା ବିଶାଖପାଟଣା ଦେଇ ଦିଲ୍ଲୀ ଚାଲାଣ ହେଉଥିବା ଜଣାପଡ଼ିଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଓଡ଼ିଶାର ଚନ୍ଦନ ବଣ ଉପରେ ମାଫିଆଙ୍କ ଲାଲୁପ ଦୃଷ୍ଟି ପଡିଛି। ବନ ବିଭାଗ ସୁରକ୍ଷା ଦେବାରେ ବିଫଳ ହୋଇଛି।

ସୂଚନାରୁ ପ୍ରକାଶ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନ ବିଭାଗ ଅଧିନସ୍ଥ ମହେନ୍ଦ୍ରଗିରି ବନାଞ୍ଚଳରେ ରହିଛି ରକ୍ତ ଚନ୍ଦନ ବଣ। ପାରଳା ମହାରାଜାଙ୍କ ତତ୍ତ୍ୱବଧାନରେ ସୃଷ୍ଟି ହାଇଥିବା ଏହି ରକ୍ତ ଚନ୍ଦନ ବଣ ଦକ୍ଷିଣ ଏସିଆର ବୃହତ ଅଂଚଳ ବାଲି କୁହାଯାଏ। ଔଷଧୀୟ ଗୁଣରେ ଭରପୁର ଏହି ଗଛରେ ପରିପୂର୍ଣ୍ଣ ବଣ ଏବେ ମାଫିଆଙ୍କ ଲୋଲୁପ ଦୃଷ୍ଟିରେ। ପ୍ରତିଦିନ ଏହି ବଣରୁ ମୂଲ୍ୟବାନ ଗଛକୁ କାଟି ନେଇ ମାଫିଆମାନେ ଭାୟା ହାଇଦ୍ରାବାଦ୍, ଦିଲ୍ଲୀ ଓ ଚେନ୍ନାଇ ଭଳି ସହର ଦେଇ ବିଦେଶକୁ ଚାଲାଣ କରୁଛନ୍ତି। ହେଲେ ଏହାକୁ ରୋକିବାରେ ଓଡ଼ିଶାର ବନ ବିଭାଗ ଓ ପୁଲିସ୍‌ ସଂପୂର୍ଣ୍ଣ ବିଫଳ ହୋଇଥିବା ଆଲୋଚନା ହେଉଛି।

Related story