ରାଉରକେଲା: ଏନ୍ଆଇଟି ସେଣ୍ଟର ଅଫ୍ ଟ୍ରାଇବାଲ ଏକ୍ସଲେନ୍ସ ତରଫରୁ ମନ, ଅନ୍ଧବିଶ୍ୱାସ ଓ ବୈଜ୍ଞାନିକ ମନୋଭାବ ସମ୍ପର୍କିତ ଏକ କର୍ମଶାଳା ଶୁକ୍ରବାର ଉଦ୍ଯାପିତ ହୋଇଛି । ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଭାବେ ଡକ୍ଟର ପିଏ ରଥ ଯୋଗଦେଇ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଉପରେ ଚର୍ଚ୍ଚା କରିଥିଲେ । ଛାତ୍ର କଲ୍ୟାଣ ଡିନ୍ ପ୍ରଫେସର ସୀମାଞ୍ଚଳ ପାଣିଗ୍ରାହୀ ବିଜ୍ଞାନ ଭିତ୍ତିକ ମନୋଭାବକୁ ଆପଣେଇବା ସହ ସମାଜରୁ କୁସଂସ୍କାର ଦୁରେଇବା ପାଇଁ ଆହ୍ୱାନ ଦେଇଥିଲେ ।
ପ୍ରଫେସର ସୀମିତା ମହାନ୍ତି କହିଛନ୍ତି, ଏହି କର୍ମଶାଳାର ସଫଳତା ପରେ ଆମେ ଆଗକୁ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଆଦିବାସୀ ଗ୍ରାମ ଗୁଡିକରେ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି କର୍ମଶାଳାରେ ରାଜ୍ୟରୁ ପ୍ରାୟ ୫୦ଜଣ ଅଧ୍ୟାପକ, ଶିକ୍ଷକ, ବୁଦ୍ଧିଜୀବୀ, ସମାଜସେବୀ ଯୋଗ ଦେଇଥିଲେ। ସେଣ୍ଟର ଅଫ୍ ଟ୍ରାଇବାଲ ଏକ୍ସଲେନ୍ସ ଅଧ୍ୟକ୍ଷ ପ୍ରଫେସର ସୀମିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରଫେସର ରାମକୃଷ୍ଣ ବିଶ୍ୱାଳ ସଂଚାଳନା କରିଥିଲେ ।
ଏହି ପଞ୍ଚଦିବସୀୟ କର୍ମଶାଳାର ତୃତୀୟ ଦିନରେ ଖୋଇରକେରା ଗ୍ରାମରେ ଗୁଣିଗାରେଡି ବିରୋଧରେ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମନ, ଅନ୍ଧବିଶ୍ୱାସ ଓ ବୈଜ୍ଞାନିକ ମନୋଭାବ ସମ୍ପର୍କିତ କର୍ମଶାଳାରେ ସାମ୍ବାଦିକ କୁଂଜବିହାରୀ ରାଉତ, ଶଶିକାନ୍ତ ଆଚାର୍ଯ୍ୟ, ସମାଜସେବୀ ନରେନ୍ଦ୍ର ଗୋପ, ଆର୍ତ୍ତତ୍ରାଣ ମହାପାତ୍ର ସମେତ ଅନ୍ୟମାନେ ଯୋଗ ଦେଇଥିଲେ । ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ବିଭିନ୍ନ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଆଧାରରେ ଲୋକଙ୍କୁ ସଚେତନ କରାଯାଇଥିଲା । ଏଥିରେ ୫୦୦ରୁ ଅଧିକ ଜଣ ଭାଗ ନେଇଥିଲେ ।
ଏହି କର୍ମଶାଳାର ଚତୁର୍ଥ ଦିବସରେ ସ୍କୁଲ ପାଠ୍ୟକ୍ରମରେ ବୈଜ୍ଞାନିକ ମନୋଭାବ ସାମିଲ ହେବା ଜରୁରୀ କି ଉପରେ ଆଲୋଚନା ଚକ୍ର ଆୟୋଜିତ ହେଇଥିଲା । ଏଥିରେ ସାମାଜିକ କର୍ମୀ କାର୍ତ୍ତିକ ପାଣ୍ଡବ, ଇଞ୍ଜିନିୟର ରାଜା ସୁରେଶ, ବରିଷ୍ଠ ସାମ୍ବାଦିକ ଡଲି ବ୍ରହ୍ମା ତଥା ଏନ୍ଆଇଟିର ସୁରକ୍ଷା ଅଧିକାରୀ ସୁମନ ଦତ୍ତା ଯୋଗଦେଇ ବୈଜ୍ଞାନିକ ମନୋଭାବର ବିଭିନ୍ନ ସ୍ତର ଉପରେ ଆଲୋଚନା କରିଥିଲେ । ପରିବେଶର ସୁରକ୍ଷା ସନ୍ଦେଶ ଦେବା ପାଇଁ ଏନ୍ଆଇଟି ତରଫରୁ ଅତିଥି ମାନଙ୍କୁ ଚାରା ଗଛ ପ୍ରଦାନ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।