ସ୍ଥିତି ଦେଖି ନୀତି ବଦଳାଉଛନ୍ତି ନବୀନ, ବିଜେପି ସହ ମୂଲଚାଲ୍ ମୁଡରେ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ମାରାଥନ୍ ପ୍ରଚାରରେ ବ୍ୟସ୍ତ ବିଜେଡି ସଭାପତି ନବୀନ ପଟ୍ଟନାୟକ ପୁଣିଥରେ ନିଜର ପାରମ୍ପରିକ ‘ସୁବିଧାବାଦୀ ରାଜନୀତିକ ଗୋଟିଚାଳନା’ ଆରମ୍ଭ କରିଛନ୍ତି। କଂଗ୍ରେସକୁ ପଛରେ ପକାଇ ବିଜେପି ଏବେ ଓଡ଼ିଶାରେ ବିଜେଡିକୁ କଡ଼ା ଟକ୍କର ଦେଉଥିବାରୁ ସ୍ଥିତିକୁ ଦେଖି ନୀତି ବଦଳାଇବା ଆରମ୍ଭ କରିଛନ୍ତି ନବୀନ। ୩ଦିନ ତଳେ ସିଏନଏନ୍-ଆଇବିଏନ ଚ୍ୟାନେଲକୁ ସାକ୍ଷାତକାର ଦେଇ ନରେନ୍ଦ୍ର ମୋଦି ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବା ପାଇଁ […]

apprehensive-naveen--ready-for-a-tie-up-with-bjp-and-congress-if-arithmetic-goes-wrong

Manoranjan Sial
  • Published: Monday, 15 April 2019
  • , Updated: 15 April 2019, 07:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ମାରାଥନ୍ ପ୍ରଚାରରେ ବ୍ୟସ୍ତ ବିଜେଡି ସଭାପତି ନବୀନ ପଟ୍ଟନାୟକ ପୁଣିଥରେ ନିଜର ପାରମ୍ପରିକ ‘ସୁବିଧାବାଦୀ ରାଜନୀତିକ ଗୋଟିଚାଳନା’ ଆରମ୍ଭ କରିଛନ୍ତି। କଂଗ୍ରେସକୁ ପଛରେ ପକାଇ ବିଜେପି ଏବେ ଓଡ଼ିଶାରେ ବିଜେଡିକୁ କଡ଼ା ଟକ୍କର ଦେଉଥିବାରୁ ସ୍ଥିତିକୁ ଦେଖି ନୀତି ବଦଳାଇବା ଆରମ୍ଭ କରିଛନ୍ତି ନବୀନ।

୩ଦିନ ତଳେ ସିଏନଏନ୍-ଆଇବିଏନ ଚ୍ୟାନେଲକୁ ସାକ୍ଷାତକାର ଦେଇ ନରେନ୍ଦ୍ର ମୋଦି ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବା ପାଇଁ ଅନଫିଟ୍ ଓ ବିଜେଡି ସମଦୂରତ୍ୱ ନୀତିରେ କାଏମ ଅଛି ବୋଲି କହିଥିବା ନବୀନ କିନ୍ତୁ ଓଡ଼ିଶାର ସ୍ୱାର୍ଥ ପାଇଁ ଉଭୟ ଏନଡିଏ ଓ ୟୁପିଏକୁ ସମର୍ଥନ କରିବାକୁ ପ୍ରସ୍ତୁତ ଥିବା ଗତକାଲି କହିଛନ୍ତି। ତେବେ ଅଚାନକ ନବୀନଙ୍କ ଏଭଳି ପରିବର୍ତ୍ତିତ ଆଭିମୁଖ୍ୟ ଭବିଷ୍ୟତରେ ରାଜ୍ୟରେ ନୂଆ ରାଜନୀତିକ ସମୀକରଣର ଇସାରା ଦେଇଛି।

ସୂତ୍ର ଅନୁସାରେ, ଚଳିତ ବିଧାନସଭା ନିର୍ବାଚନରେ ଆଶାନୁରୂପ ସିଟ୍ ପାଇବାକୁ ନେଇ ବିଜେଡି ଆଶଙ୍କାରେ ରହିଛି। ତା’ଛଡ଼ା କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନଡିଏ ପୁଣିଥରେ କ୍ଷମତାସୀନ ହେବ ବୋଲି ଜାତୀୟସ୍ତରର ଅଧିକାଂଶ ସର୍ଭେରୁ ସ୍ପଷ୍ଟ ଜଣାପଡ଼ିଲାଣି। ତେଣୁ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସହ ଭବିଷ୍ୟତରେ ବୁଝାମଣା ନିମନ୍ତେ ବିକଳ୍ପ ଖୋଲା ରଖିବା ପାଇଁ ନବୀନ ହୁଏତ ଏପରି ଗୋଟିଚାଳନା କରିଥାଇପାରନ୍ତି। ଏହା ବ୍ୟତୀତ ଯଦି ବିଧାନସଭାରେ ବିଜେଡି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ସକ୍ଷମ ନହୁଏ ତା’ହେଲେ ସହଯୋଗୀ ଭାବେ ଉଭୟ ବିଜେପି ଓ କଂଗ୍ରେସ ଦଳ ବିଜେଡି ପାଇଁ ଅଛୁଆଁ ନୁହେଁ ବୋଲି ନବୀନ ଏବେଠୁ ଇସାରା ଦେଇଛନ୍ତି।

ଦୀର୍ଘ ଦୁଇଦଶନ୍ଧି ମଧ୍ୟରେ ନବୀନଙ୍କ ବିଜେଡିକୁ ଚଳିତ ନିର୍ବାଚନରେ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ୁଛି। ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପରେ ଏହାର ଆଭାସ ବିଜେଡି ପାଇସାରିଛି। ସୂତ୍ର ଅନୁସାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଗୁଇନ୍ଦା ବିଭାଗ ଓ ଏକ ନିରପେକ୍ଷ ସର୍ଭେ ସଂସ୍ଥା ଦେଇଥିବା ରିପୋର୍ଟ ହିଁ ନବୀନଙ୍କୁ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିବାକୁ ବାଧ୍ୟ କରିଛି। ରାଜ୍ୟରେ କଂଗ୍ରେସର ସ୍ଥିତି ଦୋହଲିବାରେ ଲାଗିଥିବାବେଳେ ବିଜେପିର କଳେବର ବୃଦ୍ଧି ନବୀନଙ୍କ ଚିନ୍ତା ବଢ଼ାଇଛି। ନିଜର ସ୍ଥିତିକୁ ସୁଦୃଢ଼ ରଖିବା ନିମନ୍ତେ ସବୁ ଦିଗକୁ ଦୃଷ୍ଟିରେ ରଖି ନବୀନ ଦୀର୍ଘ ଦଶନ୍ଧି ପୁରୁଣା ନୀତି ‘ସମଦୂରତ୍ୱ’ରୁ ଓହରି ଓଡ଼ିଶାର ସ୍ୱାର୍ଥ ପାଇଁ ଉଭୟ କଂଗ୍ରେସ ଓ ବିଜେପିକୁ ସମର୍ଥନ କଥା କହିଛନ୍ତି। ପରୋକ୍ଷରେ ନିଜର କୁର୍ସି ବଞ୍ଚାଇ ରଖିବା ପାଇଁ ସାଲିସ୍ କରିବାକୁ ନବୀନ ପ୍ରସ୍ତୁତ ଥିବା ଇସାରାରେ ସୂଚାଇ ଦେଇଛନ୍ତି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେପିର ପ୍ରଭାବ ବୃଦ୍ଧି ହିଁ ଏବେ ବିଜେଡି ଓ ନବୀନଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ବିଜେପିରେ ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା ଓ ଡାକ୍ତର ଦାମୋଦର ରାଉତଙ୍କ ଭଳି ନବୀନଙ୍କ କଟ୍ଟରବିରୋଧୀଙ୍କ ପ୍ରଭାବ ବିସ୍ତାର ହେଉଥିବାବେଳେ ବିଜୟ ଓ ବୈଜୟନ୍ତଙ୍କ ଜିତିବାର ଉଜ୍ଜ୍ୱଳ ସମ୍ଭାବନା ରହିଛି। ବିଜେଡିର ରଘୁନାଥ ମହାନ୍ତି ଓ ରବି ପାଣିଙ୍କ ଭଳି କିଛି ବରିଷ୍ଠ ନେତା ମଧ୍ୟ ଏବେ ବିଜେପିରେ ସାମିଲ ହୋଇସାରିଥିବାବେଳେ ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ବିଜେଡି ରାଜ୍ୟରେ ସଂଖ୍ୟାଗରିଷ୍ଠତା ଆଣିଲେ ମଧ୍ୟ ବିଜେପି ଯଦି ୩୦ରୁ ୫୦ଟି ଆସନ ଜିଣିବାରେ ସକ୍ଷମ ହୁଏ ତା’ହେଲେ ବିଜେଡି ଭିତରେ ଥିବା ଗୋଷ୍ଠୀକନ୍ଦଳରୁ ଫାଇଦା ନେବାକୁ ବିଜେପି ପ୍ରୟାସ କରିବ। ଯାହା ନବୀନଙ୍କ ସ୍ଥିତିକୁ ଅଧିକ ଦୟନୀୟ କରାଇବ। ଆଉ ଏହାର ନେତୃତ୍ୱ ବିଜୟ-ବୈଜୟନ୍ତ ଓ ଧର୍ମେନ୍ଦ୍ର ପ୍ରଧାନ ନେଇପାରନ୍ତି।

ଅନ୍ୟପକ୍ଷରେ ଚର୍ଚ୍ଚା ଅନୁସାରେ, ଚଳିତ ନିର୍ବାଚନରେ କଂଗ୍ରେସକୁ ମ୍ୟାନେଜ୍ କରିବାରେ ବିଜେଡି ସକ୍ଷମ ହୋଇଥିବାରୁ ଫଳାଫଳ ଆସିବା ପରେ ସ୍ଥିତିକୁ ଚାହିଁ କଂଗ୍ରେସର ସହଯୋଗ ହାସଲର ବିକଳ୍ପକୁ ମଧ୍ୟ ନବୀନ ଖୋଲା ରଖିଛନ୍ତି। ତେଣୁ ନବୀନଙ୍କ ‘ସମଦୂରତ୍ୱ କାର୍ଡ’ ଓଡ଼ିଶାର ସ୍ୱାର୍ଥ ଅନୁରୂପ ବିଜେଡିର ଡିଲ୍ ନୁହେଁ ବରଂ ନିଜର କୁର୍ସି ରକ୍ଷା ପାଇଁ ଉଭୟ ବିଜେପି ଓ କଂଗ୍ରେସକୁ ନିଜ ସହ ରଖିବାକୁ ନବୀନ ସୁଚିନ୍ତିତ ଢଙ୍ଗରେ ଆଭିମୁଖ୍ୟ ପରିବର୍ତ୍ତନ କରିଛନ୍ତି ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।

Related story