ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଞ୍ଜି ପ୍ରତ୍ୟାହାର ସଂକ୍ରାନ୍ତ କ୍ୟାବିନେଟ କମିଟିର ପୁନର୍ଗଠନ କରି କ୍ୟାବିନେଟ୍ ସବକମିଟି(ପୁଞ୍ଜି ପ୍ରତ୍ୟାହାର) ଗଠନ କରାଯିବା ନିଷ୍ପତ୍ତିକୁ ଆଜି ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେରାଜ୍ୟର ବିଭିନ୍ନ ସରକାରୀ ଉଦ୍ୟୋଗ ଓ ସମବାୟ ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ଯୋଜନା ଚାଲିଥିବା ସ୍ପଷ୍ଟ ହୋଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୨୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ୨୦୧୯ ମେ’ ମାସରେ ନୂଆ ସରକାର ଗଠନ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଞ୍ଜି ପ୍ରତ୍ୟାହାର ସଂକ୍ରାନ୍ତ କ୍ୟାବିନେଟ କମିଟିର ପୁନର୍ଗଠନ କରି ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସବକମିଟି(ପୁଞ୍ଜିପ୍ରତ୍ୟାହାର) ଗଠନ କରିଥିଲେ। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସବକମିଟିରେ ଆଇନ,ସାଧାରଣ ଉଦ୍ୟୋଗ ଓ ଶିଳ୍ପ ମନ୍ତ୍ରୀ ସଦସ୍ୟ ରହିବେ ତଥା ଏହି କମିଟି ରାଜ୍ୟ ଉଦ୍ୟୋଗ ଓ ସମବାୟ ଉଦ୍ୟୋଗର ସମସ୍ତ ଘରୋଇକରଣ ଓ ପୁଞ୍ଜିପ୍ରତ୍ୟାହାର ସଂକ୍ରାନ୍ତରେ ନିଷ୍ପତ୍ତି ନେବ। ଏହି ସବକମିଟିର ଆବାହକ ଭାବେ ସାଧାରଣ ଉଦ୍ୟୋଗ ବିଭାଗର ସଚିବ କାର୍ଯ୍ୟ କରୁଛନ୍ତି। କ୍ୟାବିନେଟ ସବକମିଟି ବୈଠକରେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସମ୍ପୃକ୍ତ ରାଜ୍ୟ ଉଦ୍ୟୋଗ ଅବା ସମବାୟ ସଂସ୍ଥା ଦାୟିତ୍ୱରେ ଥିବା ମନ୍ତ୍ରୀ ଯୋଗ ଦେବେ। ସବକମିଟିରେ ନିଆଯାଉଥିବା ସମସ୍ତ ନିଷ୍ପତ୍ତିକୁ କ୍ୟାବିନେଟର ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଆଜି ଏହି କ୍ୟାବିନେଟ ସବକମିଟି ପୁନର୍ଗଠନକୁ ଅନୁମୋଦନ ମିଳିଛି।
ସେହିପରି କୋଭିଡ୍ ମହାମାରୀ ରୋଗର ବିସ୍ତାର ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। କୋଭିଡ-୧୯ର ନିୟନ୍ତ୍ରଣ ପାଇଁ ସମସ୍ତ ଆବଶ୍ୟକୀୟ ନିଷ୍ପତ୍ତି ନେବାକୁ ଓ ସମସ୍ତ ଜରୁରୀକାଳୀନ କ୍ରୟକୁ ଆବଶ୍ୟକତା, ତତ୍ପରତା ଓ ଏହି କ୍ରୟର ଯଥାର୍ଥତା ଯାଂଚ ପରେ ଅନୁମୋଦନ ପାଇଁ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କ୍ଷମତାସମ୍ପନ୍ନ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଛି। ଏହି କମିଟିର ୧୧ଥର ବୈଠକ ବସିସାରିଛି । ୨୦୨୦ ସେପ୍ଟେମ୍ବର ୨ତାରିଖ ପର୍ଯ୍ୟନ୍ତ ଉପରୋକ୍ତ କ୍ଷମତାସମ୍ପନ୍ନ ମନ୍ତ୍ରିସ୍ତରୀୟ କମିଟି ନେଇଥିବା ନିଷ୍ପତ୍ତିକୁ କ୍ୟାବିନେଟ ଅନୁମୋଦନ କରିଥିଲେ। କୋଭିଡ୍ ନିୟନ୍ତ୍ରଣ ପାଇଁ ଏହି କମିଟି ୨୦୨୦ ଡିସେମ୍ବର ୧୬ତାରିଖରେ ନେଇଥିବା ନିଷ୍ପତ୍ତିକୁ ଆଜି କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ବୋଲି ଶ୍ରୀ ଆରୁଖ ସୂଚନା ଦେଇଛନ୍ତି।