ଶ୍ରୀଜଗନ୍ନାଥ ମନ୍ଦିର କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିଲା ପ୍ରତ୍ନତତ୍ତ୍ୱ ଟିମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ରେ କ୍ଷତିଗ୍ରସ୍ତ ହୋଇଥିବା ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିରର ମରାମତି ପାଇଁ ଦିଲ୍ଲୀରୁ ପ୍ରତ୍ନତତ୍ତ୍ୱବିତଙ୍କ ଏକ ଉଚ୍ଚସ୍ତରୀୟ ଟିମ୍ ଓଡ଼ିଶା ଆସି ପହଞ୍ଚିଛି। ଆର୍କିଓଲଜିକାଲ ସର୍ଭେ ଅଫ ଇଣ୍ଡିଆ(ଏଏସଆଇ)ର ଡିଜି ଉଷା ଶର୍ମାଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଆଜି କୋଣାର୍କ ଗସ୍ତ କରି ବାତ୍ୟାରେ ସୂର୍ଯ୍ୟ ମନ୍ଦିରର କ୍ଷୟକ୍ଷତିର ଆକଳନ କରିଛନ୍ତି। ସୂର୍ଯ୍ୟ ମନ୍ଦିରର କୌଣସି କ୍ଷତି ହୋଇନଥିବାବେଳେ ମନ୍ଦିରର ଉପରଭାଗରେ ରାସାୟନିକ ସଫେଇ ପାଇଁ ବନ୍ଧା ଯାଇଥିବା […]

jagannathtemple

Manoranjan Sial
  • Published: Friday, 10 May 2019
  • , Updated: 10 May 2019, 09:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ରେ କ୍ଷତିଗ୍ରସ୍ତ ହୋଇଥିବା ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିରର ମରାମତି ପାଇଁ ଦିଲ୍ଲୀରୁ ପ୍ରତ୍ନତତ୍ତ୍ୱବିତଙ୍କ ଏକ ଉଚ୍ଚସ୍ତରୀୟ ଟିମ୍ ଓଡ଼ିଶା ଆସି ପହଞ୍ଚିଛି।
ଆର୍କିଓଲଜିକାଲ ସର୍ଭେ ଅଫ ଇଣ୍ଡିଆ(ଏଏସଆଇ)ର ଡିଜି ଉଷା ଶର୍ମାଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଆଜି କୋଣାର୍କ ଗସ୍ତ କରି ବାତ୍ୟାରେ ସୂର୍ଯ୍ୟ ମନ୍ଦିରର କ୍ଷୟକ୍ଷତିର ଆକଳନ କରିଛନ୍ତି। ସୂର୍ଯ୍ୟ ମନ୍ଦିରର କୌଣସି କ୍ଷତି ହୋଇନଥିବାବେଳେ ମନ୍ଦିରର ଉପରଭାଗରେ ରାସାୟନିକ ସଫେଇ ପାଇଁ ବନ୍ଧା ଯାଇଥିବା ଲୁହା ପାଇପ୍ କେତେକ ସ୍ଥାନରେ ବଙ୍କା ହୋଇଯାଇଥିଲା, ଯାହା ଏବେ ଠିକ୍ ହୋଇସାରିଛି। ମନ୍ଦିର ଚାରିପଟେ ଥିବା ପ୍ରାୟ ୨୦୦ ଗଛ ଭାଙ୍ଗି ପଡ଼ିଥିଲା, ଯାହାକୁ ସେଠାରୁ ହଟାଇ ଦିଆଯାଇ ଗମନାଗମନ ସ୍ୱାଭାବିକ କରାଯାଇଛି। କେମିକାଲ ଦ୍ୱାରା ସଫା କାର୍ଯ୍ୟକୁ ଶେଷ କରିବା ଉପରେ ପ୍ରାଥମିକତା ଦିଆଯାଉଛି। ଆସନ୍ତା ୨-୩ଦିନ ମଧ୍ୟରେ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ କରାଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି।

ଏହାପରେ ଉକ୍ତ ଟିମ୍ ଶ୍ରୀଜଗନ୍ନାଥ ମନ୍ଦିର ଯାଇ ବାତ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ କରିଛନ୍ତି। ପୂର୍ବରୁ ଭୁବନେଶ୍ୱରସ୍ଥିତ ଏଏସଆଇ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ମଧ୍ୟ ଶ୍ରୀଜଗନ୍ନାଥ ମନ୍ଦିର ଯାଇ କ୍ଷୟକ୍ଷତି ଆକଳନ କରିଥିଲା। ତେବେ ଶ୍ରୀଜଗନ୍ନାଥ ମନ୍ଦିରରେ କୌଣସି ବିଶେଷ କ୍ଷତି ହୋଇନଥିବାବେଳେ କେବଳ ସିଂହଦ୍ୱାର ନିକଟରେ ଥିବା ସିଂହ ମୂର୍ତ୍ତି ଓ ଦ୍ୱାରପାଳ ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଥିଲା। ଦିଲ୍ଲୀରୁ ଆସିଥିବା ଟିମ୍ ଆସନ୍ତାକାଲି ମଧ୍ୟ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ରହି ସମସ୍ତ କ୍ଷୟକ୍ଷତିର ଆକଳନ କରିବେ।

ସୂଚନାଯୋଗ୍ୟ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଚିଠି ଲେଖି ମନ୍ଦିରର କ୍ଷୟକ୍ଷତି ଆକଳନ ପାଇଁ ଏଏସଆଇର ଏକ ବିଶେଷଜ୍ଞ ଟିମ୍ ପଠାଇବାକୁ ଅନୁରୋଧ କରିଥିଲେ। ଶ୍ରୀମନ୍ଦିରରେ ପ୍ରାୟ ୫.୧ କୋଟି ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପ୍ରାଥମିକ ରିପୋର୍ଟ ଦେବାପରେ ରାଷ୍ଟ୍ରାୟତ୍ତ କମ୍ପାନୀ ଇଣ୍ଡିଆନ ଅଏଲ ଶ୍ରୀମନ୍ଦିରର ମରାମତି ପାଇଁ ୫କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ଘୋଷଣା କରିଛି।

Related story