ରାଜ୍ୟର ବିକାଶ ପାଇଁ ଏନଡିଏରେ ସାମିଲ ହୁଅନ୍ତୁ ନବୀନ: ଅଠାୱଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିକାଶ ପ୍ରକ୍ରିୟାକୁ ଗତିଶୀଳ କରିବା ପାଇଁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହେବା ନିମନ୍ତେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ଆହ୍ୱାନ କରିଛନ୍ତି । ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରପିଆଇ(ଏ)ର ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀଶ୍ରୀ ଅଠାୱଲେ କହିଛନ୍ତି ଯେ, ଉଭୟ ଲୋକସଭା ଓ ରାଜ୍ୟସଭାରେ ଅନେକ […]

BJP

  • Published: Monday, 22 August 2022
  • , Updated: 22 August 2022, 10:38 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିକାଶ ପ୍ରକ୍ରିୟାକୁ ଗତିଶୀଳ କରିବା ପାଇଁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହେବା ନିମନ୍ତେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ଆହ୍ୱାନ କରିଛନ୍ତି ।
ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରପିଆଇ(ଏ)ର ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀଶ୍ରୀ ଅଠାୱଲେ କହିଛନ୍ତି ଯେ, ଉଭୟ ଲୋକସଭା ଓ ରାଜ୍ୟସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଗୃହୀତ ହେବାରେ ଏନଡିଏ ସରକାରକୁ ବିଜେଡି ସହଯୋଗ କରିଛି । ୨୦୨୪ ସାଧାରଣ ନିର୍ବାଚନରେ ଏନଡିଏ ତା’ର ସବୁ ରେକର୍ଡକୁ ଭାଙ୍ଗି ଅଧିକ ଭଲ ପ୍ରଦର୍ଶନ କରିବ । ୨୦୧୯ ସାଧାରଣ ନିର୍ବାଚନଠୁ ବି ଅଧିକ ଆସନ ଏନଡିଏ ଜିତିବ । ୨୦୨୪ରେ ଏନଡିଏ ପ୍ରାୟ ୩୫୦ରୁ ଅଧିକ ଲୋକସଭା ଆସନ ଜିତିବ ବୋଲି ସେ ଦାବି କରିଛନ୍ତି । ତେଣୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନଡିଏରେ ସାମିଲ ହେବାକୁ ଅନୁରୋଧ କରୁଛି । ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟକୁ ଅଧିକ ପରିମାଣର ବଜେଟ୍ ଆବଂଟନ କରିବେ ଓ ବିକାଶ ଅଧିକ ଗତିଶୀଳ ହୋଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡିଏ ଛାଡ଼ି ପଳାଇଲେ । କିନ୍ତୁ ଏନଡିଏ ଏପର୍ଯ୍ୟନ୍ତ ତାଙ୍କୁ ଛାଡ଼ିନି । ୨୦୨୪ ନିର୍ବାଚନ ସମୟରେ ନୀତିଶ କୁମାର ପୁଣିଥରେ ଏନଡିଏକୁ ଫେରିପାରନ୍ତି । ତେବେ ନୀତିଶ କୁମାର ନଆସିଲେ ବି ଏନଡିଏକୁ କିଛି ଫରକ୍ ପଡ଼ିବ ନାହିଁ ବୋଲି ଶ୍ରୀ ଅଠାୱଲେ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାୱଲେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ସେ କହିଛନ୍ତି ଯେ, ରାଜ୍ୟରେ ଜାତିଗତ ନିର୍ଯାତନା ମାମଲା ରୋକିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟର ଆବଶ୍ୟକତା ରହିଛି । ୨୦୨୦-୨୧ରେ ୨୮୨୮ଟି ଜାତିଗତ ନିର୍ଯାତନା ମାମଲା ରୁଜୁ ହୋଇଥିବାବେଳେ ୨୦୨୧-୨୨ରେ ଏହା ୨୭୬୮ ରହିଛି । ସେ କହିଛନ୍ତି ଯେ, ସମାଜରେ ସମାନତା ଆଣିବା ଲାଗି ଅଧିକ ସଂଖ୍ୟାରେ ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ । ଭାରତ ସରକାର ଆମ୍ବେଦକର ଫାଉଣ୍ଡେସନ ସହ ମିଶି ଆନ୍ତଃଜାତି ବିବାହ ପାଇଁ ଅଢ଼େଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି । ଓଡ଼ିଶା ସରକାରଙ୍କର ମଧ୍ୟ ଏପରି ଯୋଜନା ରହିଛି । କିନ୍ତୁ ଏଭଳି ବିବାହକୁ ବ୍ୟାପକ ଆକାରରେ ପ୍ରୋତ୍ସାହନ ଦିଆଯିବା ଉଚିତ୍ । ଓଡ଼ିଶାରେ ୨୦୨୦-୨୧ରେ ୧୮୪୭ଟି ଆନ୍ତଃଜାତି ବିବାହ ପଞ୍ଜିକରଣ ହୋଇଥିଲା । ୨୦୨୧-୨୨ରେ ଏହି ସଂଖ୍ୟା ୨୪୨୮କୁ ବୃଦ୍ଧି ପାଇଛି ।
ସେହିପରି ଓଡ଼ିଶାରେ ପ୍ରାୟ ୨୦ଲକ୍ଷ ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧା ଓ ବିଧବାଙ୍କୁ ମାସିକ ୫୦୦ଟଙ୍କାର ପେନସନ ଦିଆଯାଉଛି । ଏହି ମାସିକ ଭତ୍ତା ପାଉଥିବା ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ)ରେ ସମଗ୍ର ଦେଶରେ ୨କୋଟି ୪୦ଲକ୍ଷ ୩୬ହଜାର ଲୋକ ଉପକୃତ ହୋଇଥିବାବେଳେ ଓଡ଼ିଶାରେ ୧୮ଲକ୍ଷ ଗ୍ରାମୀଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିଛି । ସେହିପରି ପ୍ରଧାନମନ୍ତ୍ରୀ ଆବାସ(ସହରାଂଚଳ)ରେ ଏବେସୁଦ୍ଧା ଓଡ଼ିଶାର ୧.୦୮ଲକ୍ଷ ହିତାଧିକାରୀଙ୍କ ସମେତ ସମଗ୍ର ଦେଶରେ ମୋଟ ୬୨.୨୨ଲକ୍ଷ ଲୋକଙ୍କୁ ବାସଗୃହ ଯୋଗାଇ ଦିଆଯାଇଛି । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଓଡ଼ିଶାର ୨.୪୫କୋଟି ହିତାଧିକାରୀ ଅଛନ୍ତି ।
ସମଗ୍ର ଦେଶରେ ଏବେସୁଦ୍ଧା ଏହି ଯୋଜନାରେ ୩୬.୩୩କୋଟି ଲୋକ ଉପକୃତ ହୋଇଛନ୍ତି । ସେହିପରି ଉଜ୍ୱଳା ଯୋଜନାରେ ଓଡ଼ିଶାର ୫୨.୯୪ଲକ୍ଷ ହିତାଧିକାରୀଙ୍କୁ ମାଗଣା ଗ୍ୟାସ ଦିଆଯାଇଛି । ଓଡ଼ିଶାରେ ୧କୋଟି ୯୧ଲକ୍ଷ ୨୦ହଜାର ଜନଧନ ଆକାଉଣ୍ଟଖୋଲାଯାଇଛି ବୋଲି ଶ୍ରୀ ଅଠାୱଲେ କହିଛନ୍ତି।

Related story