ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଘର ଲୋକଙ୍କ ଦେଖା ମିଳୁନି। ଘର ଭିତର ପଟୁ ବନ୍ଦ ଥିବା ବେଳେ ବାହାରୁଛି ଦୁର୍ଗନ୍ଧ। ଏହି ଦୁର୍ଗନ୍ଧରେ ଅତିଷ୍ଠ ହୋଇ ପଡ଼ିବା ସହ ନାନା ସନ୍ଦେହରେ ପଡ଼ୋଶୀ ପୁଲିସ୍କୁ ଖବର ଦେଲେ। ପୁଲିସ୍ ପହଞ୍ଚି ପଚରାଉଚରା କରୁଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟ ପହଞ୍ଚି ନ ଥିବାରୁ ଘରର ତାଲା ଭଙ୍ଗା ଯାଇପାରି ନାହିଁ। ଏପରି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଆଇଟି କଲୋନୀରେ ଦେଖିବାକୁ ମିଳିଛି।
ଏହି କଲୋନୀରେ ଥିବା B/7 ର ଗ୍ରୀଲ୍ ଗତ ଗୁରୁବାରଠୁ ଭିତର ପଟୁ ବନ୍ଦ ରହିଛି। ହେଲେ ଘର ଭିତରୁ ବାହାରୁଛି ଦୁର୍ଗନ୍ଧ। ଉକ୍ତ ଘରେ ରହୁଥିବା ଲୋକଙ୍କର କିନ୍ତୁ ମଧ୍ୟ ଦେଖା ମିଳୁନି । ଏହି ଘର ମାଲିକ ପ୍ରମୋଦ ରାଉତ ନାମକ ବ୍ୟକ୍ତି ବୋଲି ଜଣାପଡ଼ିଛି। ସେ କାଂଶବାହାଲ ଗୋଆଲପଡ଼ାର ରଞ୍ଜିତ ପ୍ରସାଦ(୨୮) ଙ୍କୁ ୪ ମାସ ତଳେ ଭଡା ସୂତ୍ରରେ ଘର ଦେଇଥିଲେ।
ରଞ୍ଜିତ ସ୍ଥାନୀୟ ଡାଲମିଆ ରିଫେକ୍ଟରୀରେ ମେକାନିକାଲ ବିଭାଗରେ କାର୍ଯ୍ୟରତ ଥିଲେ । ସେ ସ୍ତ୍ରୀ କଳ୍ପନା ପ୍ରସାଦ ଚିନୁ , ତିନି ବର୍ଷର ଝିଅ କନକ, ଦେଢ଼ ବର୍ଷର ପୁଅଙ୍କ ସହିତ ଉକ୍ତ ଘରେ ଭଡ଼ାରେ ରହୁଥିଲେ। ପଡିଶା ଲୋକେ ଗୁରୁବାର ସକାଳେ ଶେଷଥର ପାଇଁ ରଞ୍ଜିତ ଓ ତାଙ୍କ ପରିବାର ଲୋକଙ୍କୁ ଦେଖିଥିଲେ। ହେଲେ ଏହାପରେ ତାଙ୍କ ପରିବାରର କାହାକୁ ଦେଖି ନ ଥିବା ପୁଲିସ୍ ସମ୍ମୁଖରେ କହିଛନ୍ତି। ଘର ବାରଣ୍ଡାରେ ରଞ୍ଜିତଙ୍କ ସ୍କୁଟି OD 14S 0094 ଟି ଛିଡା ହୋଇଛି ।
ରଞ୍ଜିତ ପ୍ରେମ ବିବାହ କରି ଘର ଛାଡ଼ି ଏଠାରେ ଭଡ଼ାରେ ରହୁଥିଲେ । ଘରର ତାଲା ଭଙ୍ଗାଯିବା ପରେ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଲୋଚନା ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।