ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେଣୁ ତାଙ୍କୁ ସ୍ୱାଗତ କରିବା ଲାଗି ବ୍ୟାନର ଓ ପୋଷ୍ଟରରେ ଛାଇହୋଇ ଯାଇଛି ସାରା ସହର। ସେ ପ୍ରଥମେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ବଲାଙ୍ଗିର ଷ୍ଟେସନରୁ ବିଛୁପାଲିକୁ ଯାଇଥିବା ନୂଆ ରେଳ ଲାଇନ୍ରେ ନୂଆ ଟ୍ରେନ୍ର ଶୁଭାରମ୍ଭ କରିବେ ମୋଦି। ସେଥିପାଇଁ ପ୍ଲାଟଫର୍ମରେ ଲାଗି ସାରିଛି ପାସେଞ୍ଜର ଟ୍ରେନ୍। ସେଠାରୁ ମୋଦି ସିଧା ଯିବେ ସହର ମଝିରେ ଥିବା ଦଳୀୟ ସଭାସ୍ଥଳକୁ। ସେଠାରେ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେବେ।
ପ୍ରଧାନମନ୍ତ୍ରୀ ରାୟପୁର ବିମାନ ବନ୍ଦରରେ ଓହ୍ଲାଇବେ। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ବଲାଙ୍ଗିରରେ ପହଞ୍ଚିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଆଜି କାରକେଡ୍ ରିହର୍ସଲ ଜୋରଦାର ହୋଇଥିବାରୁ ମୋଦି ରୋଡ଼ ଶୋ' କରିବାର ସମ୍ଭାବନା ରହିଛି।
ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ବଲାଙ୍ଗିର ଆସୁଛନ୍ତି ମୋଦି। ତେଣୁ ଏ ଗସ୍ତକୁ ନେଇ ଖୁବ୍ ଉତ୍ସାହିତ ରାଜ୍ୟ ବିଜେପି ବ୍ରିଗେଡ୍। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିରୋଧୀ ଅନେକ ଦାବି ଉପସ୍ଥାପନ କରିଛନ୍ତି। ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ଶୀଘ୍ର ସାରିବା ସହ କଣ୍ଟାବାଞ୍ଜିରେ ରେଳ ଓ୍ୱାଗନ ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ଦାବି କରି ସାଂସଦ କଲିକେଶ ନାରାୟଣ ସିଂଦେଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସ୍ଥାନୀୟ ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର ମଧ୍ୟ ବଲାଙ୍ଗିରକୁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା ପାଇଁ ଦାବି କରିଛନ୍ତି। ତେଣେ ନିଶ୍ଚିତ ବିକାଶର ଚିନ୍ତାଧାରା ନେଇ ମୋଦି ଏଠାକୁ ଆସୁଥିବା ବିଜେପି କହିଛି।