ପୁରୀ/ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଏକଘରିଆ ଗାଁରେ ନିର୍ମାଣାଧୀନ ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୂତନ ଦାରୁ ବିଗ୍ରହ ସ୍ଥାପନ ପାଇଁ ଦାରୁ ସଂଗ୍ରହ ନିମିତ୍ତ ବନଯାଗ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ଶାସ୍ତ୍ର ବିରୋଧୀ ଦର୍ଶାଇ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଦଇତାପତି ସେବକ ଜଗଦୀଶ ଦାସ ମହାପାତ୍ର ଏହି ଏତଲା ଦେଇଛନ୍ତି।
ଶ୍ରୀ ଦାସ ମହାପାତ୍ର ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ଶରଣ ଶ୍ରୀକ୍ଷେତ୍ର ଏକଘରିଆରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇ ପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ମା’ ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କ ଦାରୁ ଚିହ୍ନଟ କରାଯାଇ ବନଯାଗ ଯାତ୍ରା ଓ ଯଜ୍ଞ ଆଦିର ଦିନ ନିର୍ଘଣ୍ଟ କରାଯାଇଥିବା ନେଇ ସମ୍ବାଦପତ୍ରରୁ ଜାଣିବାକୁ ପାଇଲୁ। ପରବର୍ତ୍ତୀ ସମୟରେ ଏସବୁ କାର୍ଯ୍ୟକ୍ରମର ଭିଡିଓ କ୍ଲିପ୍ ଓ ଫଟୋ ଆଦି ଦେଖି ସମ୍ବାଦପତ୍ରରେ ପ୍ରକାଶିତ ଖବର ସତ୍ୟ ବୋଲି ଜାଣିବାକୁ ପାଇଲୁ। କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯେ, ଏହା ସଂପୂର୍ଣ୍ଣ ଭାବେ ପରମ୍ପରା ଓ ଜଗନ୍ନାଥ ସଂସ୍କୃତି ବିରୋଧୀ। ଏଣୁ ଯେଉଁ ବ୍ୟକ୍ତିବିଶେଷମାନେ ଏଭଳି ଘୃଣ୍ୟ କାର୍ଯ୍ୟକରି ହିନ୍ଦୁଧର୍ମ ତଥା ଜଗନ୍ନାଥ ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥ ପ୍ରେମୀଙ୍କ ମନ ଓ ଆତ୍ମାକୁ କୁଠାରଘାତ କରୁଛନ୍ତି, ସେମାନଙ୍କୁ ତୁରନ୍ତ ଏଭଳି କାର୍ଯ୍ୟରୁ ବିରତ ରହିବାକୁ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ଏହି ଏତଲା ସହିତ ଶ୍ରୀ ଦାସ ମହାପାତ୍ର କିଛି ଫଟୋ ପୁଲିସ୍କୁ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଚିଣ୍ଟୁ ବାବା (ଏକଘରିଆ ଗ୍ରାମର ବାସିନ୍ଦା), ଶରତ ମହାନ୍ତି (ଚୂନାରା ସେବକ, ସୁଆରସାହି, ପୁରୀ) ଓ ଶିବ ଖୁଣ୍ଟିଆ ପ୍ରମୁଖ ସାମିଲ ଥିବା ଫଟୋରୁ ଜଣାପଡ଼ିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଏହା ସହିତ ଅନ୍ୟ କିଛି ବ୍ୟକ୍ତିଙ୍କ ନାମ ଓ ଠିକଣା ଜଣାନାହିଁ ବୋଲି ସେ ଏତଲାରେ ଦର୍ଶାଇଛନ୍ତି।
[caption id="attachment_723291" align="aligncenter" width="650"] ଚିହ୍ନଟ ଏକ ଦାରୁ ସହିତ ଦୁଇ ସେବାୟତ[/caption]
ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ନବକଳେବର ୨୦୧୫ରେ ହୋଇଥିଲା। ପୁଣି ୧୯ ବର୍ଷ ପରେ ପଡ଼ିବ। ଆଉ ତା’ ଭିତରେ ବନଯାଗ ଯାତ୍ରା କରିବା, ନବକଳେବର କରିବା ଓ ଦାରୁ ଛେଦନ କରିବା ଆଦି ପରମ୍ପରା ବିରୋଧୀ କାର୍ଯ୍ୟ। ତେଣୁ ଏସବୁ କାର୍ଯ୍ୟ କରୁଥିବା ଚିଣ୍ଟୁ ବାବାଙ୍କ ନାଁରେ ଆଜି ଏତଲା ହୋଇଛି। ପରମ୍ପରା ବିରୋଧୀ କାର୍ଯ୍ୟକୁ ପ୍ରଶୟ ଦେବା ଠିକ୍ ନୁହେଁ। ଏହା ଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ ହେବ। ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କାର୍ଯ୍ୟକୁ ଆମେ ବିରୋଧ କରୁନି। କିନ୍ତୁ ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟକୁ ଆମେ ବିରୋଧ କରୁ। ଅଦିନରେ ନବକଳେବର ଓ ନବଯାଗ ଯାତ୍ରା ନେଇ ଆଜି ଏତଲା ଦିଆଯାଇଛି। ଆସନ୍ତାକାଲି ଆମେ ଏହି ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଭେଟିବୁ। ଗଜପତି ମହାରାଜାଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯିବ।
ଅନ୍ୟପକ୍ଷରେ ଶରଣ ଶ୍ରୀକ୍ଷେତ୍ରର ପରିଚାଳକ ଚିଣ୍ଟୁ ବାବା କହିଛନ୍ତି, ଏଠାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଅଧାରୁ ଅଧିକ ସରିଗଲାଣି। ସେଥିପାଇଁ ଭକ୍ତମାନେ ଦାରୁ ସଂଗ୍ରହ କରି ବିଗ୍ରହ ତିଆରି କରି ରତ୍ନବେଦୀରେ ବସାଇବାକୁ ମନସ୍ଥ କରିଛନ୍ତି। ମୁଁ ଏଥିରେ ମୁଖ୍ୟ ପୁରୋଧା ନୁହେଁ। ଭକ୍ତମାନେ ମିଳିତ ସହଯୋଗରେ ଏସବୁ କାର୍ଯ୍ୟ କରୁଛନ୍ତି। ତେବେ ଆମର ପଦ୍ଧତି ଠିକ୍ ନୁହେଁ ବୋଲି ଯାହା କୁହାଯାଉଛି, ସେ ବିଷୟରେ ମୁଁ ଅଜ୍ଞ। ଯଦି କିଛି ଭୁଲ୍ ଥାଏ, ତା’ହେଲେ କ୍ଷମା ମାଗିବାକୁ ପଡ଼ିବ। କାରଣ ଏହା ମହାପ୍ରଭୁଙ୍କ କଥା।
[caption id="attachment_723292" align="aligncenter" width="650"] ଚିଣ୍ଟୁ ବାବା[/caption]
ସୂଚନାଯୋଗ୍ୟ, ଏକଘରିଆରେ ଦାରୁ ବିଗ୍ରହ ନିର୍ମାଣ ନିମନ୍ତେ ସବୁ ପ୍ରକ୍ରିୟା ଗତ ୨୨ ତାରିଖରୁ ଆରମ୍ଭ ହୋଇଛି। ୨୩ ତାରିଖରୁ ବନଯାଗ ଓ ଦାରୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କପିଳାସରୁ ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦାରୁ ସଂଗ୍ରହ କରାଯାଇଥିବା ବେଳେ ଆଜି ଧଳପୁର ଗାଁରୁ ଶ୍ରୀଜଗନ୍ନାଥଙ୍କ ଦାରୁ ଚିହ୍ନଟ କରାଯାଇ ସଂଗ୍ରହ କରାଯାଇଛି। ଆସନ୍ତାକାଲି ଶରଣ ଶ୍ରୀକ୍ଷେତ୍ରରେ ଯଜ୍ଞ ସହିତ ଦାରୁ ଆଗମନ ଓ ସାଧାରଣ ଦର୍ଶନ ବ୍ୟବସ୍ଥା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ୨୯ ତାରିଖରେ ସର୍ବସାଧାରଣ ଦର୍ଶନ ସହ ଯଜ୍ଞରେ ପୂର୍ଣ୍ଣାହୁତି ଓ ମହାଦାରୁଙ୍କ ଗମ୍ଭାରୀବିଜେ ନୀତି ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ଦ୍ୱାରା ଜାରି ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।