ବଟନଦୀରେ ମାଛ ମଡ଼କ ଜାରି

ପାରାଦୀପ: ପାରାଦୀପର ବଟନଦୀରେ ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ମାଛ ମଡ଼କ ଆଜି ବି ଜାରି ରହିଛି। ଅଭିଯୋଗ ହେଉଛି ସମସ୍ୟା ଉତ୍କଟ ହେଉଥିବା ବେଳେ ଏଥିପ୍ରତି ନା ପ୍ରଶାସନ ନା ମତ୍ସ୍ୟ ବିଭାଗ କାହାରି ନିଘା ନାହିଁ। ପ୍ରତିକାର କଥା ଦୂରେ ଥାଉ ମଲା ମାଛ ସବୁକୁ ପାଣିରୁ ବାହାର କରି ନଷ୍ଟ କରିବାକୁ ବି ଉଦ୍ୟମ ହେଉ ନାହିଁ। ପଚା ମାଛ ଦୁର୍ଗନ୍ଧରେ ଫାଟି ପଡୁଛି ଆଖପାଖ ପରିବେଶ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ […]

fish

Rakesh Mallick
  • Published: Monday, 06 June 2016
  • , Updated: 06 June 2016, 09:10 PM IST

ପାରାଦୀପ: ପାରାଦୀପର ବଟନଦୀରେ ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ମାଛ ମଡ଼କ ଆଜି ବି ଜାରି ରହିଛି। ଅଭିଯୋଗ ହେଉଛି ସମସ୍ୟା ଉତ୍କଟ ହେଉଥିବା ବେଳେ ଏଥିପ୍ରତି ନା ପ୍ରଶାସନ ନା ମତ୍ସ୍ୟ ବିଭାଗ କାହାରି ନିଘା ନାହିଁ। ପ୍ରତିକାର କଥା ଦୂରେ ଥାଉ ମଲା ମାଛ ସବୁକୁ ପାଣିରୁ ବାହାର କରି ନଷ୍ଟ କରିବାକୁ ବି ଉଦ୍ୟମ ହେଉ ନାହିଁ। ପଚା ମାଛ ଦୁର୍ଗନ୍ଧରେ ଫାଟି ପଡୁଛି ଆଖପାଖ ପରିବେଶ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,“ ଦୁର୍ଗନ୍ଧ ଯୋଗୁଁ ନଦୀ ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ରହିବା କଷ୍ଟକର ହୋଇପଡ଼ିଛି। ପ୍ରଶାସନ ବି କିଛି ପଦକ୍ଷେପ ନେଉ ନାହିଁ।”

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସ୍ଥାନୀୟ କାର୍ଯ୍ୟାଳୟ ପକ୍ଷରୁ ବଟ ନଦୀର ଜଳ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ବେଳେ ଏପର୍ଯ୍ୟନ୍ତ ତା’ର ରିପୋର୍ଟ ଆସି ନାହିଁ। ସ୍ଥାନୀୟ ପ୍ରଶାସନ ଏହି ରିପୋର୍ଟକୁ ଅପେକ୍ଷା କରି ହାତବାନ୍ଧି ବସିଛି।

ପାରାଦୀପ ଏଡିଏମ୍ ବିଶ୍ୱଜିତ୍ ବିଶ୍ୱାଳ କହିଛନ୍ତି,“ପରୀକ୍ଷା ପରେ ଜଣାପଡ଼ିବ ପାଣିରେ ଦୋଷ ଅଛି ନା ଆଉ କୌଣସି କାରଣରୁ ମାଛମାନେ ମରୁଛନ୍ତି। ତା’ପରେ ପଦକ୍ଷେପ ନିଆଯିବ।”

ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ଆଖପାଖ ଶିଳ୍ପାନୁଷ୍ଠାନରୁ ନିର୍ଗତ ବର୍ଜ୍ୟବସ୍ତୁକୁ ବଟନଦୀରେ ଛଡ଼ା ଯାଉଥିବା ଯୋଗୁ ନଦୀର ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଯାଇଛି। ଫଳରେ ମାଛ ଓ କଙ୍କଡ଼ାଙ୍କ ମୃତ୍ୟୁ ଘଟିଛି। ତେବେ ବିଶେଷଜ୍ଞଙ୍କ କହିବା କଥା ଏନେଇ ଅନୁସନ୍ଧାନର ଆବଶ୍ୟକତା ରହିଛି।

ପୁରୀ ସାମୁଦ୍ରିକ ମତ୍ସ୍ୟ ବିଭାଗ ଗବେଷକ ରୀତା ଜୟଶଙ୍କର କହିଛନ୍ତି,“ପରୀକ୍ଷା କଲା ପର୍ଯ୍ୟନ୍ତ ଏନେଇ କିଛି କହି ହେବ ନାହିଁ। ଆସନ୍ତାକାଲି ଆମେ ସେଠିକାର ପାଣି ସଂଗ୍ରହ କରି ପରୀକ୍ଷା କରିବୁ।”

ବଟନଦୀରେ ହଠାତ୍ ଏଭଳି ମାଛ ମଡ଼କ ଯୋଗୁଁ ଏହା ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜୀବୀଙ୍କ ଜୀବିକା ବି ଉଜୁଡ଼ିବାକୁ ବସିଛି।

Related story