ବେଆଇନ ଘେରି ଉଚ୍ଛେଦ ଆନ୍ଦୋଳନରୁ ଓହରିଲା ଚିଲିକା ମତ୍ସ୍ୟଜୀବି ମହାସଂଘ

ଖୋର୍ଦ୍ଧା: ଆଜି ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ପାଇଁ ଚିଲିକା ମତ୍ସ୍ୟଜୀବି ମହାସଂଘ ଡାକରା ଦେଇଥିଲା। ସଂଘ ଆଇନକୁ ହାତକୁ ନେବା ପୂର୍ବରୁ ପ୍ରଶାସନ ପକ୍ଷରୁ ସେମାନଙ୍କ ସହ ଆଲୋଚନା କରାଯାଇ କିଛିଦିନ ମହଲତ ମଗାଯାଇଥିଲା, ଯାହାକୁ ମହାସଂଘ ମାନିଯାଇ ଆଜିର ଆନ୍ଦୋଳନକୁ ସ୍ଥଗିତ ରଖିଛି। ସମସ୍ୟାର ସମାଧାନ ପାଇଁ ଶୀଘ୍ର ୩ ଜିଲ୍ଲାର ପ୍ରଶାସନକୁ ନେଇ ବୈଠକ ବସିବ ବୋଲି ନିଷ୍ପତ୍ତି ହୋଇଛି। ଚିଲିକା ମତ୍ସ୍ୟଜୀବି ମହାସଂଘ ଡାକରାରେ ଆଜି ବେଆଇନ ଘେରି ଉଚ୍ଛେଦ ପାଇଁ […]

chilika

Rakesh Mallick
  • Published: Saturday, 30 April 2016
  • , Updated: 30 April 2016, 03:42 PM IST

ଖୋର୍ଦ୍ଧା: ଆଜି ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ପାଇଁ ଚିଲିକା ମତ୍ସ୍ୟଜୀବି ମହାସଂଘ ଡାକରା ଦେଇଥିଲା। ସଂଘ ଆଇନକୁ ହାତକୁ ନେବା ପୂର୍ବରୁ ପ୍ରଶାସନ ପକ୍ଷରୁ ସେମାନଙ୍କ ସହ ଆଲୋଚନା କରାଯାଇ କିଛିଦିନ ମହଲତ ମଗାଯାଇଥିଲା, ଯାହାକୁ ମହାସଂଘ ମାନିଯାଇ ଆଜିର ଆନ୍ଦୋଳନକୁ ସ୍ଥଗିତ ରଖିଛି। ସମସ୍ୟାର ସମାଧାନ ପାଇଁ ଶୀଘ୍ର ୩ ଜିଲ୍ଲାର ପ୍ରଶାସନକୁ ନେଇ ବୈଠକ ବସିବ ବୋଲି ନିଷ୍ପତ୍ତି ହୋଇଛି।

ଚିଲିକା ମତ୍ସ୍ୟଜୀବି ମହାସଂଘ ଡାକରାରେ ଆଜି ବେଆଇନ ଘେରି ଉଚ୍ଛେଦ ପାଇଁ ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ଶତାଧିକ ମତ୍ସ୍ୟଜୀବି ଖୋର୍ଦ୍ଧାର ନଇରି ଜେଟିରେ ମେଳି ହୋଇଥିଲେ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ଫୋର୍ସ ସହ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ଆଇନକୁ ହାତକୁ ନ ନେଇ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପ୍ରସ୍ତାବ ଦେଇଥିଲେ। ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ମତ୍ସ୍ୟଜୀବି ମହାସଂଘ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ଘେରି ଉଚ୍ଛେଦ ଅଭିଯାନକୁ ମହାସଂଘ ସ୍ଥଗିତ ରଖିଥିଲା।

ଚିଲିକା ତହସିଲଦାର ପୃଥ୍ୱୀରାଜ ମଣ୍ଡଳ କହିଛନ୍ତି, “ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେ ସିଡିଏ, ଫିସ୍‌ଫେଡ ଓ ରାଜସ୍ୱ ବିଭାଗ ସହ ଆଲୋଚନା କରିବୁ। ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମାଧ୍ୟମରେ ୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ଏବ ବୈଠକ କରାଯାଇ ଆଲୋଚନା କରାଯିବ। ଏହା ପରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆମେ ଆଶା କରୁଛୁ।”

ବାଲୁଗାଁ ଏସ୍‌ଡିପିଓ ରାଜକିଶୋର ପାଇକରାୟ କହିଛନ୍ତି, “ଆଲୋଚନା ପରେ ମହାସଂଘ ଆନ୍ଦୋଳନରୁ ଓହରି ଯାଇଛି। ଦିନ ଧାର୍ଯ୍ୟ କରାଯାଇ ଖୋର୍ଦ୍ଧା, ପୁରୀ ଓ ବ୍ରହ୍ମପୁର ପ୍ରଶାସନକୁ ନେଇ ଏକ ଜିଲ୍ଲାସ୍ତରୀୟ ଆଲୋଚନା କରାଯାଇ ସମସ୍ୟାର ସମାଧାନ ପାଇଁ କରାଯିବ ନିଷ୍ପତ୍ତି ନିଆଯାଇଛି।”

ତେବେ ଶୀଘ୍ର ଏ ନେଇ ପ୍ରଶାସନ ଠୋସ୍‌ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମହାସଂଘ ଚେତାବନୀ ଦେଇଛି।

ମହାସଂଘ ସଭାପତି ରବୀନ୍ଦ୍ରନାଥ ବେହେରା କହିଛନ୍ତି, “ପ୍ରଶାସନର ଅନୁରୋଧକୁ ରକ୍ଷା କରି ଆମେ ଆନ୍ଦୋଳନରୁ ଓହରି ଯାଇଛୁ। ପ୍ରଶାସନ କୌଣସି ପଦକ୍ଷେପ ନ ନେଲେ ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନ ଭୟଙ୍କର ରୂପ ନେବ।”

Related story