ଆଦିବାସୀ ପଲ୍ଲୀରେ କେବେ ଜଳୁନଥିଲା ଶିକ୍ଷାର ଦୀପ! ଏବେ କିନ୍ତୁ ଦାଉ ଦାଉ ହୋଇ ଜଳୁଛି। ଆଉ ସେହି ଦୀପ ଜାଳୁଛନ୍ତି ବାବାଜୀ ସାର୍। ଗରିବ ଆଦିବାସୀ ପିଲାଙ୍କ ଜୀବନ ଗଢ଼ିବା ପାଇଁ ନିଜ ଯୌବନକୁ ଜଳାଞ୍ଜଳି ଦେଇଛନ୍ତି। ଆଉ ଗଢ଼ିବାରେ ଲାଗିପଡ଼ିଛନ୍ତି ପିଲାଙ୍କ ଭବିଷ୍ୟ। ସେମାନଙ୍କୁ କେବଳ ପାଠ ପଢ଼ାଉନାହାନ୍ତି, ପାଠ୍ୟ ଉପକରଣ ମଧ୍ୟ ଯୋଗାଇ ଦେଉଛନ୍ତି। ସେଥିପାଇଁ ବାବାଜୀ ସାରଙ୍କୁ ନେଇ ସବୁଠି ଚର୍ଚ୍ଚା। ଏପରି ଭଲ ଖବାର ଆସିଛି ଭଦ୍ରକରୁ।
ବାବାଜୀ ସାର୍। ତାଙ୍କ ପ୍ରକୃତ ନାଁ ହେଉଛି ମହେଶ୍ୱର ନାୟକ। ଗେଲଟୁଆ ପଞ୍ଚାୟତ ବଗମରା ଗାଁରେ ତାଙ୍କର ଜନ୍ମ। ସେ ଜୟଶ୍ରୀ ନାୟକଙ୍କୁ ପ୍ରେମ ବିବାହ କରିଥିଲେ। ବୈବାହିକ ଜୀବନକୁ ପ୍ରାୟ ୨୫ଟି ଫଗୁଣ ବିତିଲାଣି। ହେଲେ ଆଜି ବାପା-ମାଆ ହୋଇପାରି ନାହାନ୍ତି ମହେଶ୍ୱର ଓ ଜୟଶ୍ରୀ। ସେଥିପାଇଁ ଜମାରୁ ମନ ଦୁଃଖ କରିନାହାନ୍ତି। ବରଂ ଶକ୍ତିଶାଳି ହୋଇଛନ୍ତି। ମନବଳକୁ ସୁଦୃଢ଼ କରିଛନ୍ତି। ଆଉ ଏକ ଦୁନିଆ ଗଢ଼ିତୋଳିବା ପାଇଁ ବଜ୍ର ଶପଥ ନେଇଛନ୍ତି। ଆଉ ଶିକ୍ଷାର ଦୀପ ଜାଳିବା ପାଇଁ ପ୍ରତିଜ୍ଞା ନେଇଛନ୍ତି ମହେଶ୍ୱର ଓ ଜୟଶ୍ରୀ।
ଗରିବ ଆଦିବାସୀ ପିଲାଙ୍କୁ ପାଠ ପଢ଼ାଇବା ଲକ୍ଷ୍ୟରେ ମହେଶ୍ୱର ଓ ଜୟଶ୍ରୀ ୨୦୨୧ ମସିହାରେ ପାଠ ପଢ଼ାଇବା ଆରମ୍ଭ କଲେ। ୬ ଜଣଙ୍କ ପିଲାଙ୍କୁ ପ୍ରଥମେ ପଢ଼ାଇଥିଲେ। ଧୀରେ ଧୀରେ ପିଲାଙ୍କ ସଂଖ୍ୟା ବଢ଼ିଥିଲା। ଚଳିତ ବର୍ଷ ୭୦ରୁ ଅଧିକ ପିଲା ତାଙ୍କୁ ପାଖରେ ପଢ଼ୁଛନ୍ତି। ମାଆ ମଙ୍ଗଳା ମନ୍ଦିରରେ ସେମାନେ ଏକ ଚାଟଶାଳୀ ଖୋଲି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପଢ଼ାଉଛନ୍ତି। ସକାଳେ ଓ ସନ୍ଧ୍ୟା ବେଳେ ଦୁଇଟି ଲେଖାଏଁ ସିଫ୍ଟରେ ପିଲାଙ୍କୁ ମାଗଣାରେ ଶିକ୍ଷା ଦେଉଛନ୍ତି। ପିଲାମାନେ ସ୍କୁଲରୁ ଆସିବା ପରେ ଘରେ ଖାଇପିଇ ପୁଣି ଚାଟଶାଳୀକୁ ଚାଲି ଆସୁଛନ୍ତି। ଏଠାରେ ପାଠ ପଢ଼ି ରାତିରେ ଘରକୁ ଫେରିଛନ୍ତି। ମହେଶ୍ୱରଙ୍କୁ ସହଯୋଗ କରୁଛନ୍ତି ତାଙ୍କ ପତ୍ନୀ ଜୟଶ୍ରୀ ଓ ସ୍ଥାନୀୟ ଅଞ୍ଚଳର କେତେକ ଶିକ୍ଷିତ ଯୁବତୀ।
ସେଠାରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଅନେକ ସହୃଦୟ ବ୍ୟକ୍ତି ସହାୟତା ଯୋଗାଇ ଦେଇଛନ୍ତି। ଖାଦ୍ୟ ସହ ଡ୍ରେସ, ଖାତା, ବହି ଓ ଅନ୍ୟାନ୍ୟ ପାଠ୍ୟ ଉପକରଣ ଯୋଗାଇ ଦେଉଛନ୍ତି। ସାରଙ୍କ ଏପରି ଉଦ୍ୟମକୁ ବହୁ ଅଭିଭାବକ ପ୍ରଶଂସା କରିଛନ୍ତି। କେତେକ ଅଭିଭାବକ କହିଛନ୍ତି, ଦାରିଦ୍ର୍ୟତା ଭିତରେ ଜୀବନ ବିତୁଥିବା ବେଳେ ମହଙ୍ଗା ଦୁନିଆରେ ପିଲାଙ୍କୁ ଟ୍ୟୁସନ୍ କରାଇବା କାଠିକର ପାଠ। ତେଣୁ ସାରଙ୍କର ଏହି ପ୍ରୟାସ ଆମକୁ ବେଶ୍ ସହାୟକ ହେଉଛି ଅଭିଭାବକମାନେ କହିଛନ୍ତି।
ମହେଶ୍ୱର ନାୟକ କହିଛନ୍ତି, ଗରିବ ଆଦିବାସୀ ପିଲାମାନଙ୍କୁ ପାଠ ପଢ଼ାଉଥିବାରୁ ନିଜକୁ ଗର୍ବ ମନେ କରୁଛି। ପିଲାମାନେ ପାଠ ପଢ଼ି ନିଜ ଗୋଡ଼ରେ ଛିଡ଼ା ହୁଅନ୍ତି, ଭଗବାନଙ୍କ ନିକଟରେ ମୁଁ ଏହି ପ୍ରାର୍ଥନା କରୁଛି ବୋଲି ଶ୍ରୀ ନାୟକ କହିଛନ୍ତି।
ସେଠାରେ ପାଠ ପଢ଼ାଉଥିବା ଛାତ୍ରୀ ଗୀତା ମୁର୍ମୁ କହିଛନ୍ତି, ମୁଁ ଯୁକ୍ତ ଦୁଇରେ ପଢ଼ୁଛି। କଲେଜାରୁ ଆସିବା ପରେ ପ୍ରଥମରୁ ୫ମ ଶ୍ରେଣୀର ପିଲାମାନଙ୍କୁ ପାଢ଼ାଉଛି। ଆଉ ସାର୍ ଆସିଲେ ବଡ଼ ପିଲାମାନଙ୍କୁ ପାଠ ପଢ଼ାନ୍ତି। ଏଠାରେ ପଢ଼ାଉଥିବା ମୁଁ ନିଜକୁ ଗର୍ବ ମନେ କରୁଛି ବୋଲି ଗୀତା କହିଛନ୍ତି।