ବାଲେଶ୍ୱର ଟ୍ରେନ୍ ଟ୍ରାଜେଡି: ଯାତ୍ରୀଙ୍କ ମୃତଦେହକୁ ମାଗଣାରେ ଘରେ ପହଂଚାଇବେ ଓଡ଼ିଶା ସରକାର

ଏହାସହିତ ଶବ ଚିହ୍ନଟ ପାଇଁ ଆସୁଥିବା ମୃତକଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ଅସ୍ଥାୟୀ ରହଣୀଠୁ ଆରମ୍ଭ କରି ବିଭିନ୍ନ ହସ୍ପିଟାଲ ଯାଇ ନିଜର ପ୍ରିୟଜନଙ୍କ ମୃତ ଶରୀରକୁ ଚିହ୍ନଟ କରିବା ଓ ସେହି ମୃତ ଶରୀରକୁ ନିଜ ଘରକୁ ନେବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ।

ଆମ୍ବୁଲାନ୍ସ

  • Published: Monday, 05 June 2023
  • , Updated: 05 June 2023, 08:55 PM IST

ବାହାନଗାରେ ଭୟାବହ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତ ଶରୀରକୁ ଓଡ଼ିଶା ସରକାର ନିଜ ଖର୍ଚ୍ଚରେ ସେମାନଙ୍କ ଘରେ ପହଂଚାଇବେ । ଏହାସହିତ ଶବ ଚିହ୍ନଟ ପାଇଁ ଆସୁଥିବା ମୃତକଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ଅସ୍ଥାୟୀ ରହଣୀଠୁ ଆରମ୍ଭ କରି ବିଭିନ୍ନ ହସ୍ପିଟାଲ ଯାଇ ନିଜର ପ୍ରିୟଜନଙ୍କ ମୃତ ଶରୀରକୁ ଚିହ୍ନଟ କରିବା ଓ ସେହି ମୃତ ଶରୀରକୁ ନିଜ ଘରକୁ ନେବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ । ଦେଶର ଯେକୌଣସି ଅଂଚଳରେ ସେମାନଙ୍କ ଘର ହୋଇଥିଲେ ମଧ୍ୟ ସମ୍ପର୍କୀୟଙ୍କ ସହ ମୃତ ଶରୀରକୁ ନେଇ ସେମାନଙ୍କ ଘରେ ପହଂଚାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ମୋଟ ୫୮ଟି ଆମ୍ବୁଲାନ୍ସକୁ ଏବେ ନିୟୋଜିତ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ସମସ୍ତ ଯାତ୍ରୀଙ୍କ ଚିକିତ୍ସା ଖର୍ଚ୍ଚକୁ ଓଡ଼ିଶା ସରକାର ବହନ କରିବେ । ନିଜର ପ୍ରିୟଜନଙ୍କ ମୃତ ଶରୀରକୁ ଚିହ୍ନଟ ପାଇଁ ଆସୁଥିବା ସେମାନଙ୍କ ସମ୍ପର୍କୀୟ ରେଳ ଷ୍ଟେସନ ହେଉ ଅବା ବିମାନବନ୍ଦରରେ ପହଂଚିବା ପରେ ରାଜ୍ୟ ସରକାର ମଧ୍ୟ ସେମାନଙ୍କ ସମସ୍ତ ଦାୟିତ୍ୱ ନେବେ । ସେମାନଙ୍କୁ ଆଣି ଅସ୍ଥାୟୀ ରହିବା ସୁବିଧା ଦେବା, ଖାଦ୍ୟ,ପାନୀୟ ସହ ବିଭିନ୍ନ ହସ୍ପିଟାଲକୁ ନେଇ ଶବ ଚିହ୍ନଟ କରାଇବା ଏବଂ ଶେଷରେ ନିଜର ପ୍ରିୟଜନଙ୍କ ଶବକୁ ଧରି ସେମାନଙ୍କ ଗାଁରେ ପହଂଚାଇବା ପାଇଁ ଯାହା ଆବଶ୍ୟକ ତାହା ରାଜ୍ୟ ସରକାର ନିଜସ୍ୱ ଖର୍ଚ୍ଚରେ କରିବେ । ଏହି ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୃତ ଶରୀରକୁ ସେମାନଙ୍କ ପୈତୃକ ସ୍ଥାନକୁ ନେବା ପାଇଁ ଏବେ ୫୮ଟି ଆମ୍ବୁଲାନ୍ସ ରହିଥିବାବେଳେ ଆବଶ୍ୟକ ପଡ଼ିଲେ ଅଧିକ ସଂଖ୍ୟକ ଗାଡ଼ିର ବନ୍ଦୋବସ୍ତ ରାଜ୍ୟ ସରକାର କରିବେ ବୋଲି ସୂଚନା ମିଳିଛି । ଏହି ଗାଡ଼ି ପରିବହନ ନିମନ୍ତେ ଭୁବନେଶ୍ୱରସ୍ଥିତ ଆରଟିଓଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ଏବେସୁଦ୍ଧା ମୋଟ ମୃତକଙ୍କ ମଧ୍ୟରୁ ୧୭୦ଜଣଙ୍କ ଶବକୁ ସେମାନଙ୍କ ସମ୍ପର୍କୀୟମାନେ ଚିହ୍ନଟ କରିଥିବା ଜଣାପଡ଼ିଛି ।

ସେହିପରି ବାହାନଗାରେ ଦୁର୍ଘଟଣା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କୋଲକାତାକୁ ମାଗଣା ବସ୍ ସେବା ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଓଏସଆରଟିସି ବସ୍ ସମେତ ପୁରୀରୁ ୨୦ଟି ବସ୍‌, ଭୁବନେଶ୍ୱରରୁ ୨୩ଟି ଓ କଟକରୁ ୧୬ଟି ବସରେ ଯାତ୍ରୀମାନେ ମାଗଣାରେ କୋଲକାତା ଯାଇଛନ୍ତି ।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଆଜି ସୁଦ୍ଧା ଏହି ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା ମୋଟ ୧୨୦୭ଜଣଙ୍କୁ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା ଯୋଗାଇ ଦିଆଯାଇଛି । ଏମାନଙ୍କ ମଧ୍ୟରୁ ୧୦୦୯ଜଣ ଯାତ୍ରୀଙ୍କୁ ଡିସଚାର୍ଜ କରାଯାଇଥିବାବେଳେ ୧୯୮ଜଣ ଏବେବି ଚିକିତ୍ସାଧୀନ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣକଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ବୋଲି ସରକାରୀ ଭାବେ ସୂଚନା ମିଳିଛି ।

ଅନ୍ୟପକ୍ଷରେ ଭୁବନେଶ୍ୱରସ୍ଥିତ ଏମସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ୧୨୩ଜଣ ମୃତ ଯାତ୍ରୀଙ୍କ ଶବ ଆସିଛି । ସେଥିରୁ ୬୦ଜଣଙ୍କ ଶବକୁ ସେମାନଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ଆବଶ୍ୟକ ପ୍ରମାଣପତ୍ର ଦେବା ପରେ ହସ୍ତାନ୍ତର କରାଯାଇଛି । ମୃତ ଯାତ୍ରୀମାନଙ୍କ ଶବକୁ ଏମସସ୍ଥି ଫୋରେନ୍ସିକ ଓ ଆନାଟୋମି ବିଭାଗରେ ଅତ୍ୟନ୍ତ ସୁରକ୍ଷିତ ଭାବେ ରକାଯାଇଛି । ଗତ ପ୍ରାୟ ୩୦ ଘଣ୍ଟା ଧରି ଭୁବନେଶ୍ୱର ଏମସକୁ ଏହି ମୃତ ଯାତ୍ରୀଙ୍କ ଶବ ଆସିଛି । ଶବ ଯେଭଳି ନଷ୍ଟ ନହେବ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି । ଭୁବନେଶ୍ୱରସ୍ଥିତ ଏମସକୁ ସହଯୋଗ କରିବା ପାଇଁ ନୂଆଦିଲ୍ଲୀ, ନାଗପୁର ଓ ରାୟପୁର ଏମସରୁ ବିଶେଷଜ୍ଞ ଡାକ୍ତରମାନେ ଆସିଛନ୍ତି ବୋଲି ଭୁବନେଶ୍ୱରସ୍ଥିତ ଏମସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି । ଏମସ ପରିସରରେ ୨୪ଘଣ୍ଟିଆ ହେଲପଲାଇନ୍ ଖୋଲିଛି ୫୦ଜଣ ଡାକ୍ତର, ପାରାମେଡିକାଲ ଷ୍ଟାଫ, ୫୦ଜଣ ଆଟେଣ୍ଡାଣ୍ଟ ଓ ୫୦ରୁ ଅଧିକ ଅଧିକାରୀମାନଙ୍କୁ ଏହି ଦୁର୍ଘଟଣା ପୀଡ଼ିତଙ୍କ ସେବାରେ ନିୟୋଜିତ କରାଯାଇଛି । ଏମସରେ ଏବେ ୫ଟି ବୃହତ୍ କଣ୍ଟେନର ରଖାଯାଇଛି । ଯେଉଁଥିରେ ୪୦ଜଣ ମୃତ ଯାତ୍ରୀଙ୍କ ଶବକୁ ସୁରକ୍ଷିତ ରଖାଯାଇପାରିବ । ଏବେସୁଦ୍ଧା ୩ଟି କଣ୍ଟେନର ଆସିସାରିଛି ବୋଲି ଡଃ ବିଶ୍ୱାସ ସୂଚନା ଦେଇଛନ୍ତି ।

Related story