Advertisment

ବନ କର୍ମଚାରୀଙ୍କୁ ମିଳିଲା ଗୁଳି ଚାଳନାର ଅନୁମତି: ତଦନ୍ତ କରିବେ ସ୍ଥାନୀୟ ମାଜିଷ୍ଟ୍ରେଟ୍, ପୁଲିସ କରିପାରିବ ଗିରଫ

ରାଜ୍ୟର ବନ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ଆତ୍ମରକ୍ଷା ପାଇଁ ଗୁଳି ଚଳାଇବାର ଅନୁମତି ଦେଇଛନ୍ତି ।

author-image
Ordigital Desk
Gun

GUN

ରାଜ୍ୟର ବନ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ଆତ୍ମରକ୍ଷା ପାଇଁ ଗୁଳି ଚଳାଇବାର ଅନୁମତି ଦେଇଛନ୍ତି । ଏହାସହିତ ଏଭଳି ପ୍ରତ୍ୟେକ ଗୁଳି ଚଳାଇବା ଘଟଣାର ତଦନ୍ତ ସ୍ଥାନୀୟ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଦ୍ୱାରା କରାଯିବ ଓ ତ୍ରୁଟି ଥିଲେ ସମ୍ପୃକ୍ତ କର୍ମଚାରୀଙ୍କୁ ପୁଲିସ ଗିରଫ କରିପାରିବ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ବନ କର୍ମଚାରୀଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଉଦବେଗ ବ୍ୟକ୍ତ ସହ ଏଥିପ୍ରତି ଦୃଷ୍ଟି ଦେବାକୁ କୁହାଯିବା ପରେ ରାଜ୍ୟ ସରକାର ଏଭଳି ବିଜ୍ଞପ୍ତି ଜାରି କରିଥିବା ଜଣାପଡ଼ିଛି ।

Advertisment

ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମରେ ରାଜ୍ୟ ସରକାର ସଂରକ୍ଷିତ ଜଙ୍ଗଲ ସମ୍ପତ୍ତିର ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟର ବନ କର୍ମଚାରୀମାନଙ୍କୁ ଗୁଳି ସହ ବନ୍ଧୁକ(ଆଗ୍ନେୟାସ୍ତ୍ରର ଉପଯୋଗ) ଦେବାକୁ ଘୋଷଣା କରିଛନ୍ତି । ତେବେ ଦାୟିତ୍ୱ ଓ କର୍ତ୍ତବ୍ୟ ର୍ନିବାହବେଳେ ବନ କର୍ମଚାରୀମାନଙ୍କୁ ବିଭିନ୍ନ ଅପରାଧିକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିପାରେ । ସେଥିପାଇଁ ପୂର୍ବ ଅନୁମତି ବିନା ସେମାନଙ୍କୁ ଆଗ୍ନେୟାସ୍ତ୍ରର ଉପଯୋଗ କରିବାର ଅନୁମତି ଦେବାର ବି ଆବଶ୍ୟକତା ରହିଛି ।

ତେଣୁ ରାଜ୍ୟ ସରକାର କ୍ରିମିନାଲ ପ୍ରୋସିଜିଓର-୧୯୭୩ (୧୯୭୪ର ୨)ର ଧାରା ୧୯୭(୩)ରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ରାଜ୍ୟପାଳଙ୍କ ପକ୍ଷରୁ କେତେକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସିଆରପିସିର ଧାରା ୧୯୭(୨) ପ୍ରାବଧାନ ଅନୁସାରେ ରାଜ୍ୟର ସମସ୍ତ ଫରେଷ୍ଟ ଗାର୍ଡ, ଫରେଷ୍ଟର, ଡେପୁଟି ଫରେଷ୍ଟ ରେଞ୍ଜ ଅଫିସର, ଫରେଷ୍ଟ ରେଞ୍ଜ ଅଫିସର, ଆସିଷ୍ଟାଣ୍ଟ କଞ୍ଜରଭେଟର, ସବଡିଭିଜିନାଲ ଫରେଷ୍ଟ ଅଫିସର, ଡେପୁଟି କଞ୍ଜରଭେଟର, ଡେପୁଟି ଡାଇରେକ୍ଟର, ଡିଏଫଓ, ରିଜିଓନାଲ ମୁଖ୍ୟ ଫରେଷ୍ଟ କଞ୍ଜରଭେଟର, ଫିଲ୍ଡ ଡାଇରେକ୍ଟର ଓ ଅନ୍ୟ ବନ ଅଧିକାରୀ ଯେଉଁମାନେ କି ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା, ସଂରକ୍ଷଣ ଓ ପରିଚାଳନା ସଂକ୍ରାନ୍ତରେ ସାର୍ବଜନୀନ ବ୍ୟବସ୍ଥା ବଜାୟ ରଖିବା ପାଇଁ କାର୍ଯ୍ୟ କରୁଛନ୍ତି ସେମାନଙ୍କ ଉପରେ ଏହି ଧାରା ପ୍ରଯୁଜ୍ୟ ହେବ । ଏହି ବନ କର୍ମଚାରୀମାନେ ଯେତେବେଳେ କୌଣସି କାରଣରୁ ଗୁଳି ଚଳାଇବେ ତା’ର ତଦନ୍ତ ନିଶ୍ଚିତ ଭାବେ ସ୍ଥାନୀୟ ଏକଜ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଦ୍ୱାରା କରାଯିବ । ଯଦି ତଦନ୍ତରେ କୌଣସି ଅପରାଧିକ ଦିଗ ଆସେ, ତା’ହେଲେ ସମ୍ପୃକ୍ତ ବନ କର୍ମଚାରୀଙ୍କୁ ପୁଲିସ ଗିରଫ କରିପାରିବ । ଆଉ ଗୁଳି ଚଳାଇବା ଅନାବଶ୍ୟକ ଓ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ହୋଇଥିଲା ବୋଲି ମାଜିଷ୍ଟ୍ରେଟଙ୍କୁ ରିପୋର୍ଟ ଦେବାକୁ ପଡ଼ିବ, ଯେଉଁ ରିପୋର୍ଟକୁ ରାଜ୍ୟ ସରକାର ମଧ୍ୟ ଗ୍ରହଣ କରିବେ ବୋଲି ଏହି ବିଜ୍ଞପ୍ତିରେ ଉଳ୍ଲେଖ ରହିଛି ।

Advertisment
Odisha Forest Dept Odisha Forest Department