ବିଜେଡିକୁ ବଇରୀ ପୋଲିସ ! କହିଲା, ବିଜେପି ବାନା ଉଡୁଛି, ଆମ ବେଳକୁ ଦେହ ସହୁନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖବର କାଗଜ ଆଉ ମିଡିଆରେ ସବୁବେଳେ ଘନଘନ ବାଜିଲା ଯେ, ରାଜ୍ୟଯାକରେ ଏବେ ବିଜେଡିର ଦବଦବା । ଯାହା ଚାହୁଛନ୍ତି କରୁଛନ୍ତି, ଯାହାକୁ ଯେତେବେଳେ ଚାହିଁଲେ ତାକୁ ଆଖି ଦେଖେଇଲେ। ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ଅଛି? ଯୋଉ ଦଳ ଶାସନ କଳର ଲଗାମ ଧରିବ ସେହି ଦଳର କାଟତି ରହିବା ସ୍ୱାଭାବିକ ! ହେଲେ ଏବେ ଆମେ ଟିକେ ଓଲଟା ଶୁଣୁଛୁ। ବିଜେଡି କୁଆଡ଼େ ଚାରିଆଡୁ ଶଣ୍ଢୁଆସି ଆକ୍ରମଣ ହେଲା ଭଳି […]

761

Rakesh Mallick
  • Published: Saturday, 17 February 2018
  • , Updated: 17 February 2018, 09:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖବର କାଗଜ ଆଉ ମିଡିଆରେ ସବୁବେଳେ ଘନଘନ ବାଜିଲା ଯେ, ରାଜ୍ୟଯାକରେ ଏବେ ବିଜେଡିର ଦବଦବା । ଯାହା ଚାହୁଛନ୍ତି କରୁଛନ୍ତି, ଯାହାକୁ ଯେତେବେଳେ ଚାହିଁଲେ ତାକୁ ଆଖି ଦେଖେଇଲେ। ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ଅଛି? ଯୋଉ ଦଳ ଶାସନ କଳର ଲଗାମ ଧରିବ ସେହି ଦଳର କାଟତି ରହିବା ସ୍ୱାଭାବିକ ! ହେଲେ ଏବେ ଆମେ ଟିକେ ଓଲଟା ଶୁଣୁଛୁ। ବିଜେଡି କୁଆଡ଼େ ଚାରିଆଡୁ ଶଣ୍ଢୁଆସି ଆକ୍ରମଣ ହେଲା ଭଳି ଅନୁଭବ କରୁଛି। ଆଉ ଏହି ଆକ୍ରମଣରେ କୁଆଡ଼େ ଦଳୀୟ ନେତା ଆଉ କର୍ମୀଙ୍କ ଅବସ୍ଥା ବେହାଲ ହେଲାଣି।

ଆମ ହାତରେ ଏମିତି ଗୋଟିଏ କାଗଜ ପଡ଼ିଛି। ଯାହାକୁ ପଢ଼ି ଲାଗୁଛି, ବିଜେଡିବାଲାଏ ଏବେ ଋଷିଛନ୍ତି। ପୁଣି କାହା ଉପରେ ଜାଣିଛନ୍ତି? ଖୋଦ୍‌ ମୁଖିଆଙ୍କ ବିଭାଗ ଉପରେ । ମାନେ ଠିକ୍‌ ବୁଝିପାରୁଥିବେ। ବିଜେଡି ଏବେ ପୋଲିସ ଉପରେ ଅଭିଯୋଗ ଆଣିଛି। କହିଛି, ତାଙ୍କୁ କୁଆଡ଼େ ପୋଲିସବାଲା ଏବେ ଭାରି ହଇରାଣ କରୁଛନ୍ତି। ବିଜେପୁରରେ ନିର୍ବାଚନୀ ବିଗୁଲ ବାଜିବା ପରଠୁ ହଟଚମଟ ଲାଗିଥିବା ବେଳେ ଗୋଟିକ ପରେ ଗୋଟିଏ ଅଡୁଆରେ ଶଙ୍ଖ ଦଳିଆଙ୍କ ଅବସ୍ଥା ବାରଣ୍ଡା ଦି କଡା ହୋଇଥିଲା। କେତେବେଳେ ଚାଷୀ ଆତ୍ମହତ୍ୟା ତ କେତେବେଳ ଅଣ୍ଡାମାଡ଼ ପୁଣି କେତେବେଳେ କୁନ୍ଦୁଲି। ସତେ ଯେମିତି ଇଶ୍ୱର ଘଣ୍ଟ ଘୋଡ଼େଇ ରଖିଛନ୍ତି ବୋଲି ଦଳ ତିଷ୍ଠିଛି! ନ ହେଲେ ଯୋଉ ଅବସ୍ଥା ନ କହିବା ଭଲ। ହେଲେ ଏଥର କ’ଣ ହେଲା କେଜାଣି। ସବୁ ଅଙ୍କ ଭୁଲ୍‌ ହେଲାଣି ବୋଧେ।

ବିଜେଡିର ଅଭିଯୋଗ ଯେ, ବିଜେପୁରରେ ତାଙ୍କ ଦଳୀୟ ପତକା ଯୋଉଠି ଲାଗୁଛି ପୋଲିସ ସେଠି ଗୋଡ଼େଇ ଗୋଡ଼େଇ ଲୋକଙ୍କୁ ଘଉଡଉଛି। ହେଲେ ନିର୍ଦ୍ୱନ୍ଦ୍ୱରେ ଉଡୁଛି ଗେରୁ ବାନା, ମାନେ ବିଜେପିର ପଦ୍ମ ଧ୍ୱଜାକୁ ଓପାଡି ‍ଫୋପାଡିବାକୁ  କାହାର ହାତ ପାଉନି। ବିଜେଡି ପକ୍ଷରୁ ଏମିତି ଅଭିଯୋଗ ହୋଇଛି ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଖରେ।

କଥାଟା ଅବଶ୍ୟ ପରତେ ଯାଉନି, କାରଣ କ’ଣ ଜାଣନ୍ତି। ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି ଗୃହ ବିଭାଗ । ଯାବତୀୟ ଆଇନ୍‌ଶୃଙ୍ଖଳା ବ୍ୟବସ୍ଥା ମୁଖ୍ୟମନ୍ତ୍ରୀଙ୍କ ହାତରେ। ଏ କଥାକୁ ନେଇ ରାଜ୍ୟ ରାଜନୀତିରେ ଅନେକ ଥର ତୁମ୍ବ ତୋଫାନ ହୋଇଛି। ପୋଲିସ କୁଆଡେ ବିଜେଡିକୁ ଘଣ୍ଟ ଘୋଡାଉଥିଲା ବୋଲି ବିଜେପି ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଛି। ଖାଲି ବିଜେପି ନୁହେଁ, କଂଗ୍ରେସ ବି ସମତାଳରେ ଏମିତି ଅଭିଯୋଗ କରିଛି। ହେଲେ ପୋଲିସ ବିରୋଧରେ ବିଜେଡି ଅଭିଯୋଗକୁ ଆମେ ସହଜରେ ଗ୍ରହଣ କରିପାରୁନୁ। ବିଜେପୁର ରାଜନୀତିର କିଛି ନୂଆ ସମିକରଣ ହେଉଛି କି ବୋଲି ପ୍ରଶ୍ନ ମନକୁ ଆଉଟୁ ପାଉଟୁ କରୁଛି।

Related story