ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀକୁ ଏକ ସପ୍ତାହ ପର୍ଯ୍ୟନ୍ତ ପାଳନ କରିବାକୁ ବିଜେଡି ନିଷ୍ପତ୍ତି ନେଇଛି। ଆଜି ଦଳୀୟ ମୁଖ୍ୟାଳୟରେ ଦଳର ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାର୍ଚ୍ଚ ୫ତାରିଖରେ ବିଜୁ ଜୟନ୍ତୀ ପାଳନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପରେ ଦଳ ପକ୍ଷରୁ ବିଜୁ ଜୟନ୍ତୀ ପାଳନ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହେବ ବୋଲି ସୂଚନା ମିଳିଛି।
ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଦାସବର୍ମା କହିଛନ୍ତି ଯେ, ମାର୍ଚ୍ଚ ୫ତାରିଖ ବିଜୁ ଜୟନ୍ତୀକୁ ବଡ଼ ଆକାରରେ ପାଳନ କରିବା ପାଇଁ ଦଳର ବରିଷ୍ଠ ନେତାମାନଙ୍କ ପକ୍ଷରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦିଆଯିବ। ବିଜୁବାବୁଙ୍କ ଜୟନ୍ତୀକୁ ୭ଦିନ ବ୍ୟାପୀ ସମସ୍ତ ବ୍ଲକ ଓ ନିର୍ବାଚନମଣ୍ଡଳୀରେ ପାଳନ କରାଯିବ। ପ୍ରଥମ ଦିନ ବିଜୁବାବୁଙ୍କ ଜନ୍ମସ୍ଥାନ କଟକରେ ଏକ ବଡ଼ଧରଣର କାର୍ଯ୍ୟକ୍ରମ କରାଯିବ। ବାଲିଯାତ୍ରା ପଡ଼ିଆରେ ଦଳୀୟ କର୍ମୀମାନଙ୍କର ଏକ ବିଶାଳ ସମାରୋହ ପାଳନ କରାଯିବ। ଏହି ୭ଦିନ ମଧ୍ୟରେ ମହିଳା, ଯୁବ ଓ ଛାତ୍ର ବିଜେଡି ପାଇଁ କିଛି କାର୍ଯ୍ୟକ୍ରମର ଆୟୋଜନ ହୋଇଛି।
ବିଜୁବାବୁଙ୍କ ସାହାସିକତା ଓ ଓଡ଼ିଶା ଗଢ଼ିବାରେ ତାଙ୍କର ଭୂମିକା ଓ ବଳିଦାନକୁ ଲୋକଙ୍କ ପାଖରେ ପହଞ୍ଚାଯିବ। ଏହାସହିତ ୨୦ବର୍ଷ ଧରି ଦଳ ଓ ସରକାରଙ୍କର ସଫଳତା ସମ୍ପର୍କରେ ମଧ୍ୟ ଲୋକଙ୍କୁ ଅବଗତ କରାଯିବ। ତେବେ ଏସବୁ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
ଆଜିର ଏହି ବୈଠକରେ ଦଳର ବରିଷ୍ଠ ଉପସଭାପତି ଅନଙ୍ଗଉଦୟ ସିଂହଦେଓ, ବରିଷ୍ଠ ନେତା ମହେଶ୍ୱର ମହାନ୍ତି,ପ୍ରମିଳା ମଲ୍ଲିକ, ପ୍ରଫୁଲ୍ଲ ମଲ୍ଲିକ, କିଶୋର ମହାନ୍ତି, ଉଷା ଦେବୀ, ପ୍ରଣବ ପ୍ରକାଶ ଦାସଙ୍କ ସମେତ କିଛି ବରିଷ୍ଠ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ।