ଭାବମୂର୍ତ୍ତି ସୁଧାରିବା ପାଇଁ ରଣନୀତି ବଦଳାଇବ ବିଜେଡି

ଭୁବନେଶ୍ୱର(ପ୍ରକାଶ ସେଠୀ): ସାଧାରଣ ନିର୍ବାଚନ ପରଠୁ ବିଜେପି ଓ ବିଜେଡି ମଧ୍ୟରେ ପରିବର୍ତ୍ତିତ ରାଜନୀତିକ ସମୀକରଣ ଏବେ ଓଡ଼ିଶାକୁ ତା’ର ନ୍ୟାଯ୍ୟ ହକରୁ ବଞ୍ଚିତ କରୁଥିବାବେଳେ ବିଜେଡି ପାଇଁ ବି ମହଙ୍ଗା ପାଲଟିଲାଣି। ବିଶେଷକରି ନାଗରିକତା ସଂଶୋଧନ ବିଲକୁ ବିଜେଡି ସମର୍ଥନ ଜଣାଇବା ପରଠୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ରାଜ୍ୟରେ ମୁସଲିମ୍ ସମୁଦାୟଙ୍କ ମଧ୍ୟରେ ରହିଥିବା ଆସ୍ଥା ଏବେ ପ୍ରଭାବିତ ହେବା ସହ ବିଜେଡିର ଧର୍ମନିରପେକ୍ଷ ଭାବମୂର୍ତ୍ତିକୁ ନେଇ ମଧ୍ୟ ବିଭିନ୍ନ […]

694033-naveen-patnaik-dna-750x430

694033-naveen-patnaik-dna-750x430

Manoranjan Sial
  • Published: Friday, 20 December 2019
  • Updated: 20 December 2019, 10:13 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ସାଧାରଣ ନିର୍ବାଚନ ପରଠୁ ବିଜେପି ଓ ବିଜେଡି ମଧ୍ୟରେ ପରିବର୍ତ୍ତିତ ରାଜନୀତିକ ସମୀକରଣ ଏବେ ଓଡ଼ିଶାକୁ ତା’ର ନ୍ୟାଯ୍ୟ ହକରୁ ବଞ୍ଚିତ କରୁଥିବାବେଳେ ବିଜେଡି ପାଇଁ ବି ମହଙ୍ଗା ପାଲଟିଲାଣି। ବିଶେଷକରି ନାଗରିକତା ସଂଶୋଧନ ବିଲକୁ ବିଜେଡି ସମର୍ଥନ ଜଣାଇବା ପରଠୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ରାଜ୍ୟରେ ମୁସଲିମ୍ ସମୁଦାୟଙ୍କ ମଧ୍ୟରେ ରହିଥିବା ଆସ୍ଥା ଏବେ ପ୍ରଭାବିତ ହେବା ସହ ବିଜେଡିର ଧର୍ମନିରପେକ୍ଷ ଭାବମୂର୍ତ୍ତିକୁ ନେଇ ମଧ୍ୟ ବିଭିନ୍ନ ମହଲରେ ସମାଲୋଚନା ହେଉଛି। ନାଗରିକତା ସଂଶୋଧନ ଆଇନକୁ ଦେଶର ବିଭିନ୍ନ ଭାଗରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଉଥିବାବେଳେ ବିଜେଡି ଏଭଳି ଏକ ବିଲକୁ ନିଃସର୍ତ୍ତ ସମର୍ଥନ ଦେଇ ବ୍ୟାକଫୁଟକୁ ଆସିଯାଇଛି। ଯେଉଁଥିପାଇଁ ଦଳ ନିଜର ଭାବମୂର୍ତ୍ତି ସୁଧାରିବା ପାଇଁ ରଣନୀତି ବଦଳାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସାଧାରଣ ନିର୍ବାଚନ ପରଠୁ ବିଜେପି ସହ ବିଜେଡିର ଘନିଷ୍ଠତା ଓ ସଂସଦରେ ଅଧିକାଂଶ ବିଲକୁ ସମର୍ଥନ ଜଣାଇବାର ରାଜନୀତିକ ଫାଇଦା ବିଜେଡିକୁ ମିଳୁନାହିଁ। କେବଳ ରାଜନୀତିକ ନୁହେଁ ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗ ବା ହକ୍ ପୂରଣ ଦିଗରେ ମଧ୍ୟ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବିଶେଷ ଆଗ୍ରହ ଦେଖାଉନାହାନ୍ତି। ଏପରିକି ବିଜେପିକୁ ଗୋଟିଏ ରାଜ୍ୟସଭା ଟେକି ଦେବାର ପ୍ରତିଦାନ ମଧ୍ୟ ବିଜେଡିକୁ ମିଳିନାହିଁ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ପ୍ରତି ବିଜେଡିର ଏଭଳି କୋହଳ ଆଭିମୁଖ୍ୟ ଯୋଗୁ ରାଜ୍ୟ ରାଜନୀତିରେ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପି ଓ ବିଜେଡିର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ବୁଝାମଣା ହୋଇଥିବାରୁ ବିଜେଡି କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟକୁ ଆଖିବୁଜି ନିରବ ସମର୍ଥନ ଜଣାଉଛି ବୋଲି ଚର୍ଚ୍ଚା ହେଉଛି । ଯାହାକି ବିଜେଡି ଭଳି ଆଞ୍ଚଳିକ ଦଳର ତୃଣମୂଳସ୍ତରର କର୍ମୀଙ୍କ ମନୋବଳ ଓ ଜୋସକୁ ପ୍ରଭାବିତ କରିଛି ।

ସାଧାରଣ ନିର୍ବାଚନ ପରେ ନରେନ୍ଦ୍ର ମୋଦି ସରକାରର ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ଯଥା ଟ୍ରିପଲ ତଲାକ ବିଲ୍, ଜାମ୍ମୁ କଶ୍ମୀରରୁ ଧାରା-୩୭୦ ଉଚ୍ଛେଦ , ନାଗରିକ ସଂଶୋଧନ ବିଲ ଓ ୩ ଡଜନରୁ ଅଧିକ ବିଲ ସଂସଦରେ ବିଜେଡି ସମର୍ଥନ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରତିଦାନରେ କିଛି ପାଇପାରିନି। ଏପରିକି ଦଳ ପକ୍ଷରୁ ମୁଖ୍ୟ ଦାବି ଭାବେ ‘ବିଧାନପରିଷଦ ବିଲକୁ ମଞ୍ଜୁରୀ’ ଦେବା ପ୍ରସଙ୍ଗକୁ ମଧ୍ୟ କେନ୍ଦ୍ରର ବିଜେପି ସରକାର ଶୀତଳ ଭଣ୍ଡାରରେ ପକାଇ ରଖିଛି । ପୋଲାଭରମ୍ ପ୍ରକଳ୍ପ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଧାନର ଏମଏସପି ଓ ମହାନଦୀ ପ୍ରସଙ୍ଗ ଭଳି ବିଜେଡିର ମୁଖ୍ୟ ପ୍ରସଙ୍ଗରେ କେନ୍ଦ୍ର ସରକାରଠୁ ସକରାତ୍ମକ ସହଯୋଗ ମିଳୁନି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ନୂଆ ମାନଦଣ୍ଡକୁ ସାମିଲ ଓ ସ୍ପେଶାଲ ଫୋକସ ଷ୍ଟେଟ୍ ଭାବେ ନବୀନଙ୍କ ବାରମ୍ବାର ଦାବିକୁ କେନ୍ଦ୍ର ସରକାର ଗତ କିଛିମାସ ତଳେ ଅଗ୍ରାହ୍ୟ କରିଛନ୍ତି। ପୋଲାଭରମ୍ ପ୍ରସଙ୍ଗରେ ବି ଓଡ଼ିଶା ବ୍ୟାକଫୁଟରେ ରହିଛି। ଚାଷୀ ପ୍ରସଙ୍ଗରେ ନୂଆଦିଲ୍ଲୀରେ ବିକ୍ଷୋଭ କରିଥିବା ବିଜେଡି ଏପର୍ଯ୍ୟନ୍ତ ଧାନର ଏମଏସପି ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାର କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବି ବି ଉପସ୍ଥାପନ କରିପାରିଲା ନାହିଁ।ଏସବୁ ଘଟଣାକ୍ରମ ଓ ଜାତୀୟ ରାଜନୀତିକ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ବିଜେଡି ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛି।

ସୂଚନା ଅନୁସାରେ, ବିଜେଡି ଏଣିକି କେନ୍ଦ୍ର ସରକାରଙ୍କ ସହ ସିଧାସଳଖ ମୁହାଁମୁହିଁ ନହୋଇ ରାଜ୍ୟ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗକୁ ଉଭୟ ରାଜ୍ୟ ରାଜରାସ୍ତା ଓ ସଂସଦରେ ଉଠାଇବା ସହ ଏସବୁ ପ୍ରସଙ୍ଗରେ ରାଜନୀତିକ ଆକ୍ରମଣ ପୁଣିଥରେ ଆରମ୍ଭ କରିବ। ବିଶେଷକରି ଦଳର ଧର୍ମନିରପେକ୍ଷ ଭାବମୂର୍ତ୍ତି ଧୂମିଳ ହେଉଥିବାରୁ ଆଉ ଖୋଲାଖୋଲି କେନ୍ଦ୍ରର ଶରଣରେ ନରହି ‘ଚେକ୍ ଆଣ୍ଡ ବାଲାନ୍ସ’ ଏବଂ ଅତି ଜରୁରୀ ପଡ଼ିଲେ ସମର୍ଥନ ଦେବା ଭଳି ଆଭିମୁଖ୍ୟ ଗ୍ରହଣ କରିବାକୁ ବିଜେଡି ନିଷ୍ପତ୍ତି ନେଇଛି। ଡିସେମ୍ବର ୨୬ରେ ଦଳର ୨୩ତମ ପ୍ରତିଷ୍ଠା ଦିବସରୁ ହିଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲାଭରମ୍ ଓ ମହାନଦୀ ପ୍ରସଙ୍ଗ ଉଠାଇ ଏସବୁ ଦାବିକୁ ହାସଲ ନିମନ୍ତେ ଦଳୀୟ କର୍ମୀମାନଙ୍କୁ ଆବଶ୍ୟକ ଜନସଚେତନତା ସୃଷ୍ଟି ନିମନ୍ତେ ଆହ୍ୱାନ ଦେବେ ବୋଲି ଜଣାପଡ଼ିଛି। ଏହା ମାଧ୍ୟମରେ କେନ୍ଦ୍ରର ବିଜେପି ନେତୃତ୍ୱ ସହ ବିଜେଡିର ରୋମାନ୍ସ ଏବେ କେବଳ ଗୋପନ ପୀରତି ହୋଇ ରହିବ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos