ସଂଶୋଧନ ହେବ ବିଜେଡି ସମ୍ବିଧାନ, କମିଟି ସୁପାରିସକୁ ମିଳିବ ମଞ୍ଜୁରୀ

ଭୁବନେଶ୍ୱର(ପ୍ରକାଶ ସେଠୀ): ସର୍ବବୃହତ୍ ଆଂଚଳିକ ଦଳ ବିଜେଡି ନିଜର ଦଳୀୟ ସମ୍ବିଧାନର ସଂଶୋଧନ କରିବ। ଦଳର ସମ୍ବିଧାନ ଓ ନିୟମାବଳୀ ସଂଶୋଧନ ପାଇଁ ଗଠିତ କମିଟିର ସୁପାରିସ୍ ଉପରେ ରାଜ୍ୟ କାର୍ଯ୍ୟକାରିଣୀ ଓ କାର୍ଯ୍ୟ ପରିଷଦରେ ବିସ୍ତୃତ ଆଲୋଚନା କରାଯାଇ ଏ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଗତ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ଦ୍ୱିତୀୟଥର ପାଇଁ ନିଜର ଦଳୀୟ ସମ୍ବିଧାନର ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି। […]

bjd

Ranjit Kumar Jena
  • Published: Thursday, 17 December 2020
  • , Updated: 17 December 2020, 10:18 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ସର୍ବବୃହତ୍ ଆଂଚଳିକ ଦଳ ବିଜେଡି ନିଜର ଦଳୀୟ ସମ୍ବିଧାନର ସଂଶୋଧନ କରିବ। ଦଳର ସମ୍ବିଧାନ ଓ ନିୟମାବଳୀ ସଂଶୋଧନ ପାଇଁ ଗଠିତ କମିଟିର ସୁପାରିସ୍ ଉପରେ ରାଜ୍ୟ କାର୍ଯ୍ୟକାରିଣୀ ଓ କାର୍ଯ୍ୟ ପରିଷଦରେ ବିସ୍ତୃତ ଆଲୋଚନା କରାଯାଇ ଏ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହେବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗତ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ଦ୍ୱିତୀୟଥର ପାଇଁ ନିଜର ଦଳୀୟ ସମ୍ବିଧାନର ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି। ଚଳିତମାସ ୨୬ତାରିଖରେ ଦଳ ନିଜର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବାବେଳେ ଏହା ପୂର୍ବରୁ ଦଳୀୟ କାର୍ଯ୍ୟକାରିଣୀ ଓ କାର୍ଯ୍ୟ ପରିଷଦ ବୈଠକ ବସି ସମ୍ବିଧାନରେ ଆବଶ୍ୟକ ସଂଶୋଧନ ନିମନ୍ତେ ପ୍ରସ୍ତାବ ଗୃହୀତ କରିବ ବୋଲି ଜଣାପଡ଼ିଛି। ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ଗଠିତ ସମ୍ବିଧାନ ସଂଶୋଧନ କମିଟି ଯେଉଁସବୁ ସୁପାରିସ୍ କରିଛି ତାହା ଉପରେ ଆସନ୍ତା ୨୦ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିସ୍ତୃତ ଆଲୋଚନା ହୋଇ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଗୃହୀତ ହେବ।

ଦଳ ସୂତ୍ରରୁ ଜଣାପଡ଼ିଛି ଯେ, ବିଜେଡିର ସଦସ୍ୟ ସଂଖ୍ୟା ଏବେ ଏକ କୋଟିରେ ପହଂଚିଥିବାବେଳେ ଦଳରେ ଅଧିକ ପଦପଦବୀ ସୃଷ୍ଟିର ଆବଶ୍ୟକତା ଦେଖାଦେଇଛି । ଯେଉଁଥିପାଇଁ ଦେବୀ ମିଶ୍ରଙ୍କ ନେତୃତ୍ୱରେ ଗଠିତ କମିଟି ଦଳରେ କେତେକ ନୂଆ ପଦବୀ ସୃଷ୍ଟି ସହ କାର୍ଯ୍ୟକାରିଣୀ ସଦସ୍ୟ ଓ ପଦାଧିକାରୀ ପଦବୀ ସଂଖ୍ୟା ବୃଦ୍ଧି ପାଇଁ ସୁପାରିସ୍ କରିଛନ୍ତି। ଏହାସହିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏବେ ଦଳରେ ରହିଥିବା ପ୍ରାବଧାନରେ ସଂଶୋଧନ ସହ ଦଳର ସୁପ୍ରିମୋଙ୍କୁ ଅଧିକ କ୍ଷମତା ପ୍ରଦାନ ନିମନ୍ତେ କମିଟି ସୁପାରିସ୍ କରିଛି। ରାଜ୍ୟ କାର୍ଯ୍ୟକାରିଣୀ ଓ ପରିଷଦରେ ଏହି ସମ୍ବିଧାନ ସଂଶୋଧନ ପ୍ରସ୍ତାବକୁ ଗୃହୀତ କରାଯିବାପରେ ତାକୁ ନିର୍ବାଚନ କମିଶନଙ୍କ ନିକଟକୁ ପଠାଯିବ।

ଉଲ୍ଲେଖଯୋଗ୍ୟ, ୨୦୦୭ ମସିହାରେ ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ବିଜେଡି ପ୍ରଥମଥର ପାଇଁ ନିଜର ଦଳୀୟ ସମ୍ବିଧାନରେ ସଂଶୋଧନ କରିଥିଲା। ଦଳର ସଦସ୍ୟତା ଫି’ ବୃଦ୍ଧି ଓ ମହାସଚିବ ପଦବୀକୁ ଉଚ୍ଛେଦ କରାଯାଇଥିଲା।

ସୂଚନାଯୋଗ୍ୟ, ଆସନ୍ତା ୨୦ତାରିଖ ପୂର୍ବାହ୍ନ ସାଢ଼େ ୧୦ଟାରେ ଦଳର ରାଜ୍ୟ କାର୍ଯ୍ୟାଳୟରେ ୮୧ଜଣିଆ ରାଜ୍ୟ କାର୍ଯ୍ୟକାରିଣୀର ବୈଠକ ଅନୁଷ୍ଠିତ ହେବ। ଏଥିରେ ରାଜନୀତିକ ଓ ସାଂଗଠନିକ ପ୍ରସ୍ତାବ ଗୃହୀତ ହେବାର କାର୍ଯ୍ୟକ୍ରମ ରହିଛି।

Related story