ବିଜେଡି ଇସ୍ତାହାର ହେଉଛି ପ୍ରତାରଣାର ଶ୍ୱେତପତ୍ର : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ନିର୍ବାଚନୀ ଇସ୍ତାହାର ହେଉଛି ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ପ୍ରତାରଣାର ଶ୍ୱେତପତ୍ର। ଗତ ୧୯ବର୍ଷ ଧରି କେବଳ ସୁନେଲି ସ୍ୱପ୍ନ ଦେଖାଇ ଓଡ଼ିଆ ଲୋକଙ୍କୁ ମୁଖ୍ୟମନ୍ତ୍ରୀ କିଭଳି ଠକି ଚାଲିଛନ୍ତି, ତା’ର ନମୂନା ବିଜେଡିର ସଦ୍ୟ ପ୍ରକାଶିତ ନିର୍ବାଚନୀ ଇସ୍ତାହାର ବୋଲି ବିଜେପି ଅଭିଯୋଗ କରିଛି। ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୧୯ ବର୍ଷ […]

samir-mohanty

Manoranjan Sial
  • Published: Wednesday, 10 April 2019
  • , Updated: 10 April 2019, 09:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ନିର୍ବାଚନୀ ଇସ୍ତାହାର ହେଉଛି ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ପ୍ରତାରଣାର ଶ୍ୱେତପତ୍ର। ଗତ ୧୯ବର୍ଷ ଧରି କେବଳ ସୁନେଲି ସ୍ୱପ୍ନ ଦେଖାଇ ଓଡ଼ିଆ ଲୋକଙ୍କୁ ମୁଖ୍ୟମନ୍ତ୍ରୀ କିଭଳି ଠକି ଚାଲିଛନ୍ତି, ତା’ର ନମୂନା ବିଜେଡିର ସଦ୍ୟ ପ୍ରକାଶିତ ନିର୍ବାଚନୀ ଇସ୍ତାହାର ବୋଲି ବିଜେପି ଅଭିଯୋଗ କରିଛି।

ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୧୯ ବର୍ଷ ହେଲାଣି ମିଛ କହି କହି ଓଡ଼ିଆ ଲୋକଙ୍କୁ ଠକି ଆସିଥିବା ବିଜେଡି ଚଳିତ ନିର୍ବାଚନ ଇସ୍ତାହାରରେ ଠକାମିର ନୂଆ ରାସ୍ତା ପ୍ରସ୍ତୁତ କରିଛି। ବିଜେଡିର ଇସ୍ତାହାରରେ ଓଡ଼ିଶା ରାଜ୍ୟ ସରକାରଙ୍କର ଲୋଗୋ ଓ ୱେବସାଇଟକୁ ବ୍ୟବହାର କରାଯାଇଛି ଯାହା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲଙ୍ଘନ। ମୁଖ୍ୟମନ୍ତ୍ରୀ ନିର୍ବାଚନ ଜିତିବା ପାଇଁ ବିଜେଡିର ସରକାରୀକରଣ କରାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଟିକେଟ ବାଣ୍ଟିବା ଠାରୁ ଆରମ୍ଭ କରି ଟଙ୍କା ବାଣ୍ଟିବା ପର୍ଯ୍ୟନ୍ତ ସବୁ କାମ କରୁଛନ୍ତି। ଏବେ ନିର୍ବାଚନ ଇସ୍ତାହାରକୁ ବି ସରକାରୀକରଣ କରାଇବାକୁ ମୁଖ୍ୟମନ୍ତ୍ରୀ ବିରତ ହୋଇନାହାନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ବିଜେଡି ତା’ର ଇସ୍ତାହାରରେ ମହିଳା ସଶକ୍ତିକରଣ କଥା କହୁଥିବାବେଳେ ନିଜେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମହିଳା ଉତ୍ପୀଡ଼ନକାରୀ ଅଭିଯାନର ସାରଥୀ। ମହିଳା ଉତ୍ପୀଡ଼ନକାରୀ ଓ ଓଡ଼ିଶାକୁ ଲଜ୍ଜିତ କରିଥିବା ବ୍ୟକ୍ତିମାନଙ୍କୁ ବିଜେଡି ଏଥର ବିଧାନସଭା ଟିକେଟ ଦେଇଛି। ମହିଳା ଓ ଶିଶୁଙ୍କ ପୁଷ୍ଟି ଓ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଓଡ଼ିଶାର ଆଦିବାସୀ ଅଞ୍ଚଳ ଦେଶରେ ସବୁଠୁ ପଛରେ କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି। ବିଗତ ୧୯ ବର୍ଷରେ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀ କ’ଣ କରିଛନ୍ତି ତାହାର ହିସାବ ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସେହିପରି ୨୦ଲକ୍ଷ ପରିବାରକୁ ପକ୍କାଘର ନିର୍ମାଣ କରାଯାଇଥିବା ଦାବି ପର ତିଅଣରେ ବାହାଘର ଭୋଜି କରିବା ସହ ସମାନ। ବିଜେଡି ନିର୍ବାଚନ ଇସ୍ତାହାରରେ ୩୦ ଲକ୍ଷ ଲୋକଙ୍କୁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଟଙ୍କିକିଆ ଚାଉଳ ଯୋଗାଇ ଦେବା କହିଥିବାବେଳେ ବିଧାନସଭାରେ ମାତ୍ର ୨୩ଲକ୍ଷ ଲୋକଙ୍କୁ ଚାଉଳ ଦେବା କଥା ସରକାର କହିଛନ୍ତି। ତେଣୁ ଇସ୍ତାହାର ସତ ନା ବିଧାନସଭାରେ ଉତ୍ତର ସତ, ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଆୟୁଷ୍ମାନ ଯୋଜନାକୁ ରାଜ୍ୟ ସରକାର କାହିଁକି ଲାଗୁ କଲେନି ବୋଲି ପ୍ରଶ୍ନ କରିବା ସହ ମେକ୍ ଇନ୍ ଓଡ଼ିଶାରେ ବାସ୍ତବରେ ରାଜ୍ୟରେ କେତେ ପୁଞ୍ଜିନିବେଶ ହେଲା ତା’ର ହିସାବ ଇସ୍ତାହାରରେ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା ଆଳରେ ଶିଳ୍ପପତିମାନଙ୍କୁ ଡାକି ନିର୍ବାଚନୀ ଚାନ୍ଦା ଆଦାୟ କରିବାର ମସୁଧା କରିଥିଲେ ବୋଲି ବିଜେପି ଅଭିଯୋଗ କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Related story