BjD-flag
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଆଗୁଆ ନିଜର ସାଂଗଠନିକ କାର୍ଯ୍ୟକୁ ଜୋରଦାର କରିଛି । ୨୦୨୪ ମାର୍ଚ୍ଚ-ଏପ୍ରିଲ ନୁହେଁ ବରଂ ୨୦୨୩ ଅକ୍ଟୋବର-ନଭେମ୍ବରରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବିଜେଡି ନିଜକୁ ଏବେଠୁ ସେଥିପାଇଁ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଉତ୍ତମ ସମ୍ପର୍କ ରଖି ବିଜେଡି ପରୋକ୍ଷରେ ରାଜ୍ୟରେ ବିଜେପି ସଂଗଠନକୁ ଦୁର୍ବଳ କରି ନିଜେ ନିର୍ବାଚନୀ ସଫଳତା ସାଉଁଟିଥିବାବେଳେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଓଡ଼ିଶାରେ ନିଜର ରଣନୀତି ପରିବର୍ତ୍ତନ ସହ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିପାରେ ବୋଲି ବିଜେଡି ଆଶଙ୍କା କରୁଥିବା ଜଣାପଡ଼ିଛି । ଆଉ ଏହି କାରଣରୁ ବିଜେଡି ନିର୍ଦ୍ଧାରିତ ୩ବର୍ଷ ଅବଧିର ବହୁ ପୂର୍ବରୁ ନିଜର ୩ ଛାମୁଆ ସଂଗଠନ(ଛାତ୍ର, ଯୁବ ଓ ମହିଳା)ର ପୁର୍ନଗଠନ କରିଛି । ଏବେ ଜିଲ୍ଲା କମିଟିର ପୁନର୍ଗଠନ ସହ ନିର୍ବାଚନ ମଣ୍ଡଳୀ ୱାରି ପ୍ରଭାରୀ ଓ ସହପ୍ରଭାରୀଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ବିଜେଡି ଆଗାମୀ ସାଧାରଣ ନିର୍ବାଚନ ୨୦୨୩ ଶେଷ ଭାଗକୁ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ନିଜର ସଂଗଠନକୁ ପୁନର୍ଗଠନ କରିବାରେ ଲାଗିଛି । ବିଜେଡି ମାତ୍ର ୨ବର୍ଷ ଭିତରେ କାହିଁକି ନିଜର ୩ ଛାମୁଆ ସଂଗଠନ ଯଥା-ଛାତ୍ର, ଯୁବ ଓ ମହିଳା ଟିମକୁ ଭାଙ୍ଗି ତା’ର ପୁନର୍ଗଠନ କଲା, ତାକୁ ନେଇ ଦଳୀୟ ନେତାମାନେ ମୁହଁ ଖୋଲୁନଥିଲେ ମଧ୍ୟ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ନିଜର ସାଂଗଠନିକ ପ୍ରକ୍ରିୟା ଶେଷ କରି ଲୋକଙ୍କ ନିକଟକୁ ଯିବାକୁ ପ୍ରସ୍ତୁତି କରିଛି । ଗତ ୨୦୧୯ ସାଧାରଣ ନିର୍ବାଚନ ଯୋଗୁ ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଏକବର୍ଷ ବିଳମ୍ବରେ ହୋଇଥିଲା । ଛାତ୍ର ଓ ଯୁବ ବିଜେଡି କମିଟି ୨୦୨୦ ସେପ୍ଟେମ୍ବର ମାସରେ ପୁନର୍ଗଠନ ହୋଇଥିବା ବେଳେ ମହିଳା କମିଟି ୨୦୨୦ ଜୁଲାଇ ମାସରେ ଘୋଷଣା ହୋଇଥିଲା । ସେହିପରି ବିଜେଡିର ଅଧିକାଂଶ ସାଂଗଠନିକ ଜିଲ୍ଲା କମିଟିଗୁଡ଼ିକ ୨୦୨୧ ମସିହାରେ ପୁନର୍ଗଠିତ ହୋଇଥିଲା । ଦଳର ସମ୍ବିଧାନ ଅନୁସାରେ ଏହି କମିଟିଗୁଡ଼ିକ ସର୍ବନିମ୍ନ ୩ବର୍ଷ କାର୍ଯ୍ୟ କରିବା କଥା, କିନ୍ତୁ ଜିଲ୍ଲା କମିଟି ଗୁଡ଼ିକର ପୁର୍ନଗଠନ କରିବା ନିମନ୍ତେ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା କମିଟିଗୁଡ଼ିକ ମାତ୍ର ବର୍ଷରୁ ଦେଢ଼ବର୍ଷ ଭିତରେ କାର୍ଯ୍ୟ କରିଥିବାବେଳେ ଏସବୁର ପୁନର୍ଗଠନ ପ୍ରକ୍ରିୟା ମାସକ ମଧ୍ୟରେ ଶେଷ କରିବାକୁ ଦଳ ନିଷ୍ପତ୍ତି ନେଇଛି। ଯାହା ଆସନ୍ତା ୨୦୨୩ ଫେବୃୟାରୀ ମାସ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବମ ଥର ପାଇଁ ଦଳର ସଭାପତି ନିର୍ବାଚିତ କରିବାର ପ୍ରକ୍ରିୟାକୁ ମଧ୍ୟ ସାରିବା ପାଇଁ ଲକ୍ଷ୍ୟ ରଖିଛି । ତା’ଛଡ଼ା ଆସନ୍ତା ଅକ୍ଟୋବର ୨ତାରିଖରୁ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେବାର ରହିଛି । ଏହା ପୂର୍ବରୁ ଜିଲ୍ଲା କମିଟି ଗଠନ ସହ, ଜିଲ୍ଲା ପର୍ଯ୍ୟବେକ୍ଷକ ପୁନର୍ଗଠନ, ନିର୍ବାଚନମଣ୍ଡଳୱାରୀ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି(ଛାତ୍ର, ଯୁବ ଓ ମହିଳାଙ୍କୁ ସାମିଲ କରି) ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛି ।
ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଇତିମଧ୍ୟରେ ଦଳର ୬ଜଣ ନେତା ଯଥା- ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା ଓ ମହେଶ୍ୱର ମହାନ୍ତିଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଗତ ଅଗଷ୍ଟ ମାସରେ ମୋଟ ୩୦ଟି ଜିଲ୍ଲାର ସଂଗଠନ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ତେବେ ପ୍ରମିଳା ମଲ୍ଲିକ ଓ ପ୍ରତାପ ଜେନା ପୂର୍ବରୁ ଯଥାକ୍ରମେ ଖୋର୍ଦ୍ଧା ଓ କନ୍ଧମାଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିଥିଲେ। ହେଲେ ଏବେ ଉକ୍ତ ଦୁଇଟି ଜିଲ୍ଲାରେ ପର୍ଯ୍ୟବେକ୍ଷକ କେହି ନାହାନ୍ତି । ୩୦ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରୁଥିବା ସୌଭାଗ୍ୟ ନାୟକ(ବୌଦ୍ଧ), ସୁଧୀର କୁମାର ସାମଲ(ବରଗଡ଼), ବିଜୟ ନାୟକ(ଢେଙ୍କାନାଳ), ତୁଷାରକାନ୍ତି ବେହେରା(ନବରଙ୍ଗପୁର), ନଳିନୀକାନ୍ତ ପ୍ରଧାନ(ସମ୍ବଲପୁର)ଙ୍କ ପ୍ରଦର୍ଶନ ଭଲ ନଥିବାରୁ ସେମାନଙ୍କୁ ଦଳ ପରିବର୍ତ୍ତନ କରି କିଛି ଦକ୍ଷ ନେତାଙ୍କୁ ଦାୟିତ୍ୱ ଦେବ ବୋଲି ଜଣାପଡ଼ିଛି । ତା’ଛଡ଼ା ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁ ଏବେ କୌଣସି ସାଂଗଠନିକ ଦାୟିତ୍ୱରେ ନଥିବାରୁ ସେମାନଙ୍କୁ ମଧ୍ୟ ନିର୍ବାଚନ ପୂର୍ବରୁ ସଂଗଠନ କାର୍ଯ୍ୟରେ ଆଡଜଷ୍ଟ କରିବାର ବାଧ୍ୟବାଧକତା ଦଳ ପାଖରେ ରହିଛି । ମନ୍ତ୍ରୀ ଉଷା ଦେବୀଙ୍କୁ ମଧ୍ୟ ଏହି ପର୍ଯ୍ୟବେକ୍ଷକ ତାଲିକାରୁ ଦୂରେଇ ରଖାଯିବାର ସମ୍ଭାବନା ରହିଛି ।
ରାଜ୍ୟରେ ବିଜେପିର ପରିବର୍ତ୍ତିତ ରଣନୀତି ଓ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଏ ସମସ୍ତ ପ୍ରକ୍ରିୟା ସରିବା ପରେ ସରକାରୀ ବ୍ୟାନରରେ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧରି ବିଜେଡି ଜିଲ୍ଲାୱାରି ନିଜର ସାଂଗଠନିକ କାର୍ଯ୍ୟକ୍ରମ ଜୋରଦାର କରିବ ବୋଲି ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/BjD-flag.jpg)