ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ନବନିଯୁକ୍ତ ରାଜ୍ୟ ପରିଷଦର ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଥମଥର ପାଇଁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କଠୁ ପରାମର୍ଶ ଲୋଡ଼ିଛନ୍ତି। ବୈଠକ ସ୍ଥଳରେ ଥିବା ମତାମତ ବାକ୍ସରେ ରାଜ୍ୟ ପରିଷଦର ପ୍ରତ୍ୟେକ ସଦସ୍ୟଙ୍କୁ ଉଭୟ ଦଳ ଓ ସରକାରର ସୁପରିଚାଳନା ଓ ଲୋକପ୍ରିୟତା ନିମନ୍ତେ ନିଜ ନିଜର ପରାମର୍ଶ ଦେବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି।
ଏହି ରାଜ୍ୟ ପରିଷଦ ବୈଠକ ସମ୍ପର୍କରେ ଆଜି ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଥିଲେ ଯେ, ଦଳୀୟ ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ନିଆଯାଇଥିବା ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ୩୩ଟି ସାଂଗଠନିକ ଜିଲ୍ଲାର ସଭାପତିମାନେ ନିଜର ମତାମତ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଦଳୀୟ କର୍ମୀମାନେ କିଭଳି ତୃଣମୂଳସ୍ତରରେ ସାଧାରଣ ଲୋକଙ୍କ ସ୍ୱାର୍ଥରେ କାର୍ଯ୍ୟାନ୍ୱୟନ କରୁଛନ୍ତି ତାହା ଜିଲ୍ଲା ସଭାପତିମାନେ କହିଥିଲେ। ବିଶେଷକରି ଜୀବନବିନ୍ଦୁ ମାଧ୍ୟମରେ ରକ୍ତ ସଂଗ୍ରହ, ପ୍ରବାସୀଙ୍କୁ ସହାୟତା, କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧନା, ମାସ୍କ ଓ ସାନିଟାଇଜର ବଂଟନ ଆଦି ଭଳି ସାମାଜିକ କାର୍ଯ୍ୟକ୍ରମ ବିଭିନ୍ନ ଜିଲ୍ଲା ସଂଗଠନ କରିଥିବା ସମ୍ପର୍କରେ ଶ୍ରୀମତୀ ମିଶ୍ର ସୂଚନା ଦେଇଥିଲେ । କେତେକ ସାଂଗଠନିକ ଜିଲ୍ଲାର ସଭାପତି ନିଜର ମତାମତକୁ ଉକ୍ତ ଡ୍ରପ ବକ୍ସରେ ପକାଇଥିବା ମଧ୍ୟ ଶ୍ରୀମତୀ ମିଶ୍ର କହିଥିଲେ ।
ସେହିପରି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନିଜେ ତୃଣମୂଳସ୍ତର କାର୍ଯ୍ୟ କରୁଥିବା ନେତାମାନଙ୍କଠୁ ପରାମର୍ଶ ଲୋଡ଼ିଛନ୍ତି । ସମସ୍ତ ପରାମର୍ଶକୁ ତର୍ଜମା କରି ଉପଯୁକ୍ତ ପରାମର୍ଶଗୁଡ଼ିକୁ ଉଭୟ ସରକାର ଓ ଦଳରେ କାର୍ଯ୍ୟରେ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ବହୁତ ବଡ଼ ଉପଲବ୍ôଧ । ଦଳର ପ୍ରତ୍ୟେକ କର୍ମୀ ଓ ନେତା ନିଜନିଜର ମତାମତ ଦେଇପାରିବେ ।
ଏହି ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ସାଂସଦ ରମେଶ ମାଝୀ ଓ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଉପସ୍ଥିତ ଥିଲେ ।