ପ୍ରଦୀପଙ୍କ ପରେ ପ୍ରମିଳା: କାହା ଇସାରାରେ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଟାର୍ଗେଟ୍ କରୁଛି ବିଜେଡି

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ମହାମାରୀ ମୁକାବିଲା ପାଇଁ ଜିଲ୍ଲାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକଗୁଡ଼ିକ ଆଖିଦୃଶିଆ ପଦକ୍ଷେପ ନେଇ ରାଜ୍ୟ ସରକାରଙ୍କ ପ୍ରଶଂସା ସାଉଁଟିଥିବା ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବେ ବିଜେଡି ନେତାମାନଙ୍କ ଆକ୍ରୋଶର ଶିକାର ହୋଇଛି। କରୋନା ମୁକାବିଲା କାର୍ଯ୍ୟରେ ଲୋକପ୍ରତିନିଧିମାନଙ୍କ ସହଯୋଗ ଲୋଡ଼ାଯାଉନଥିବା ଦର୍ଶାଇ ଗଞ୍ଜାମ ଜିଲ୍ଲାର ବିଜେଡି ନେତାମାନେ ଏବେ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ତେବେ ଦୀର୍ଘ ୨ମାସ ଧରି ଚୁପ୍ ରହିଥିବା ଶାସକ ବିଜେଡି ବିଧାୟକ ଓ […]

bnm

Tapas Behera
  • Published: Thursday, 14 May 2020
  • , Updated: 15 May 2020, 11:38 AM IST

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ମହାମାରୀ ମୁକାବିଲା ପାଇଁ ଜିଲ୍ଲାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକଗୁଡ଼ିକ ଆଖିଦୃଶିଆ ପଦକ୍ଷେପ ନେଇ ରାଜ୍ୟ ସରକାରଙ୍କ ପ୍ରଶଂସା ସାଉଁଟିଥିବା ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବେ ବିଜେଡି ନେତାମାନଙ୍କ ଆକ୍ରୋଶର ଶିକାର ହୋଇଛି। କରୋନା ମୁକାବିଲା କାର୍ଯ୍ୟରେ ଲୋକପ୍ରତିନିଧିମାନଙ୍କ ସହଯୋଗ ଲୋଡ଼ାଯାଉନଥିବା ଦର୍ଶାଇ ଗଞ୍ଜାମ ଜିଲ୍ଲାର ବିଜେଡି ନେତାମାନେ ଏବେ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ତେବେ ଦୀର୍ଘ ୨ମାସ ଧରି ଚୁପ୍ ରହିଥିବା ଶାସକ ବିଜେଡି ବିଧାୟକ ଓ ସାଂସଦ ଏବେ ଅଚାନକ ଜିଲ୍ଲା ପ୍ରଶାସନକୁ ଟାର୍ଗେଟ୍ କରୁଥିବାକୁ ନେଇ ଉଭୟ ରାଜନୀତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ମିଳିଥିବା ସୂଚନା ଅନୁସାରେ, ଆସିକା ବିଜେଡି ସାଂସଦ ପ୍ରମିଳା ବିଶୋୟୀ ଗତକାଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଚିଠି ଲେଖି କରୋନା ମୁକାବିଲାକୁ ସଫଳ କରିବା ପାଇଁ ୭ଟି ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବଗୁଡ଼ିକ ମଧ୍ୟରେ ଅଧିକାଂଶ ପ୍ରସ୍ତାବରେ ଜିଲ୍ଲା ପ୍ରଶାସନର ଗୁମରକୁ ପଦାରେ ପକାଇବା ନିମନ୍ତେ ଉଦ୍ଦିଷ୍ଟ ରହିଛି। କ୍ୱାରେଣ୍ଟାଇନ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ପରିବହନ କ୍ଷମତା ଓ ଶୌଚାଳୟ ନଥିବା, ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ମୁତୟନ, ଅଧିକ ନମୁନା ପରୀକ୍ଷା, କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କୁ ମାନସିକ ଫିଟ୍ ରଖିବା ପାଇଁ ଯୋଗ ଓ ମନୋରଞ୍ଜନର ବ୍ୟବସ୍ଥା, କ୍ୱାରେଣ୍ଟାଇନ କେନ୍ଦ୍ର ଓ ପ୍ରବାସୀ ଶ୍ରମିକଙ୍କ ଉପରେ ନଜର ରଖି ପ୍ରଶାସନକୁ ରିପୋର୍ଟ ଦେବାକୁ ଗାଁର ଯୁବକମାନଙ୍କୁ ପାରିଶ୍ରମିକ ଦେଇ ମୁତୟନ ଆଦି ନିମନ୍ତେ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦେଇଛନ୍ତି।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗତ ମେ’ ୧୦ ଓ ୧୨ତାରିଖରେ ୨ଟି ଚିଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖି କରୋନା ମୁକାବିଲା ପାଇଁ କେତେକ ପ୍ରସ୍ତାବ ଦେବା ସହ ବିଧାୟକମାନଙ୍କୁ ଜିଲ୍ଲା ପ୍ରଶାସନ ବିଶ୍ୱାସକୁ ନେଉନଥିବା ଅଭିଯୋଗ କରିଛନ୍ତି। ଏପରିକି ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଥିଲେ।

ତେବେ ପ୍ରଶ୍ନ ଉଠୁଛି, ଉଭୟ ଶ୍ରୀ ପାଣିଗ୍ରାହୀ ଓ ଶ୍ରୀମତୀ ବିଶୋୟୀ ଶାସକ ବିଜେଡିର ହୋଇଥିବାବେଳେ ସେମାନେ ଅଚାନକ ଗତ ୩ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନର ଦୋଷ ଦୁର୍ବଳତାକୁ ପଦାରେ ପକାଇବାକୁ କାହିଁକି ଆଗେଇ ଆସିଲେ। ଏହାପଛରେ ଉଦ୍ଦେଶ୍ୟ କ’ଣ ରହିଛି ? ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ପ୍ରବାସୀ ଓଡ଼ିଆ ଫେରୁଥିବା ଯୋଗୁ ଜିଲ୍ଲାରେ ରାଜ୍ୟରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତଥାପି କରୋନା ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରାୟ ଏକ ଡଜନରୁ ଅଧିକ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଗଞ୍ଜାମ ଜିଲ୍ଲାକୁ ପଠାଇ ସ୍ଥିତି ଉପରେ ନଜର ରଖିଛନ୍ତି। ତା’ଛଡ଼ା ରାଜ୍ୟର ଅନ୍ୟ ଭାଗରେ କରୋନା ରୋଗୀ ଚିହ୍ନଟ ହେଉଥିବାବେଳେ ଗଞ୍ଜାମ ଜିଲ୍ଲାପାଳଙ୍କ କେତେକ ଆଖିଦୃଶିଆ ପଦକ୍ଷେପ ଯୋଗୁ ଜିଲ୍ଲାରେ କରୋନା ପ୍ରବେଶ କରିପାରିନଥିଲା ଓ ସାମାଜିକ ଦୂରତ୍ୱ ବଜାୟ ରହିଥିଲା। ପ୍ରବାସୀ ଫେରିବାପରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଅଚାନକ ବଢ଼ିଯାଇଛି।

ଗତ ୧୦ତାରିଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାର ବିଧାୟକ ଓ ସାଂସଦମାନେ ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ବଢ଼ାଇବାକୁ ସମ୍ମତି ଜଣାଇଥିଲେ। ମାତ୍ର ଏହା ଭିତରେ ଏଭଳି କ’ଣ ସ୍ଥିତି ବିଗିଡି ଗଲା ଯେ, ବିଜେଡି ନେତାମାନେ ଜଣକ ପରେ ଜଣେ ଜିଲ୍ଲା ପ୍ରଶାସନର ଦୋଷତ୍ରୁଟିକୁ ପଦାରେ ପକାଇବାରେ ଲାଗିଛନ୍ତି। ଅବଶ୍ୟ ସୁରଟ ଫେରନ୍ତାଙ୍କ ଯୋଗୁ ବଢ଼ିଥିବା ସଂକ୍ରମିତ ସଂଖ୍ୟା ଉପରେ ନିୟନ୍ତ୍ରଣ ପାଇଁ ଯୁବ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରୟାସ କରୁଛନ୍ତି। ତେବେ କରୋନା ବିପତ୍ତିର ମୁକାବିଲା ପ୍ରଶାସନିକସ୍ତରରେ ହେଉଥିବାବେଳେ ଏଥିରେ ରାଜନୀତିର ଛୁଙ୍କ୍ ଦେବାକୁ ବିଜେଡି ନେତାମାନେ କାହିଁକି ଆଗଭର ହେଉଛନ୍ତି ଓ ଏସବୁ କାହା ଇସାରାରେ ହେଉଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି? ରାଜ୍ୟର ସବୁ ଜିଲ୍ଲା ପ୍ରଶାସନ ଏବେ କରୋନା ମୁକାବିଲା କାର୍ଯ୍ୟରୁ ରାଜନେତାମାନଙ୍କୁ ଦୂରେଇ ରଖିଥିବାବେଳେ ଗଞ୍ଜାମର ନେତାମାନଙ୍କ ଏଭଳି ଆଭିମୁଖ୍ୟକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି।

Related story