ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁକୁ ଦୁଇ ଦିନ ବିତିଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ମାମଲା ତଦନ୍ତ କରିବା ପାଇଁ ଆଜି ଧର୍ମେନ୍ଦ୍ରଙ୍କ ଭୁବନେଶ୍ୱର ଘରେ ପହଞ୍ଚିଛି ୬ ଜଣିଆ ପୁଲିସ ଟିମ୍। ଏଡିସିପି, ସାଇବର ଥାନା ଆଇଆଇସି ପ୍ରମୁଖ ଧର୍ମେନ୍ଦ୍ରଙ୍କ ପତ୍ନୀ ଓ ତାଙ୍କ ଘରେ ଥିବା ରୋଷେୟା ପରିବାରକୁ ଜେରା କରିଛନ୍ତି।
ସେପଟେ ଧର୍ମେନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଧର୍ମେନ୍ଦ୍ର ସାହୁଙ୍କ ଶରୀରର ଅନ୍ୟ କୌଣସି ସ୍ଥାନରେ ଆଘାତ ଚିହ୍ନ ନଥିବା ରିପୋର୍ଟରେ ଉଲ୍ଲେଖ ଅଛି। ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ସୁଇସାଇଡାଲ୍ ହ୍ୟାଙ୍ଗିଙ୍ଗ୍ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ। ତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ହ୍ୟାଙ୍ଗିଙ୍ଗ୍ ଦ୍ୱାରା ଶ୍ୱାସରୁଦ୍ଧରୁ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ ଏହା ଏକ ଆଣ୍ଟିମୋର୍ଟମ ଡେଥ୍ କେସ୍ । ଏହାର ଅର୍ଥ ଜୀବୀତ ଅବସ୍ଥାରେ ଫାଶି ଲଗାଇ ମୃତ୍ୟୁ ଘଟିଛି। ଦେହରେ କ୍ଷତ ନଥିବାରୁ ଏହା ଏକ ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଛି।
ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀର ୧୧ ନମ୍ବର ଜୋନ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଥିଲେ ଧର୍ମେନ୍ଦ୍ର ସାହୁ। ଦୁଇ ଦିନ ତଳେ ତାଙ୍କ ଝୁଲନ୍ତା ମୃତଦେହ ଭୁବନେଶ୍ୱର ଲକ୍ଷ୍ମୀବିହାର ସ୍ଥିତ ବାସଘର ସମ୍ମୁଖରୁ ଉଦ୍ଧାର କରାଯାଇଥିଲା। ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ସୋଶାଲ ମିଡିଆ ଫେସ୍ବୁକ୍ରେ ଏକ ପୋଷ୍ଟ କରିଥିଲେ। ସେଥିରେ ସେ ଲେଖିଥିଲେ, ‘ମୋ ଫୋନ୍ ଦୁଇଟାରେ ସବୁ ଭିଡିଓ ରହିଛି। ତାକୁ ଲୋକଲୋଚନକୁ ଆଣିବେ।’ ପ୍ରଶ୍ନ ଉଠୁଛି, କାହା ଉଦ୍ଦେଶ୍ୟରେ ସେ ଏଭଳି ଲେଖିଥିଲେ? ଦୁଇ ମୋବାଇଲ୍ ଫୋନ୍ରେ ଏମିତି କି ତଥ୍ୟ ରହିଛି କି, ଯାହାର ସଂପର୍କ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ସହିତ ରହିଛି? ସତରେ ମୋବାଇଲ୍ ଖୋଲିବ କି ତାଙ୍କ ମୃତ୍ୟୁର ରହସ୍ୟ?