ରିଲିଫ ବଣ୍ଟନରେ ବ୍ୟାପକ ହେରଫେର ହେଉଛି : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବାତ୍ୟା ବିପନ୍ନମାନଙ୍କୁ ରିଲିଫ ବଣ୍ଟନରେ ବ୍ୟାପକ ଅନିୟମତତା ଓ ହେରଫେର ହେଉଛି ବୋଲି ରାଜ୍ୟ ବିଜେପି ଆଜି ଅଭିଯୋଗ କରିଛି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଭେଟି ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ଓ ରିଲିଫ ବଣ୍ଟନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, ବାତ୍ୟା ‘ଫୋନି’କୁ ୭ଦିନ […]

samir

Manoranjan Sial
  • Published: Friday, 10 May 2019
  • , Updated: 10 May 2019, 09:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବାତ୍ୟା ବିପନ୍ନମାନଙ୍କୁ ରିଲିଫ ବଣ୍ଟନରେ ବ୍ୟାପକ ଅନିୟମତତା ଓ ହେରଫେର ହେଉଛି ବୋଲି ରାଜ୍ୟ ବିଜେପି ଆଜି ଅଭିଯୋଗ କରିଛି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଭେଟି ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ଓ ରିଲିଫ ବଣ୍ଟନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ବାତ୍ୟା ‘ଫୋନି’କୁ ୭ଦିନ ବିତି ଯାଇଥିଲେ ମଧ୍ୟ ରାଜ୍ୟ ପ୍ରଶାସନର ସ୍ଥାଣୁତା, ଅପାରଗତା ଯୋଗୁ ଏବେସୁଦ୍ଧା କ୍ଷତିଗ୍ରସ୍ତ ବାସହୀନ ଓ ଭୋକିଲା ପରିବାରଙ୍କୁ କୌଣସି ସହାୟତା ପ୍ରଦାନ କରାଯାଇନାହିଁ। "କେନ୍ଦ୍ରୀୟ ପାଣିପାଗ ବିଭାଗ ୭ ଦିନ ପୂର୍ବରୁ ବାତ୍ୟା ଆସିବା ନେଇ ଚେତାବନୀ ଦେଇଥିଲା। କିନ୍ତୁ ରାଜ୍ୟ ସରକାର ଏବଂ ରାଜ୍ୟ ପ୍ରଶାସନ ନିର୍ବାଚନ ଶେଷ ହେବାପରେ ଆଉ କୌଣସି କର୍ତ୍ତବ୍ୟ ନଥିବା ମନେକରି ଶୋଇପଡ଼ିଲେ, ଆଉ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କଲେନାହିଁ। ଲୋକଙ୍କୁ ସ୍ଥାନାନ୍ତର କରିବା କହି ବାହାବା ନେଇଥିବା ରାଜ୍ୟ ସରକାର ବାତ୍ୟା ବିପନ୍ନମାନଙ୍କୁ ସାହାଯ୍ୟ କରିବାରେ ସଂପୂର୍ଣ୍ଣ ଭାବେ ଫେଲ୍ ମାରିଛନ୍ତି। ବାତ୍ୟାର ୭ ଦିନ ପରେ ମଧ୍ୟ ଲୋକଙ୍କୁ ପିଇବାକୁ ପାଣି ମିଳୁନାହିଁ, ବିଦ୍ୟୁତ ସଂଯୋଗ ନାହିଁ, ଖାଦ୍ୟ ନାହିଁ ଏବଂ ଆଶ୍ରୟ ପାଇଁ କୌଣସି ପଲିଥିନ ବି ଦିଆଯାଇନି।"

"ରାଜ୍ୟ ସରକାରଙ୍କ ଅନିୟମିତତା ଓ ଆନ୍ତରିକତାର ଅଭାବ ଯୋଗୁଁ ରାଜଧାନୀରେ ୭ ଦିନ ମଧ୍ୟରେ କେବଳ ୨୫ ପ୍ରତିଶତ ଲୋକଙ୍କ ପାଖରେ ବିଦ୍ୟୁତ ପହଞ୍ଚି ପାରିଛି। ଏପ୍ରକାର ପରିସ୍ଥିତିରେ ରାଜଧାନୀବାସୀ ନିଜ ଗାଁ ମାଟିକୁ ଚାଲିଯାଇଛନ୍ତି। ରାଜ୍ୟ ସରକାର କୌଣସି ସାମାଜିକ ସଙ୍ଗଠନ ଓ ରାଜନୈତିକ ଦଳଙ୍କ ସହ ସହଯୋଗ ଏବଂ ସହାୟତା ନେଉନାହାନ୍ତି। ଫଳରେ ବାତ୍ୟା ବିପନ୍ନମାନେ କଷ୍ଟ ଭୋଗୁଛନ୍ତି।"

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ସହାୟତାରେ ଓଡ଼ିଶାକୁ ସହଯୋଗ କରିବାର ଯଥାସମ୍ଭବ ପ୍ରୟାସ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ ଓ ଦୁଃଖଦାୟକ ବିଷୟ, ରାଜନୀତିକ ଉଦ୍ଦେଶ୍ୟ ରଖି ରିଲିଫ ବଣ୍ଟାଯାଉଛି। ଯେଉଁମାନେ ଶାସକ ଦଳକୁ ଭୋଟ ଦେଇନାହାନ୍ତି, ବିରୋଧୀ ଦଳର କର୍ମୀ ହୋଇଥିବାରୁ ସେମାନଙ୍କୁ ରିଲିଫ୍ ମିଳୁନାହିଁ। ରିଲିଫ ବଣ୍ଟନ କାର୍ଯ୍ୟ ଏବେ ଶାସକ ବିଜେଡି ନେତାମାନଙ୍କ ନିୟନ୍ତ୍ରଣରେ ରହିଛି। ବିଞ୍ଝାରପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ସମର୍ଥକମାନଙ୍କୁୁ ରିଲିଫ ମିଳୁନାହିଁ। ପୁରୀରେ ମଧ୍ୟ ଯିଏ ବିଜେଡିକୁ ଭୋଟ ଦେଇନାହାନ୍ତି ସେମାନଙ୍କୁ ରିଲିଫ ନଦେବା ପାଇଁ ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ପ୍ରଶାସନିକ ଅଧିକାରୀମାନଙ୍କ ସହଯୋଗରେ ରିଲିଫ୍ ସାମଗ୍ରୀ ଓ ଅର୍ଥ ଲୁଟ ହେଉଛି। କେନ୍ଦ୍ର ସରକାର ଅଗ୍ରୀମ ୧୩୪୧ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ସହାୟତା ଦେଇଛନ୍ତି। କେନ୍ଦ୍ର ସରକାର ଦେଇଥିବା ସାହାଯ୍ୟ ଏବଂ ସହାୟତାକୁ ନେବାସି ପାଇଁ ରାଜ୍ୟ ସରକାର ଇଚ୍ଛା ପ୍ରକାଶ କରୁନାହାନ୍ତି। କିନ୍ତୁ ରାଜ୍ୟ ସରକାରଙ୍କର ବିନା ସହଯୋଗରେ କେନ୍ଦ୍ର ସରକାର ବାତ୍ୟା ବିପନ୍ନକୁ ସହାୟତା ପ୍ରଦାନ କରିଚାଲିଛନ୍ତି। ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ସମାନ ଭାବେ ବିବେଚନା କରାଇ ରିଲିଫ ବଣ୍ଟନରେ ପକ୍ଷପାତପୂର୍ଣ୍ଣ ନୀତି ନଆପଣାଇବାକୁ ବିଜେପି ଦାବି କରିଛି।

ଏହି ପ୍ରତିନିଧି ଦଳରେ ବିଜେପି ନେତା ଉମାକାନ୍ତ ପଟ୍ଟନାୟକ, ଟଙ୍କଧର ତ୍ରିପାଠୀ, ସୁବାସ ଗୋଚ୍ଛାୟତ, ବିଶ୍ୱରଞ୍ଜନ ମଲ୍ଲିକ ଓ ରବିଶଙ୍କର ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ।

Related story