ସମାଲୋଚନା ପରେ ମେଡିକାଲ୍‌ ବୁଲିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଆରମ୍ଭ ହୋଇଛି ୫-ଟି ଓ ‘ମୋ ସରକାର’ କାର୍ଯ୍ୟକ୍ରମ। ଆଉ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୫-ଟି ସଚିବ ଭି.କେ. ପାଣ୍ଡିୟାନ୍‌ ଓ ତାଙ୍କ ଟିମ୍‌ ଘନଘନ ବିଭିନ୍ନ ମେଡିକାଲ୍‌ ଗସ୍ତ କରୁଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ମଧ୍ୟ କରୁଛନ୍ତି। ଇତିମଧ୍ୟରେ ୫-ଟି ସଚିବ ଓ ତାଙ୍କ ଟିମ୍‌ ରାଜ୍ୟର ଅନେକ ଜିଲ୍ଲା ବୁଲି ସାରିଲେଣି। ହେଲେ କେଉଁଠି ବି ଯାଇନାହାନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। […]

bjp-and-congress-criticized-health-minister

Manoranjan Sial
  • Published: Friday, 01 November 2019
  • , Updated: 01 November 2019, 07:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଆରମ୍ଭ ହୋଇଛି ୫-ଟି ଓ ‘ମୋ ସରକାର’ କାର୍ଯ୍ୟକ୍ରମ। ଆଉ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୫-ଟି ସଚିବ ଭି.କେ. ପାଣ୍ଡିୟାନ୍‌ ଓ ତାଙ୍କ ଟିମ୍‌ ଘନଘନ ବିଭିନ୍ନ ମେଡିକାଲ୍‌ ଗସ୍ତ କରୁଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ମଧ୍ୟ କରୁଛନ୍ତି। ଇତିମଧ୍ୟରେ ୫-ଟି ସଚିବ ଓ ତାଙ୍କ ଟିମ୍‌ ରାଜ୍ୟର ଅନେକ ଜିଲ୍ଲା ବୁଲି ସାରିଲେଣି। ହେଲେ କେଉଁଠି ବି ଯାଇନାହାନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏମିତିକି ଜିଲ୍ଲା ଗସ୍ତରୁ ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ଓ ପ୍ୟାକେଜ ଘୋଷଣା ବେଳେ ମଧ୍ୟ ମନ୍ତ୍ରୀଙ୍କ ମୁହଁ ଦେଖିବାକୁ ମିଳିଲା ନାହିଁ। ଯାହାକୁ ଅସ୍ତ୍ର କରିଥିଲେ ବିରୋଧୀ। ସଚିବ ପାଓ୍ୱାରଫୁଲ୍, ମନ୍ତ୍ରୀ ଗୌଣ କହି ଟାର୍ଗେଟ୍ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ। ସଚିବରୁ ରାଜନେତା ବନିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏଭଳି ବ୍ୟବସ୍ଥାକୁ ମଧ୍ୟ ସମାଲୋଚନା କରିଥିଲେ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ ୫-ଟି ଓ ମୋ ସରକାରକୁ ନେଇ ପ୍ରବଳ ସାମାଲୋଚନା କରିଥିଲେ।

ଆଉ ମୁହଁ ଟାଣ କରି ବିରୋଧୀଙ୍କ ସମାଲୋଚନାର ଯବାବ ଦେଉଥିଲେ ଶାସକ ଦଳର ନେତାମାନେ। ହେଲେ ପ୍ରକୃତ କଥାଠାରୁ ଦୂରେଇ ବୟାନବାଜି ଦେଉଥିବା ଦେଖିବାକୁ ମିଳୁଥିଲା। ତେବେ ଏହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରଥମ ଥର ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରିଛନ୍ତି। ସେ ଅଚାନକ ମେଡିକାଲ୍‌ରେ ପହଞ୍ଚି ରୋଗୀଙ୍କ ଭଲମନ୍ଦ ବୁଝିଛନ୍ତି। ଭିତ୍ତିଭୂମି ସଜାଡ଼ିବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ଆଉ ଯାହାକୁ ନେଇ ପୁଣି ତେଜିଛି ରାଜନୀତି। କଂଗ୍ରେସ ଓ ବିଜେପି ମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ଯାହାର ଉତ୍ତର ମନ୍ତ୍ରୀ ଦେଇଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି- “ସମସ୍ତଙ୍କୁ ଉଚିତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ଏହା ସୁଚାରୁରୂପେ ଚାଲିଛି କି ନାହିଁ, ତାହାର ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ସଚିବ ଓ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ପାଳନ କରିବା ପାଇଁ ମନ୍ତ୍ରୀ ଓ ସଚିବମାନେ ବିଭିନ୍ନ ମେଡିକାଲ୍‌ ଗସ୍ତ କରୁଛନ୍ତି।”

୫-ଟି ସଚିବ ଓ ତାଙ୍କ ଟିମ୍‌ଙ୍କ ଗସ୍ତକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ। ସେ କହିଛନ୍ତି- “ଚାହା ପିଇବା ପାଇଁ ଏହି ୫ ଜଣ ଯାଉଥିଲେ। ଏବେ ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ନବୀନବାବୁ ୫-ଟି ସଚିବ ଓ ତାଙ୍କ ଟିମ୍ ସହିତ ମନ୍ତ୍ରୀଙ୍କୁ ବୁଲିବାକୁ ପଠାଉଛନ୍ତି।”

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି- “୫-ଟି ସଚିବ ଗମ୍ଭୀରା ଭିତରେ ଥିଲେ। ଏବେ ବାହାରି ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି। ମୁଖ୍ୟଶାସନ ସଚିବ ତାଙ୍କ ପଛରେ ଗୋଡ଼ାଇଲେ। ଏପରିସ୍ଥିତିରେ ମନ୍ତ୍ରୀମାନେ କେଉଁଠି କେଉଁଠି ଗୌଣ ପଡ଼ିଗଲେ। ଆଉ ଯେତେବେଳେ ସମାଲୋଚନାର ଶିକାର ହେଲେ, ସେତେବେଳେ ମନ୍ତ୍ରୀମାନଙ୍କୁ ବୁଲିବାକୁ କହିଲେ।”

ସେପଟେ ଆଜି ୫-ଟି ସଚିବ ଓ ତାଙ୍କ ଟିମ୍ ସମ୍ବଲପୁର ହସ୍ପିଟାଲ୍ ଗସ୍ତ କରିଛନ୍ତି। ହେଲେ ଘନଘନ ଗସ୍ତ ସତ୍ତ୍ୱେ ହସ୍ପିଟାଲ୍ ସ୍ଥିତି ଯାହାକୁ ତାହା। ଉପାନ୍ତ ଅଞ୍ଚଳ କଥା ଛାଡ଼ନ୍ତୁ, ଯେଉଁଠୁ ମୋ ସରକାରର ଶୁଭାରମ୍ଭ ହୋଇଥିଲା, ସେହି ଭୁବନେଶ୍ୱର କ୍ୟାପିଟାଲ୍ ହସପିଟାଲ୍‌ରେ ଆଜି ଓ୍ୱାର୍ଡରେ ବେଡ୍ ଅଭାବରୁ କେଉଁଠି ବାରଣ୍ଡାରେ ବେଡ୍ ପଡ଼ିଛି, ତ ଆଉ କେଉଁଠି ବେଡ୍ ନପାଇ ତଳେ ଗଡୁଛନ୍ତି ଗୁରୁତର ରୋଗୀ।

ମୋ ସରକାରକୁ ନେଇ ପ୍ରଚାର ପ୍ରବଳ, କାମ ଦୁର୍ବଳ। ତେବେ ଏହା ଭିତରେ ସ୍ଥିତି ସୁଧାରିବାକୁ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ମଧ୍ୟ ହସପିଟାଲ ଦାୟିତ୍ୱ ଦିଆଯାଇଛି। ତେଣୁ ପ୍ରଚାର ଭଳି ବାସ୍ତବରେ କାମ ବି କେବେ ସବଳ ହେବ ତା’ ଉପରେ ସମସ୍ତଙ୍କ ନଜର।

Related story