ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ବରି ବ୍ଲକରେ ହୋମଗାର୍ଡ ରଞ୍ଜନ ମଲ୍ଲିକଙ୍କୁ ବରି ବିଜେଡି ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ତାଙ୍କ ସହଯୋଗୀମାନେ ମାଡ଼ ମାରି ହତ୍ୟା ଧମକ ଦେବା ଘଟଣାରେ ବିଜେପି ଆଜି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱଲେଙ୍କୁ ଭେଟି ଫେରାଦ ହୋଇଛି।
ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ଅଠାୱଲେଙ୍କୁ ରାଜ୍ୟ ଅତିଥି ଭବନରେ ବିଜେପି ପ୍ରତିନିଧି ଦଳ ଭେଟି ଅନୁସୂଚିତ ବର୍ଗର ହୋମଗାର୍ଡ ରଞ୍ଜନ ମଲ୍ଲିକଙ୍କ ପ୍ରତି ନ୍ୟାୟ ଓ ସୁରକ୍ଷା ଦାବି କରିଛନ୍ତି। ଗତ ୯ତାରିଖରେ ଶ୍ରୀ ମଲ୍ଲିକଙ୍କୁ ମାଡ଼ ମାରି ହତ୍ୟା ଧମକ ଦେଇଥିବା ବିଜେଡି ବିଧାୟକ ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ ଓ ସରପଞ୍ଚ ସନ୍ତୋଷ ସାମଲଙ୍କୁ ପ୍ରିଭେନସନ ଅଫ ଆଟ୍ରୋସିଟିସ ଆକ୍ଟ,୧୯୮୯ ଅନୁଯାୟୀ ଗିରଫ ପାଇଁ ରାଜ୍ୟ ସରକାରଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ୫-ଟି, ମୋ ସରକାର କଥା କହୁଥିବାବେଳେ ଶାସକ ଦଳର ବିଧାୟିକାଙ୍କ ସ୍ୱାମୀ ଆଇନକୁ ହାତକୁ ନେଇ ଏକ ଅନୁସୂଚିତ ଜାତିର ହୋମଗାର୍ଡକୁ ହତ୍ୟା ଧମକ ଦେବା ସହ ଜାତିଆଣ ଆପେକ୍ଷ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ।
ସମ୍ବିଧାନର ଧାରା ୧୮ ଅନୁଯାୟୀ ଏତଲା ଆଧାରରେ ଥାନା ଅଧିକାରୀ ଅଭିଯୁକ୍ତକୁ ଗିରଫ କରିବା କଥା। କିନ୍ତୁ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ ନକରି ଓଲଟା ହୋମଗାର୍ଡଙ୍କ ବିରୁଦ୍ଧରେ ମିଥ୍ୟା ମକୋଦ୍ଦମା ଲଗାଇଛି । ଏଠି ନିରୀହ, ଦଳିତ ଲୋକଙ୍କ ଉପରେ ଅତ୍ୟାଚାର କରାଯାଉଛି । ପୂର୍ବରୁ ପ୍ରତିନିଧି ଦଳ ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ରାଜ୍ୟ ମାନବଧିକାର କମିଶନ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ଏହା ସତ୍ତେ୍ୱ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାୱଲେଙ୍କୁ ପ୍ରତିନିଧି ଦଳ ଅବଗତ କରିଥିଲେ ।
ଏହି ପ୍ରତିନିଧି ଦଳରେ ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ, ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ, ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ବିଶ୍ୱଜିତ ନାୟକ, ବରି ବ୍ଲକ ଅଧ୍ୟକ୍ଷା ସୁବାଶିନୀ ଶର୍ମା , ବ୍ଲକ ଉପାଧ୍ୟକ୍ଷ ରମେଶ ଭଞ୍ଜ, ଜିଲ୍ଲା ପରିଷଦ ସଦସ୍ୟା ରଞ୍ଜିତା ସାମଲ, ଦିଲୀପ ମହାନ୍ତି ଓ ଯୁବମୋର୍ଚ୍ଚାର ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲୋ